ନୂଆଦିଲ୍ଲୀ ୧୫।୨: ସମୟ ରୈନାଙ୍କ ସୋ ଇଣ୍ଡିଆଜ ଗଟ ଲେଟେଣ୍ଟ ରେ ଅଭିଭାକଙ୍କ ଉପରେ ଅଭଦ୍ର ଟିପ୍ପଣୀ ସମ୍ପର୍କିତ ବିବାଦ ପରେ ରଣବୀର ଆଲ୍ଲହବାଦିଆ ସମେତ ଅନ୍ୟମାନଙ୍କ ବିରୋଧରେ ଏଫଆଇର ରୁଜୁ ହୋଇଛି। ଏ ନେଇ ଆଲ୍ଲହବାଦିଆଙ୍କୁ ଦୁଇଟି ସମନ କରାଯାଇଥିଲେ ମଧ୍ୟ ତାଙ୍କର କୌଣସି ଖୋଜଖବର ମିଳୁ ନାହିଁ। ତାଙ୍କ ଫୋନ ସ୍ୱିଚ୍ ଅଫ ଥିବାବେଲେ ସେ ଘରେ ମଧ୍ୟ ନାହାନ୍ତି। ତାଙ୍କର ଫେରାର ହେବାର ଖବର ମଧ୍ୟରେ ଏବେ ରଣବୀର ଆଲ୍ଲହବାଦିଆ ତାଙ୍କ ଇଂଷ୍ଟାଗ୍ରାମ ହ୍ୟାଣ୍ଡେଲରେ ସଫେଇ ଦେଇଛନ୍ତି।
ସେ ଇଂଷ୍ଟାରେ ଉଲ୍ଲେଖ କରିଛନ୍ତି ଯେ ସେ ଫେରାର ହୋଇ ନାହାନ୍ତି, ସେ ପୋଲିସକୁ କୋ-ଅପରେଟ କରୁଛନ୍ତି। ସେ କହିଛନ୍ତି ଯେ ପୋଲିସ ଓ ଦେଶର ନ୍ୟାୟ ବ୍ୟବସ୍ଥା ଉପରେ ମୋର ପୂର୍ଣ୍ଣ ଭରସା ରହିଛି। ତେବେ ମୋତେ ଜୀବନରେ ମାରିଦେବାକୁ ଓ ପରିବାରକୁ ଆଘାତ କରିବାକୁ ଧମକ ମିଳୁଛି। ରଣବୀର ତାଙ୍କ ଇଂଷ୍ଟାରେ ଲେଖିଛନ୍ତି ଯେ ମୁଁ ଓ ମୋର ବାକି ଟିମ୍ ପୋଲିସ ଓ ଅନ୍ୟ ସବୁ ଏଜେନ୍ସୀଙ୍କ ସହିତ ସହଯୋଗ କରୁଛନ୍ତି। ମୁଁ ଉଚିତ ପ୍ରକ୍ରିୟାର ପାଳନ କରିବି ଓ ସବୁ ଏଜେନ୍ସୀଙ୍କୁ ତଦନ୍ତରେ ସହଯୋଗ କରିବି।
ସେ ପ୍ୟାରେଣ୍ଟସଙ୍କୁ ନେଇ ଦେଇଥିବା ମନ୍ତବ୍ୟ ପାଇଁ କ୍ଷୋଭ ପ୍ରକାଶ କରି ଲେଖିଛନ୍ତି ଯେ ‘ପ୍ୟାରେଣ୍ଟଙ୍କୁ ନେଇ ଦେଇଥିବା ଟିପ୍ପଣୀ ଅସମ୍ବେଦନଶୀଳ ଓ ଅପମାନଜନକ ଥିଲା। ମୋର ନୈତିକ ଦାୟିତ୍ୱ ଠିକ୍ କରେ ଓ ଏଥି ପାଇଁ ବାସ୍ତବରେ ମୁଁ କ୍ଷମାଯାଚନା କରୁଛି’। ଏଥିରେ ରଣବୀର ତାଙ୍କୁ ମିଳୁଥିବା ଧମକ ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିଛନ୍ତି। ସେ ଲେଖିଛନ୍ତି ‘ମୋତେ ଲୋକଙ୍କଠୁ ଜୀବନରେ ମାରିଦେବାକୁ ଧମକ ମିଳୁଛି। ସେମାନେ ମୋତେ ଜୀବନରେ ମାରିଦେବାକୁ ଓ ମୋ ପରିବାରର କ୍ଷତି କରିବାକୁ ଚାହୁଁଛନ୍ତି। କିଛି ଲୋକ ମୋ ମାଙ୍କ କ୍ଲିନିକକୁ ପେସେଣ୍ଟ ହୋଇ ଆସିଥିଲେ। ଏଥି ପାଇଁ ମୁଁ ବହୁତ ଭୟଭୀତ ଓ ଜାଣି ପାରୁନାହିଁ କଣ କରିବି’ ବୋଲି ଲେଖିଛନ୍ତି।
ଶେଷରେ ରଣବୀର ଲେଖିଛନ୍ତିଯେ ମୁଁ ପଳାୟନ କରୁ ନାହିଁ। ମୋର ପୋଲିସ ଓ ଦେଶର ନ୍ୟାୟ ବ୍ୟବସ୍ଥା ଉପରେ ସମ୍ପୂର୍ଣ୍ଣ ଭରସା ରହିଛି। ଉଲ୍ଲେଖଯୋଗ୍ୟ ଯେ ସମୟ ରୈନାଙ୍କ କମେଡି ସୋ ‘ଇଣ୍ଡିଆ ଗଟ ଲେଟେଣ୍ଟ’ରେ ଅନ୍ୟମାନଙ୍କ ସହିତ ରଣବୀର ଆଲ୍ଲହବାଦିଆ ମଧ୍ୟ ଜଜ୍ ପ୍ୟାନେଲରେ ଥିଲେ, ଯେଉଁଥିରେ ସେ ଜଣେ କଣ୍ଟେଷ୍ଟାଣ୍ଟଙ୍କୁ ପ୍ୟାରେଣ୍ଟଙ୍କ ଇଣ୍ଟିମେସିକୁ ନେଇ ଅପମାନଜନକ ପ୍ରଶ୍ନ କରିଥିଲେ। ଏହା ପରେ ଏହି ମାମଲା ବିବାଦୀୟ ହୋଇଥିଲା ଓ ରଣବୀର, ସମୟ ରୈନା ଓ ଅପୂର୍ବା ମଖିଜା ସମେତ କେତେକ ଲୋକଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା।