ଶାବର ଶ୍ରୀକ୍ଷେତ୍ରରେ ଗୁଣ୍ଡିଚା ଯାତ୍ରା, ପହଣ୍ଡି ସହ ମହିଳା ଟାଣିଲେ ମା ସୁଭଦ୍ରାଙ୍କ ରଥ

Published By : Prameya-News7 Bureau | July 07, 2024 IST

କୋରାପୁଟ: ଶାବର ଶ୍ରୀକ୍ଷେତ୍ରର ବଡ଼ଦାଣ୍ଡରେ ଗଡ଼ିଲା ତିନି ରଥ। ପାରମ୍ପରିକ ପରମ୍ପରା ଅନୁଯାୟୀ ନୀତି କାନ୍ତି ସରିବା ପରେ ଆରମ୍ଭ ହୋଇଥିଲା ରଥଟଣା। ରଥଯାତ୍ରା ଦେଖିବାକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସହ ଅବିଭକ୍ତ କୋରାପୁଟ ଜିଲ୍ଲାର ଆଦିମ ଜନଜାତି ମଧ୍ୟ ବିପୁଳ ସଂଖ୍ୟାରେ ଉପସ୍ଥିତ ରହିଥିଲେ। ନିର୍ଘଣ୍ଟ ସମୟ ମଧ୍ୟରେ ଧାଡ଼ି ପହଣ୍ଡିରେ ଚତୁର୍ଦ୍ଧାମୂର୍ତ୍ତି ବଡ଼ଦାଣ୍ଡରେ ପହଞ୍ଚିଥିଲେ। 

ମା ସୁଭଦ୍ରାଙ୍କୁ ମହିଳାମାନେ ପହଣ୍ଡି କରି ଆଣିଥିବାବେଳେ ରଥକୁ ମଧ୍ୟ ମହିଳା ଭକ୍ତ ଟାଣିଥିଲେ। ପରମ୍ପରା ଅନୁସାରେ ତିନି ରଥକୁ ଜିଲ୍ଲାର ତିନି କୋଣରୁ ତିନି ଆଦିବାସୀ ମୁଖିଆ ଛେରାପହଁରା କରିଥିଲେ। ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଆଦିବାସୀମାନେ ପହିଲି ଭୋଗ ଲାଗି କରିଥିଲେ। ଆଉ ବଡ଼ଦାଣ୍ଡରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦେଖି ଭକ୍ତ ଭାବ ବିହ୍ଵଳିତ ହୋଇପଡ଼ିଥିଲେ।

ପ୍ରବଳ ଜନସମାଗମ ଦେଖି ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। କୋରାପୁଟ ଜିଲ୍ଲାପାଳ ସହ ଏସପି ସମସ୍ତ ବ୍ୟବସ୍ଥା ନିଜେ ତଦାରଖ କରୁଥିବା ମଧ୍ୟ ଦେଖିବାକୁ ମିଳିଛି। ହରିବୋଲ ହୁଳହୁଳି ଓ ଘଣ୍ଟ ମୃଦଙ୍ଗ ବାଦ୍ୟରେ ଶାବର ଶ୍ରୀକ୍ଷେତ୍ର ବଡ଼ଦାଣ୍ଡରେ ସୃଷ୍ଟି ହୋଇଛି ଭକ୍ତିମୟ ପରିବେଶ।

  • Ratha Yatra 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.