ଜୟପୁର: ବୈଭବ ସୂର୍ଯ୍ୟବଂଶୀଙ୍କ ଐତିହାସିକ ବିସ୍ଫୋରକ ଶତକ। ୧୪ ବର୍ଷୀୟ ଏହି ବ୍ୟାଟରଙ୍କ ଧୂଆଁଧାର ବ୍ୟାଟିଂରେ ଫିକା ପଡ଼ିଲା ଗୁଜରାଟ ଟାଇଟନ୍ସର ୨୦୯ ବିଶାଳ ରନ। ଆଇପିଏଲ୍ ୨୦୨୫ର ୪୭ତମ ମ୍ୟାଚ୍ରେ ରାଜସ୍ଥାନ ୮ ଓ୍ଵିକେଟ୍ରେ ଗୁଜରାଟ ଟାଇଟନ୍ସକୁ ହରାଇ ଏକତରଫା ବିଜୟ ହାସଲ କରିଛି। ମାତ୍ର ୩୮ ବଲରୁ ୧୦୧ ରନର ଶତକୀୟ ଇନିଂସ ଖେଳି ଦଳକୁ ଜିତାଇଛନ୍ତି ବୈଭବ ସୂର୍ଯ୍ୟବଂଶୀ। ବିଜୟ ସହ ରାଜସ୍ଥାନର ପ୍ଲେ ଅଫ୍ ଆଶା ଉଜ୍ଜିବୀତ ରହିଛି। ଗୁଜରାଟ ନବମ ମ୍ୟାଚ୍ରୁ ତୃତୀୟ ପରାଜୟ ଭୋଗିଛି। ପ୍ରଥମେ ବ୍ୟାଟିଂ କରିଥିବା ଗୁଜରାଟ ୪ ଓ୍ଵିକେଟ୍ ହରାଇ ୨୦୯ ରନ କରିଥିଲା। ଅଧିନାୟକ ଶୁଭମନ ଗିଲ୍ ୮୪ ରନ ଓ ଜୋସ୍ ବଟଲର ୫୦ ରନର ଅପରାଜିତ ଇନିଂସ ଖେଳିଥିଲେ। ଜବାବରେ ରାଜସ୍ଥାନ ମାତ୍ର ୧୫.୫ ଓଭରରେ ୨ ଓ୍ଵିକେଟ୍ ହରାଇ ମ୍ୟାଚ୍କୁ ଜିତି ନେଇଛି। ବୈଭବଙ୍କ ଶତକ ବ୍ୟତୀତ ଯଶସ୍ଵୀ ଜୟସ୍ଵାଲ ୭୦ ରନର ଅପରାଜିତ ଇନିଂସ ଖେଳିଛନ୍ତି।
୨୧୦ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ରାଜସ୍ଥାନ ରୟାଲ୍ସର ଦୁଇ ଓପନର ଏମିତି ବ୍ୟାଟିଂ କରିବେ କେହି ବୋଧହୁଏ ଆଶା କରି ନ ଥିବେ। ବିଶେଷ କରି ବୈଭବ ସୂର୍ଯ୍ୟବଂଶୀ ଆରମ୍ଭରୁ ଗୁଜରାଟ ବୋଲରଙ୍କୁ ପ୍ରହାର କରିଥିଲେ। ସେ ମାତ୍ର ୧୭ ବଲରୁ ଚଳିତ ଆଇପିଏଲ୍ରେ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିଥିଲେ। ସବୁ ବୋଲରଙ୍କୁ ଛକା ଓ ଚୌକା ବର୍ଷା କରି ଚାଲିଥିଲେ। ଅନ୍ୟପଟୁ ଜୟସ୍ଵାଲ ତାଙ୍କୁ ଉତ୍ତମ ସହାୟତା ଦେଇଥିଲେ। ଦେଖୁ ଦେଖୁ ସୂର୍ଯ୍ୟବଂଶୀ ଆଇପିଏଲ୍ ଇତିହାସରେ ଦ୍ଵିତୀୟ ଦ୍ରୁତ ତମ ଶତକ ହାସଲ କରିଛନ୍ତି। ସେ ମାତ୍ର ୩୫ ବଲରୁ ୭ ଚୌକା ଓ ୧୧ ଛକା ଜରିଆରେ ୧୦୧ ରନ କରିଥିଲେ।
ବୈଭବ ଓ ଜୟସ୍ଵାଲ ମାତ୍ର ୧୧.୫ ଓଭରରେ ୧୬୬ ରନ ଯୋଡ଼ି ଦଳର ବିଜୟ ସୁନିଶ୍ଚିତ କରିଥିଲେ। ବିଜୟର ବାକି ଔପଚାରିକତା ପୂରା କରିଥିଲେ ଜୟସ୍ଵାଲ ଓ ରିୟାନ ପରାଗ। ଜୟସ୍ଵାଲ ୪୦ ବଲରୁ ୯ ଚୌକା ଓ ୨ ଚକା ସହ ୭୦ ରନ ଓ ରିୟାନ ପରାଗ ୧୫ ବଲରୁ ୩୨ ରନ କରି ଅପରାଜିତ ଥିଲେ। ବୈଭବ ନିଜ ଇନିଂସରେ କରିମ ଜନତଙ୍କ ଗୋଟିଏ ଓଭରରେ ୩୦ ରନ ସଂଗ୍ରହ କରିଥିଲେ। ବୈଭବ ନିଜ ଇନିଂସରେ ଅନେକ ରେକର୍ଡ କରିବା ସହ ଇତିହାସ ରଚିଛନ୍ତି।
Also read: ସୂର୍ଯ୍ୟଙ୍କ ପରି ଚମକିଲେ ସୂର୍ଯ୍ୟବଂଶୀ: ସର୍ବକନିଷ୍ଠ ବ୍ୟାଟର ଭାବେ ଟି-୨୦ ଓ IPLରେ ଭାଙ୍ଗିଲେ ବିଶ୍ୱ ରେକର୍ଡ
ଗୁଜରାଟ ଟସ୍ ହାରିବା ପରେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲେ ଶୁବମନ ଗିଲ୍ ଓ ସାଇ ସୁଦର୍ଶନ । ପୂର୍ବ ଭଳି ଦୁଇ ଓପନର ଟାଇଟନ୍ସକୁ ଭଲ ଷ୍ଟାର୍ଟ ଦେଇଥିଲେ । ସୁଦର୍ଶନ ୩୦ ବଲରେ ୩୯ ରନ୍ କରି ଆଉଟ୍ ହୋଇଥିଲେ । ପୁନର୍ବାର ସେ ଅରେଞ୍ଜ କ୍ୟାପକୁ ନିଜ ପାଖରେ ରଖିଛନ୍ତି । ପ୍ରଥମ ଓ୍ବିକେଟରେ ଗିଲଙ୍କ ସହ ୯୩ ରନ୍ର ଭାଗିଦାରୀ କରିଥିଲେ । ଏହା ପରେ ଅଧିନାୟକ ଶୁବମନ ଗିଲ୍ ୫୦ ବଲ୍ରେ ପାଞ୍ଚ ଚୌକା ଓ ଚାରି ଛକା ସହାୟତାରେ ୮୪ ରନ୍ କରିଥିଲେ । ଏହା ପରେ, ପରେ ଓ୍ବାଶିଂଟନ ସୁନ୍ଦର ୧୩ ଓ ରାହୁଲ ତେଓ୍ବତିଆ ୯ ରନ୍ କରି ପାଭେଲିୟନକୁ ଫେରିଥିଲେ । ହେଲେ ଜୋଶ୍ ବଟଲର ଶେଷ ପର୍ଯ୍ୟନ୍ତ ରହିଥିଲେ । ସେ ଅପରାଜିତ ରହି ମାତ୍ର ୨୬ ବଲରେ ୫୦ ରନ୍ର ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ । ଫଳରେ ଦଳ ରାଜସ୍ଥାନ ରୟାଲ୍ସକୁ ୨୧୦ ରନ୍ର ଟାର୍ଗେଟ୍ ଦେଇଥିଲା।