ନୂଆଦିଲ୍ଲୀ ୧୭।୨: ମୁଖ୍ୟ ନିର୍ବାଚନ କମିଶନ (ସିଇସି) ରାଜୀବ କୁମାର ୧୮ ଫେବୃଆରୀ ମଙ୍ଗଳବାର ଅବସର ଗ୍ରହଣ କରିବେ। ଏଣୁ ନୂଆ ସିଇସି ନିଯୁକ୍ତି ନିମନ୍ତେ ଉଦ୍ୟମ ଆରମ୍ଭ ହୋଇଛି। ଏଥି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ତାଙ୍କ ବାସଭବନରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଏହି ବୈଠକରେ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ମଧ୍ୟ ଯୋଗ ଦେଇଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ ଏହି ବୈଠକ ଅନୁଷ୍ଠିତ ହୋଇଛି।
ମୁଖ୍ୟ ନିର୍ବାଚନ କମିଶନ ନିଯୁକ୍ତି ନିମନ୍ତେ ଗଠିତ ସିଲେକ୍ସନ କମିଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଆଇନମନ୍ତ୍ରୀ ଅର୍ଜୁନ ରାମ ମେଘବାଲ ଓ ଲୋକସଭାରେ ବିରୋଧୀ ଦଳ ନେତା ମଧ୍ୟ ଅଛନ୍ତି। ତେବେ କଂଗ୍ରେସ ସିଲେକ୍ସନ କମିଟି ପଦାଧିକାରୀଙ୍କୁ ନେଇ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଛି, ଏଣୁ ପାର୍ଟି ମାମଲାରେ ଶୁଣାଣି ପର୍ଯ୍ୟନ୍ତ ବୈଠକ ସ୍ଥଗିତ କରିବାକୁ ଦାବି କରିଛି। ସିଇସି ନିଯୁକ୍ତି ନେଇ କଂଗ୍ରେସ ମଧ୍ୟ ପ୍ରତିକ୍ରିୟା ଦେଇଛି।
କଂଗ୍ରେସ ନେତା ତଥା ବରିଷ୍ଠ ଓକିଲ ଅଭିଷେକ ମନୁ ସିଂଘଭୀ କହିଛନ୍ତି ଯେ ‘ସିଇସି ଚୟନ କମିଟି ସୁପ୍ରିମକୋର୍ଟ ନିଷ୍ପତ୍ତିର ସ୍ପଷ୍ଟ ଓ ସିଧା ଉଲ୍ଲଂଘନ, ଏଥିରେ ସ୍ପଷ୍ଟ ରୂପେ କୁହାଯାଇଛି ମୁଖ୍ୟ ନିର୍ବାଚନ କମିଶନ ଓ ନିର୍ବାଚନ କମିଶନ ନିଯୁକ୍ତିରେ ପ୍ରଧାନମନ୍ତ୍ରୀ, ବିରୋଧୀ ଦଳ ନେତା ଓ ସିଜେଆଇଙ୍କ କମିଟି ଦ୍ୱାରା କରାଯିବା ବିଧେୟ’। ସିଂଘଭୀ କହିଛନ୍ତି ଯେ ସିଇସିଙ୍କୁ ନେଇ ସନ୍ତୁଳିତ ନିଷ୍ପତ୍ତି ହେବା ଦରକାର ଓ ଏହି ଚୟନ ପ୍ରକ୍ରିୟାରେ କେବଳ କାର୍ଯ୍ୟପାଳିକା ସାମିଲ ରହିବା ଉଚିତ ନୁହେଁ।
ସିଂଘଭୀ କହିଛନ୍ତି ଯେ ଅଧିନିୟମକୁ ଚ୍ୟାଲେଞ୍ଜ କରୁଥିବା ମାମଲା ଏବେ ସୁପ୍ରିମକୋର୍ଟରେ ପେଣ୍ଡିଂ ଅଛି ଓ ଏହା ଉପରେ ନୋଟିସ୍ ଜାରି ହୋଇଛି। ଆମେ ଏ ପର୍ଯ୍ୟନ୍ତ ଗୃହୀତ ସବୁ ଆଦେଶ ଏକତ୍ର କରିଛୁ ଓ ମାମଲାକୁ ୧୯ ଫେବୃଆରୀ ଅର୍ଥାତ ୪୮ ଘଣ୍ଟାରୁ ବି କମ୍ ସମୟରେ ତାଲିକାଭୁକ୍ତ କରିଛୁ। କଂଗ୍ରେସ ନେତା କହିଛନ୍ତି ଯେ ଆମେ ଚାହୁଁଛୁ କେନ୍ଦ୍ର ସରକାର ଏହି ବୈଠକକୁ ଶୁଣାଣି ପର ପର୍ଯ୍ୟନ୍ତ ସ୍ଥଗିତ କରିଦିଅନ୍ତୁ ଓ ନିଜ ଓକିଲଙ୍କୁ ହାଜିର ହେବାକୁ ଏବଂ କୋର୍ଟଙ୍କୁ ସହଯୋଗ କରିବାକୁ ନିର୍ଦ୍ଦେଶ ଦିଅନ୍ତୁ।