ନୂଆଦିଲ୍ଲୀ ୭/୨: ଦିବଂଗତ ରତନ ଟାଟାଙ୍କ ୱିଲରେ ସାମ୍ନାକୁ ଆସିଲା ଚକିତ କଲା ଭଳି ନାଁ । ମୋହିନୀ ମୋହନ ଦତ୍ତଙ୍କ ପାଇଁ ରତନ ଛାଡିଗଲେ ୫ଶହ କୋଟି । ଜାମସେଦପୁରରେ ରହୁଥିବା ମୋହନ, ଟ୍ରାଭେଲ ସେକ୍ଟର ସହ ଜଡିତ । ରତନ ଟାଟା ନିଜ ସଂପତ୍ତିର ଅଧିକ ଭାଗ ଅର୍ଥାତ ପ୍ରାୟ ୫ଶହ କୋଟିରୁ ଅଧିକ ଟଙ୍କା ଏମିତି ଜଣେ ବ୍ୟକ୍ତିଙ୍କ ପାଇଁ ଛାଡିଯାଇଛନ୍ତି ଯାହାଙ୍କ ବିଷୟରେ ବହୁତ କମ୍ ଲୋକ ଜାଣନ୍ତି ।
ସୂଚନା ମୁତାବକ ରତନ ଟାଟା ନିଜ ସଂପତ୍ତିରୁ ମୋହିନୀ ମୋହନ ଦତ୍ତାଙ୍କ ପାଇଁ ୫ଶହ କୋଟିରୁ ଅଧିକ ୱିଲ କରିଛନ୍ତି । ବହୁତ କମ୍ ଲୋକ ରତନ ଟାଟା ଓ ଦତ୍ତାଙ୍କ ସଂପର୍କ ବିଷୟରେ ଜାଣିଥିଲେ । ଏ ଖବର ଟାଟା ପରିବାର ପାଇଁ ବି ଚକିତ କଲା ଭଳି ଖବର ।
ଜାମସେଦପୁର ନିବାସୀ ମୋହିନୀ ମୋହନ । ସେ ଏକ ଟ୍ରାଭେଲ ଏଜେନ୍ସିରେ କାମ କରନ୍ତି । ତାଙ୍କୁ ଏତେ ପରିମାଣର ଟଙ୍କା ମିଳିବା କୌଣସି କାହାଣୀ ପରି ମନେ ହେଉଛି । ଦତ୍ତାଙ୍କ ପରିବାର ଷ୍ଟାଲିଅନ ନାମରେ ଏକ ଟ୍ରାଭେଲ ଏଜେନ୍ସି ଚଲାଉଥିଲେ। ୨୦୧୩ରେ ଏହା ତାଜ୍ ସର୍ଭିସେସ ସହ ମିଶିଯାଇଥିଲା । ଯାହା ତାଜ ଗ୍ରୁପ ଅଫ ହୋଟେଲର ଅଂଶ ଅଟେ । ଷ୍ଟାଲିଅନ ଉପରେ ମୋହିନୀ ଓ ତାଙ୍କ ପରିବାରର ୮୦ ପ୍ରତିଶତ ସେୟାର ଥିଲା । ଆଉ ବାକି ୨୦ ପ୍ରତିଶତ ଟାଟା ଇଣ୍ଡଷ୍ଟ୍ରିଜ ପାଖରେ ଥିଲା । ମୋହିନୀ ଟିସି ଟ୍ରାଭେଲ ସର୍ଭିସର ଡାଇରେକ୍ଟର ବି ଥିଲେ ।
ରତନ ଟାଟାଙ୍କ ପାଖଲୋକଙ୍କ କହିବା କଥା ଦତ୍ତ ତାଙ୍କ ପୁରୁଣା ସାଂଗ ଥିଲେ । ରତନଙ୍କ ପରିବାର ସହ ସଂପର୍କୀୟ ଦତ୍ତଙ୍କୁ ଜାଣିଥିଲେ । ତେବେ ଟାଟା ତାଙ୍କ ନାଁରେ କରିଥିବା ୫ଶହ କୋଟିର ୱିଲକୁ ନେଇ କିଛି ପ୍ରତିକ୍ରିୟା ରଖିନାହାନ୍ତି ଦତ୍ତ। ତେବେ ଦତ୍ତଙ୍କ ୨ ଝିଅଙ୍କ ମଧ୍ୟରୁ ଜଣେ ୨୦୨୪ ଯାଏ ୯ ବର୍ଷ ଧରି ଟାଟା ଟ୍ରଷ୍ଟରେ କାମ କରିଛନ୍ତି । ୟା ପୂର୍ବରୁ ସେ ତାଜ ହୋଟେଲରେ ମଧ୍ୟ କାମ କରିସାରିଛନ୍ତି ।
ସୂଚନା ଅନୁସାରେ ଦତ୍ତ ନିଜକୁ ଟାଟା ପରିବାରର ବେଶ ଘନିଷ୍ଠ ବୋଲି କହିଥାନ୍ତି । ୨୦୨୪ ଅକ୍ଟୋବରରେ ରତନ ଟାଟାଙ୍କ ଅନ୍ତିମ ସଂସ୍କାର ବେଳେ ଦତ୍ତଙ୍କ ମନ୍ତବ୍ୟ ସାମ୍ନାକୁ ଆସିଥିଲା । ସେ କହିଥିଲେ ରତନଙ୍କୁ ସେ ପ୍ରଥମ ଥର ଜାମସେଦପୁରର ଡିଲର୍ସ ହୋଟେଲରେ ସାକ୍ଷାତ କରିଥିଲେ ।ସେତେ ବେଳେ ରତନ ଟାଟାଙ୍କ ବୟସ ମାତ୍ର ୨୪ ବର୍ଷ ଥିଲା । ସେ ଆହୁରି କହିଥିଲେ ରତନ ମୋତେ ସାହଯ୍ୟ କରିଥିଲେ ଓ ଆଗକୁ ବଢିବାକୁ କହିଥିଲେ । ପ୍ରାୟ ୬୦ ବର୍ଷ ଧରି ପରସ୍ପରକୁ ଜାଣିଥିବା ଦାବି କରିଥିଲେ ଦତ୍ତ।