ରାଜ୍ୟରେ କାଳବୈଶାଖୀ ପ୍ରଭାବ, ୧୭ ଯାଏଁ ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷାର ଆଲର୍ଟ

Published By : Prameya-News7 Bureau | April 12, 2025 IST

ଭୁବନେଶ୍ୱର ୧୨।୦୪ :  ରାଜ୍ୟରେ କାଳବୈଶାଖୀ ପ୍ରଭାବ ଜାରି ରହିବ। ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଅଛି । ତେଣୁ ତାପମାତ୍ରା ବୃଦ୍ଧି ପାଇବ ନାହିଁ କିମ୍ବା ବଡ଼ ଧରଣର ପରିବର୍ତ୍ତନ ସମ୍ଭାବନା ଦେଖାଯାଉନି ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।  

ଗତ ୨୪ ଘଣ୍ଟା ଭିତରେ ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରକୋପ ଦେଖାଇଥିଲା । ଶୁକ୍ରବାର ରାଜ୍ୟରେ ଖରା ପ୍ରକୋପ କମ୍‌ ଥିଲା । ଟିଟିଲାଗଡ଼ ଓ ବଲାଙ୍ଗିର ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍‌  ପାର୍‌ କରିଥିବା ବେଳେ ଉପକୂଳ ଓଡ଼ିଶା ୩୫ ଡିଗ୍ରୀ ପାଖାପାଖି ରହିଥିଲା ।   

ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ହେଲା, ଶନିବାର  ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର,  ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି ଓ ନବରଙ୍ଗରପୁର ଘଡ଼ଘଡ଼ି ସହ  ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ମୟୂରଭଞ୍ଜ, ଗଜପତି, ରାୟଗଡ଼ା ଓ କୋରାପୁଟରେ ୩୦ରୁ ୪୦ କିଲୋମିଟର ବେଗରେ ପବନ ସହ ଧୂଳିଝଡ଼ ଆଶଙ୍କା ଅଛି । ୧୨, ୧୩, ୧୪, ୧୫ ତାରିଖରେ କାଳବୈଶାଖୀ ପ୍ରକୋପ ଅଧିକ ରହିବ । ୧୬ ଓ ୧୭ରେ କାଳବୈଶାଖୀ ପ୍ରକୋପ କମିଲେ ମଧ୍ୟ କେତେକ ସ୍ଥାନରେ ଜାରି ରହିବ ।

  • Weather
  • Weather Forecast
  • Weather update
  • prameyanews7
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.