ଲାହୋର୨୮/୦୨: ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ଶୁକ୍ରବାର ହାଇ-ଭୋଲଟେଜ୍ ଗେମ୍ । ଗାଦ୍ଦାଫି ଷ୍ଟାଡିୟମ ଲାହୋରରେ ମୁହାଁମୁହିଁ ହେବେ ଅଷ୍ଟ୍ରେଲିଆ-ଆଫଗାନିସ୍ତାନ । ଆଜିର ମ୍ୟାଚ୍ ଉଭୟ ଟିମ୍ ପାଇଁ କର ବା ମର ପରିସ୍ଥିତି ସୃଷ୍ଟି ହୋଇଛି । ଯେଉଁ ଦଳ ଜିତିବ, ସେମି ଫାଇନାଲ ପାଇଁ ଉତ୍ତୀର୍ଣ୍ଣ କରିବ । ସେପଟେ ୨୦୨୩ ଦିନିକିଆ ବିଶ୍ବକପ୍ ପରାଜୟର ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିଛି ଆଫଗାନିସ୍ତାନ ଟିମ୍ । ଚାମ୍ପିଅନ୍ସ ଟ୍ରଫିରେ କଙ୍ଗାରୁଙ୍କୁ ଚେକ୍ ଦେବାକୁ ସମସ୍ତ ରଣନୀତି ପ୍ରସ୍ତୁତ କରିଛି ।
ଗ୍ରୁପ୍-ବି’ରେ ଶୁକ୍ରବାର ଅଷ୍ଟ୍ରେଲିଆ ଓ ଆଫଗାନିସ୍ତାନ ପରସ୍ପରକୁ ଭେଟିବେ। ଗତ ଆଫଗାନିସ୍ତାନ-ଇଂଲଣ୍ଡ ମ୍ୟାଚ୍ ଭଳି ଏହି ମ୍ୟାଚ୍ ମଧ୍ୟ ଅଘୋଷିତ ନକ୍ ଆଉଟ୍ । ଆଫଗାନିସ୍ତାନ ଏହି ମ୍ୟାଚ୍ ଜିତିଲେ ସେମିରେ ପ୍ରବେଶ କରିବ । ପରାଜୟ ସତ୍ବେ ଅଷ୍ଟ୍ରେଲିଆର ସେମି ଆଶା ଉଜ୍ଜୀବିତ ରହିଥିବ । ଏହି ଗ୍ରୁପ୍ର ଶେଷ ଲିଗ୍ ମ୍ୟାଚ୍ରେ ଇଂଲଣ୍ଡ ଟେବୁଲ ଟପ୍ପର ଦକ୍ଷିଣ ଆଫ୍ରିକାକୁ ବଡ଼ ବ୍ୟବଧାନରେ ହରାଇ ପାରିଲେ ଅଷ୍ଟ୍ରେଲିଆର ସେମି ଖେଳିବା ସମ୍ଭାବନା ସୃଷ୍ଟି ହୋଇପାରିବ । ଏଭଳି ସ୍ଥଳେ ରନ୍ ରେଟ୍ ନିର୍ଣ୍ଣାୟକ ସାଜିବ ।
ରାୱଲପିଣ୍ଡି ଭଳି ଆଜି ଲାହୋରରେ ମଧ୍ୟ ବର୍ଷା ଆଶଙ୍କା ରହିଛି । ବର୍ଷା ଯୋଗୁଁ ମ୍ୟାଚ୍ ବାତିଲ ହେଲେ ଅଷ୍ଟ୍ରେଲିଆ ସିଧା ସେମି ଫାଇନାଲକୁ ଉନ୍ନୀତ ହେବ ଓ ଆଫଗାନିସ୍ତାନ ଆଶା ମଉଳିଯିବ । ଆଫଗାନିସ୍ତାନ ସୀମିତ ଓଭର କ୍ରିକେଟ୍ରେ ଅଷ୍ଟ୍ରେଲିଆକୁ କଡ଼ା ଟକ୍କର ଦେଉଥିବାରୁ କ୍ରିକେଟ୍ ପ୍ରେମୀ ମଧ୍ୟ ଏହି ମ୍ୟାଚ୍କୁ ନେଇ ବେଶ୍ ଉତ୍ସାହିତ ରହିଛନ୍ତି ।
ଆଜି ମ୍ୟାଚ୍ ଗତ ଦିନିକିଆ ବିଶ୍ୱକପ୍ର ସେହି ମ୍ୟାଚ୍କୁ ମନେ ପକାଇ ଦେଉଛି । ଆଫଗାନିସ୍ତାନ ଉକ୍ତ ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ୫ ୱିକେଟ୍ ବିନିମୟରେ ୨୯୧ରନ ସଂଗ୍ରହ କରିଥିଲା । ଜବାବରେ ଅଷ୍ଟ୍ରେଲିଆ ୯୧ ରନ୍ରେ ୭ଟି ୱିକେଟ୍ ହରାଇ ସାରିଥିଲା । ମାତ୍ର ଗ୍ଲେନ୍ ମ୍ୟାକ୍ସୱେଲ୍ ୩୩ରନ କରିଥିବାବେଳେ ତାଙ୍କର ଏକ କ୍ୟାଚ୍ ହାତଛଡ଼ା କରିଥିଲେ ମୁଜିବ ଉର ରେହମାନ । ଏହାପରେ ମ୍ୟାକ୍ସୱେଲ ବିସ୍ଫୋରକ ବ୍ୟାଟିଂ କରି ଆଫଗାନିସ୍ତାନଠାରୁ ମ୍ୟାଚ୍ ଛଡ଼ାଇ ନେଇଥିଲେ । ସେ ଅପରାଜିତ ୨୦୧ ରନ୍ ସଂଗ୍ରହ କରିଥିଲେ ।
ଆଫଗାନିସ୍ତାନ ଏହି ପରାଜୟକୁ ଭୁଲି ନାହିଁ । ପ୍ରତିଶୋଧ ନେବାର ଉପଯୁକ୍ତ ସମୟ ଆସିଛି । ଇଂଲଣ୍ଡ ବିପକ୍ଷରେ ବିଜୟ ପରେ ଦଳର ମନୋବଳ ମଧ୍ୟ ଦ୍ୱିଗୁଣିତ ରହିଛି । ଇଂଲଣ୍ଡ ବିପକ୍ଷ ମ୍ୟାଚ୍ ଭଳି ପ୍ରଥମେ ବ୍ୟାଟିଂ ସୁଯୋଗ ପାଇଲେ ଆଫଗାନିସ୍ତାନର ବିଜୟ ସମ୍ଭବ ହୋଇପାରିବ । କାରଣ ଅଷ୍ଟ୍ରେଲିଆ ବ୍ୟାଟରଙ୍କୁ ଅଟକାଇବା ଭଳି ବୋଲିଂ ବିଭାଗ ଆଫଗାନିସ୍ତାନ ନିକଟରେ ରହିଛି । ଆଫଗାନିସ୍ତାନକୁ ହାଲ୍କା ଭାବିବା ଅଷ୍ଟ୍ରେଲିଆ ପାଇଁ ବୁମେରାଂ ହୋଇପାରେ ବୋଲି କୁହାଯାଉଛି । କାରଣ ଟି-ଟ୍ୱେଣ୍ଟି ବିଶ୍ୱକପ୍ରେ ଅଷ୍ଟ୍ରେଲିଆକୁ ୨୧ ରନ୍ରେ ହରାଇ ଆଫଗାନିସ୍ତାନ ସେମିରେ ପ୍ରବେଶ କରିଥିଲା । ଆଜି ମଧ୍ୟ ଦଳ ଏଭଳି ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରଖିଛି ।