ଭୁବନେଶ୍ୱର ୨୧/୦୨: ରାଜ୍ୟର ବିଭିନ୍ନ ସ୍ଥାନରେ ଗତ ୨୪ ଘଣ୍ଟା ଭିତରେ ଘଡ଼ଘଡ଼ି ସହ ବର୍ଷା ହୋଇଛି । କେତେକ ସ୍ଥାନରେ ପବନ ଓ କୁଆପଥର ବର୍ଷିଛି । ପାଣିପାଗ ବିଭାଗର ପୂର୍ବାନୁମାନ ହେଲା, ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି । ୨୫ରେ କାଁ ଭାଁ ବର୍ଷା ହୋଇପାରେ । ତା’ପରେ ପାଗ ଶୁଖିଲା ରହିବ ।
ଶୁକ୍ରବାର ବାଲେଶ୍ୱର, ମୟୂରଭଞ୍ଜରେ ହାଲୁକାରୁ ମଧ୍ୟମ ବର୍ଷା ଏବଂ ଘଡ଼ଘଡ଼ି ହେବା ଆଶଙ୍କା ଅଛି । ବାକି ଅଞ୍ଚଳରେ ପାଗ ଶୁଖିଲା ରହିବ । ୨୨ ତାରିଖ (ଶନିବାର) ଅଧିକ ସ୍ଥାନରେ ବର୍ଷା ହେବା ସମ୍ଭାବନା ଅଛି । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ମୟୂରଭଞ୍ଜ ଜିଲ୍ଲାର ଅନେକ ସ୍ଥାନରେ ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ । ଏହାବାଦ୍ ଖୋର୍ଦ୍ଧା, ପୁରୀ, କେନ୍ଦୁଝର, ଢେଙ୍କାନାଳର ଅଳ୍ପ କେତେକ ସ୍ଥାନ ଏବଂ ଅନୁଗୁଳ, ଦେବଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ବରଗଡ଼ର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ସମ୍ଭାବନା ଅଛି ।
ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝରରେ ବଜ୍ରପାତ ସହ ୪୦ ରୁ ୫୦ କିମି ବେଗରେ ପବନ ଏବଂ କୁଆପଥର ମାଡ଼ ହୋଇପାରେ । ଏଥିପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଏହାବାଦ୍ ୧୪ଟି ଜିଲ୍ଲାରେ ବଜ୍ରପାତ ଓ ୩୦ରୁ ୪୦ କିମି ବେଗରେ ପବନ ଆଶଙ୍କା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୨୩ ଓ ୨୪ ତାରିଖରେ ବର୍ଷା ଓ ଘଡ଼ଘଡ଼ି ଆଶଙ୍କା ଅଛି । ୨୪ରେ କାଁ ଭାଁ ବର୍ଷା ହୋଇପାରେ । ୨୬ରୁ ପାଗ ଶୁଖିଲା ରହିପାରେ ।
ଗତକାଲି ରାତିରେ କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ଯାଜପୁର, କଟକ ସମେତ ବହୁ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇଛି । ଆଜି ସକାଳରୁ ସନ୍ଧ୍ୟା ଭିତରେ ଚାନ୍ଦବାଲିରେ ୧୮ ମିମି ଓ ଅନୁଗୁଳରେ ୧୦ ମିମି ବର୍ଷା ହୋଇଥିବାବେଳେ କେନ୍ଦୁଝର, ଯାଜପୁର, ଭଦ୍ରକ, ଢେଙ୍କାନାଳରେ ହାଲୁକା ବର୍ଷା ହୋଇଛି।