ହୋଲିରେ ଅସୁବିଧା ହେଉଥିଲେ ପୁରୁଷମାନେ ତାରପୋଲିନ ହିଜାବ ପିନ୍ଧନ୍ତୁ: ମନ୍ତ୍ରୀଙ୍କ ବିବାଦୀୟ ବୟାନ

Published By : Prameya-News7 Bureau | March 11, 2025 IST

indiatoday

ନୂଆଦିଲ୍ଲୀ: ହିଜାବକୁ ନେଇ ବିବାଦୀୟ ବୟାନ ଦେଇଛନ୍ତି ଉତ୍ତର ପ୍ରଦେଶର ମନ୍ତ୍ରୀ ରଘୁରାଜ ସିଂହ। ଯେଉଁମାନେ ହୋଲି ରଙ୍ଗରୁ ରକ୍ଷା ପାଇବାକୁ ଚାହୁଁଛନ୍ତି ସେମାନେ ମୁସଲମାନ ମହିଳାମାନେ ପିନ୍ଧୁଥିବା ମୁଣ୍ଡ ଓଢ଼ଣି ପରି "ତାରପାଲିନ୍ ହିଜାବ୍" ପିନ୍ଧିବା ଉଚିତ। ରଘୁରାଜଙ୍କର ଏହି ବିବାଦୀୟ ବୟାନକୁ ନେଇ ହଙ୍ଗାମା ହୋଇଛି। 

ମଙ୍ଗଳବାର ଅଲିଗଡ଼ରେ ଏକ କାର୍ଯ୍ୟକ୍ରମରେ ଭାଷଣ ଦେବା ବେଳେ ଉତ୍ତର ପ୍ରଦେଶ ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରୀ ରଘୁରାଜ ସିଂହ ପୁରୁଷମାନଙ୍କୁ ଏକ ବିବାଦୀୟ ପରାମର୍ଶ ଦେଇଥିଲେ। ସେ କହିଥିଲେ “ହୋଲି ସମୟରେ ରଙ୍ଗରୁ ବଞ୍ଚିବାକୁ ଚାହୁଁଥିବା ଯେକୌଣସି ବ୍ୟକ୍ତି ନିଜକୁ ତାରପାଲିନରେ ଘୋଡ଼ାଇ ରଖିବା ଉଚିତ, ଯେପରି ମୁସଲମାନ ମହିଳାମାନେ ହିଜାବ୍ ପିନ୍ଧନ୍ତି। ପୁରୁଷମାନେ ମଧ୍ୟ ସେମାନଙ୍କର ଟୋପି ଏବଂ ପୋଷାକକୁ ସୁରକ୍ଷିତ ରଖିବା ପାଇଁ ସମାନ କାମ କରିବା ଉଚିତ। ଯଦି ସେମାନେ ଏହା କରିପାରିବେ ନାହିଁ, ତେବେ ସେମାନେ ଘରେ ରହିବା ଉଚିତ।"

ପଢନ୍ତୁ- ବାଗେଶ୍ଵର ବାବାଙ୍କ ପଛରେ ପଡିଲେ ବିହାର ନେତା, ହିନ୍ଦୁ ରାଷ୍ଟ୍ର ମନ୍ତବ୍ୟକୁ ନେଇ କଲେ ଟାର୍ଗେଟ୍‌


ସେହିପରି ଯେଉଁମାନେ ହୋଲିରେ ବାଧା ସୃଷ୍ଟି କରିବାକୁଁ ଚାହିଁବେ, ମନ୍ତ୍ରୀ ସେମାନଙ୍କୁ ସିଧାସଳଖ ଧମକ ଦେଇ କହିଛନ୍ତି ସେମାନଙ୍କ ପାଇଁ ସୀମିତ ବିକଳ୍ପ ରହିଛି। ଏଭଳି ଲୋକ ଜେଲ୍ ଯିବେ, ନହେଲେ ରାଜ୍ୟ ଛାଡ଼ିବେ, ତା’ ନହେଲେ ସିଧା ଜମରାଜଙ୍କ ସହିତ ଭେଟିବାକୁ ପ୍ରସ୍ତୁତ ହୁଅନ୍ତି ବୋଲି ମନ୍ତ୍ରୀ କହିଛନ୍ତି। 

ମନ୍ତ୍ରୀ ଶ୍ରୀ ସିଂହ ଆହୁରି କହିଛନ୍ତି ଯେ ହୋଲି ସତ୍ୟ, ତ୍ରେତା ଓ ଦ୍ୱାପର ଯୋଗରୁ ପାଳନ ହୋଇ ଆସୁଛି। ତେଣୁ କଳିଯୁଗରେ ବି ପାଳନ ହେବ। ଏହାଦ୍ୱାରା କାହାର କୌଣସି ସମସ୍ୟା ହେବନି। ପ୍ରତି ୨୦-୨୫ ମିଟର ଭିତରେ ଆମେ ହୋଲି ବନ୍ଦ କରିପାରିବୁ ନାହିଁ। ଯାହାର ଅସୁବିଧା ହେଉଛି ସେମାନେ ତାରପୋଲିନ ପିନ୍ଧନ୍ତୁ ନହେଲେ ଘରେ ରହୁନ୍ତୁ ବୋଲି ମନ୍ତ୍ରୀ କହିଛନ୍ତି। 

ସେହିଭଳି ଅଲିଗଡ଼ ମୁସ୍ଲିମ ୟୁନିଭର୍ସିଟିରେ ଧାର୍ମିକ ନିର୍ମାଣକୁ ନେଇ ଅନେକ ସମୟରେ ବିବାଦ ରହି  ଆସିଥିବା ବେଳେ ଏ ନେଇ ମନ୍ତ୍ରୀ କହିଛନ୍ତି ୟୁନିଭର୍ସିଟି ପରିସରରେ ମନ୍ଦିର ନିର୍ମାଣ ହେବା ଉଚିତ। ୟୁନିଭର୍ସିଟିରେ ପୂର୍ବରୁ ଏକ ମସଜିଦ ରହିଛି। ତେଣୁ ମନ୍ଦିରଟେ ନିର୍ମାଣ ହେଉ। ଯଦି ଏପରି ହେଲା ଏଥିପାଇଁ ମୁଁ ପ୍ରଥମେ ସମ୍ପତ୍ତି ଦାନ କରିବି। ଯଦି ଅବୁ ଧାବିରେ ମନ୍ଦିର ନିର୍ମାଣ ହୋଇପାରୁଛି ତେବେ ୟୁନିଭର୍ସିଟିରେ କାହିଁକି ହେଇପାରିବନି ? ଏହି ୟୁନିଭର୍ସିଟି ହିନ୍ଦୁସ୍ତାନରେ ଅଛି ପାକିସ୍ତାନରେ ନୁହେଁ। ତେଣୁ ବହୁ ସଂଖ୍ୟକ ଲୋକଙ୍କୁ ୟୁନିଭର୍ସିଟି ସମ୍ମାନ ଦେବା ଦରକାର। କାରଣ ସେମାନଙ୍କ ଦରମା ଆମ ଟ୍ୟାକ୍ସରୁ ଯାଉଛି। ଏଠି ବି ଭାରତୀୟ ଆଇନ ଲାଗୁହେଉଛି। ସେମାନେ ଏହି ଧାରଣାରେ ନ ରୁହନ୍ତୁ ବୋଲି ଉତ୍ତର ପ୍ରଦେଶ ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରୀ ରଘୁରାଜ ସିଂହ କହିଛନ୍ତି।  

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.