ଚଳଚଞ୍ଚଳ ରଥଖଳା...ତିନି ରଥରେ ଉଠିଲା ୧୨ ଦୁଆର ଘଡ଼ା

Published By : Prameya-News7 Bureau | July 02, 2024 IST

ପୁରୀ ୦୨।୦୬: ସୋମବାର ତିନି ରଥରେ ୧୨ ଦୁଆର ଘଡ଼ା ଉଠାଇଛନ୍ତି ନିର୍ମାଣକାରୀ । ବାଉଁଶ ତେଣ୍ଟିଆ ଓ ଦଉଡ଼ି ସାହାଯ୍ୟରେ ଦୁଆର ଘଡ଼ା ଉଠାଯିବା ଦୃଶ୍ୟ ଆଖି ଖୋସିହେଲା ଭଳି। ନିର୍ମାଣକାରୀଙ୍କ ଶରୀରରେ ଅମାପ ଶକ୍ତି ଭରିଛନ୍ତି ଠାକୁରେ । ପୁଣି ରଥ ନିର୍ମାଣ ଶୈଳୀ ଆହୁରି ଆଶ୍ଚର୍ଯ୍ୟପ୍ରଦ। ବିଶ୍ୱକର୍ମାଙ୍କ ନିର୍ଦ୍ଦେଶକ୍ରମେ ଦୁଆର  ଘଡ଼ା ଉଠାଇଥିଲେ ଭୋଇ ସେବକ। ଦୁଆର ଘଡ଼ା ଉଠାଇବା ପରେ ଭୋଇସେବକଙ୍କ ହରିବୋଲ   ଧ୍ୱନିରେ କମ୍ପିଥିଲା ରଥଖଳା। ଏବେ କେବଳ ରଥ ଉପରେ କାମ। ଏଣୁ ସୋମବାର ଅପରାହ୍ନରେ ରଥ ଚାଳି ଖୋଲାଯାଇଛି।  

ସେପଟେ ରଥରେ ଠାକୁରଙ୍କ ସିଂହାସନ କାମ ଜାରି ରହିଛି । ଠାକୁରଙ୍କ ଅବସ୍ଥାନ ପାଇଁ ଚକା(ସିଂହାସନ ପିଣ୍ଡି) ତିଆରି ସରିଛି । ଏବେ  ପ୍ରଭା କାମ ଚାଲିଛି । ବିଶ୍ୱକର୍ମାମାନେ ପ୍ରଭା କାମ  ସାରି ରୂପକାରଙ୍କୁ ଦେଲେ । ଏଥିରେ ରୂପକାର   କିର୍ତ୍ତୀମୁଖ ଓ ଡ଼ାଳିଲତା ଖୋଦେଇ କରୁଛନ୍ତି ।  ପ୍ରଭା ହେଉଛି ସିଂହାସନର ଏକ ଅଂଶ ।  ରଥରେ ଧୂଳି ଦଣ୍ଡା ଲାଗିଛି । ପ୍ରଭା ପଛରେ  ରହିବ ଧୂଳି ଦଣ୍ଡା । ଠାକୁରଙ୍କ ଆସ୍ଥାନ ହେଉଛି  ୪ ସ୍ତରୀୟ । ପଟା ଉପରେ ସିଂହାସନ ତିଆରି ହେବ। ତା’ଉପରେ ରହିବ ବେଦୀ । ବେଦୀ  ଉପରେ ରହିବ ଚକା । ଶ୍ରୀବିଗ୍ରହ ପ୍ରଭାଙ୍କୁ ଆଉଜି ଚକା ସିଂହାସନରେ ବିଜେ ହେବେ । ଶ୍ରୀଜଗନ୍ନାଥଙ୍କ   ପ୍ରଭାର ଆକାର ସବୁଠାରୁ ବଡ଼ । ଶ୍ରୀବଳଭଦ୍ରଙ୍କ   ତା’ଠାରୁ ସାନ ଓ ଭଉଣୀ ଦେବୀ ସୁଭଦ୍ରାଙ୍କ  ତା’ଠାରୁ ଛୋଟ ପ୍ରଭା ।   ଶ୍ରୀମନ୍ଦିର ବରିଷ୍ଠ ତତ୍ତ୍ୱାବଧାରକ  ସୁଦର୍ଶନ ମେକାପଙ୍କ ତତ୍ତ୍ୱାବଧାନରେ ବିଶ୍ୱକର୍ମା,  ଭୋଇସେବକ, କରତିସେବକ, ଓଝା ସେବକ,  ରୂପକାର ଆଦି ସେବକଙ୍କ ମଧ୍ୟରେ ସମନ୍ୱୟ  ରହି ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି। ଦୋଳବେଦିରେ କମାର ସେବକଙ୍କ ପ୍ରାୟତଃ ଶେଷ   ହେବା ଉପରେ । ରଥକୁ ଆବଶ୍ୟକ ଲୁହା ସାମଗ୍ରୀ ଯୋଗାଉଛନ୍ତି । ଆଗକୁ ଧ୍ୱଜପତା, ଠେକରା ବାଡ, ପାଶ୍ୱର୍ଦେବାଦେବୀ, ଓଲଟଶୁଆ, କଳସ ଆଦି ରଥରେ  ସ୍ଥାପନ ହେବ । ଦର୍ଜୀ ସେବକମାନେ ଶ୍ରୀମନ୍ଦିର  କାର୍ଯ୍ୟାଳୟରେ କନାମଣ୍ଡଣୀ କାର୍ଯ୍ୟରେ ବ୍ୟସ୍ତ  ରହିଛନ୍ତି । ଚିତ୍ରକର ସେବକମାନେ ରଥର ବିଭିନ୍ନ  ଅଂଶକୁ ରଙ୍ଗ ଦେଇ ସୌନ୍ଦର୍ଯ୍ୟପୂର୍ଣ୍ଣ କରୁଛନ୍ତି ।  ରଥରେ ଗାଈପଲ, ସଖୀ, କନ୍ୟାପଟା, ପାଶ୍ୱର୍  ଦେବାଦେବୀଙ୍କୁ ରଙ୍ଗ ଦେଇ ଜୀବନ୍ତ କରୁଛନ୍ତି ।

  • puri
  • Deva Snana Purnima 2024
  • Ratha Yatra 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.