ପାଖେଇ ଆସୁଛି ରଥଯାତ୍ରା, ରଥତ୍ରୟରେ ଦିଆଯାଉଛି ଶେଷ ସ୍ପର୍ଶ

Published By : Prameya-News7 Bureau | July 04, 2024 IST

ପୁରୀ ୦୪।୦୭ : ମହାପ୍ରଭୁଙ୍କ ବିଶ୍ୱ ପ୍ରସଦ୍ଧ ରଥ ଯାତ୍ରାକୁ ରହିଲା ଆଉ ମାତ୍ର ୩ ଦିନ। ଏଣୁ ରଥତ୍ରୟରେ ଦିଆଯାଉଛି ଶେଷ ସ୍ପର୍ଶ । ବୁଧବାର ନିର୍ମାଣକାରୀ ରଥରେ କଳସ ଉଠାଇଛନ୍ତି । ଏଥିସହ ଅଁଳା ଏବଂ ଓଲଟଶୁଆ ସ୍ଥାପନ କରାଯାଇଛି। ତିନି ରଥରେ ତିନୋଟି କଳସ ଓ ୬ ଗୋଟି ଓଲଟଶୁଆ ସ୍ଥାପନ କରାଯାଇଛି । ମହାପ୍ରଭୁଙ୍କ ରଥରେ କଳସ ଉଠାଇବା ପରେ ଅଷ୍ଟମ ଥର ପାଇଁ ହରିବୋଲି ଧ୍ୱନୀ ଦେଇଛନ୍ତି ଭୋଇ ସେବକ। ରଥରେ କନ୍ୟା ପଟା ଓ ହଂସ ପଟା ଲାଗିଛି। ସେହିପରି ରଥରେ କନାମଣ୍ଡଣି ଆରମ୍ଭ ହୋଇଛି।  

ରଥ ତ୍ରୟରେ ଲାଗିଛି ୩୨ କନ୍ୟା ପଟା । ଚକ ଅନୁଯାୟୀ ଲାଗିଛି କନ୍ୟା ପଟା । କେବଳ ନାହାକା ଚକ ସମ୍ମୁଖରେ କନ୍ୟା ପଟା ଲାଗିନଥାଏ । ନନ୍ଦିଘୋଷରେ ୪ଟି ନାହାକା ଚକ। ଏଣୁ ୧୬ ଚକ ମଧ୍ୟରୁ ୧୨ଟି ଚକ ଅନୁସାରେ କନ୍ୟା ପଟା ଲାଗିଛି । ତାଳଧ୍ୱଜ ରଥର ୧୪ଟି ଚକରୁ ୨ଟି ନାହାକାକୁ ଛାଡ଼ି ୧୨ଟି କନ୍ୟା ପଟା ଲଗାଯାଇଛି । ଦର୍ପଦଳନ ରଥର ୪ ନାହାକା  ଚକ ଥିବାରେ ୧୨ଟି ଚକ ସ୍ଥାନରେ ଲାଗିଛି ୮ଟି କନ୍ୟା ପଟା। ଗୟଳ  ଓ କୁଡ଼ୁକାକୁ ମିଶାଇ କନ୍ୟା ପଟା  ପିଟାଯାଇଛି । ରଥ କାର୍ଯ୍ୟ ସାରିବାକୁ ଚିତ୍ରକର, ରୂପକାର ଓ ଦର୍ଜୀଙ୍କ କାର୍ଯ୍ୟ  ଯୋରଦାର ଚାଲିଛି । ରୂପକାରଙ୍କ ପ୍ରଭା ଖୋଦେଇ କାର୍ଯ୍ୟ ପ୍ରାୟ ଶେଷ ।   

ଶ୍ରୀମନ୍ଦିର ନୂତନ କାର୍ଯ୍ୟାଳୟ ତଳମହଲାରେ ଚିତ୍ରକର କାର୍ଯ୍ୟ ସାରୁଛନ୍ତି । ପାଶ୍ୱର୍ଦେବାଦେବୀ, ସଖୀ, ଶିଖରଡ଼ମ୍ବରୁ  ଚିତ୍ର ସରୁଛି। ତିନି ରଥରେ ଶିଖରଡମ୍ୱରୁ ଲଗାଯିବା ପରେ ୨୭ ପାଶ୍ୱର୍ଦେବାଦେବୀଙ୍କୁ ସ୍ଥାପନ କରାଯିବ। ୧୨ ଅଶ୍ୱରେ ରଙ୍ଗ ଦିଆ ଚାଲିଛି । ରଥରେ ଧ୍ୱଜବତା ଓ କଣଫାଉଡା ଲଗାଯାଇଛି। କଣଫାଉଡ଼ାରେ ମଣ୍ଡଣି ବତା ଲଗାଯାଇଛି । ଏହାଦ୍ୱାରା ରଥ ହୃଷ୍ଟପୃଷ୍ଠ  ଓ ସୁନ୍ଦର ହେବ । ତିନି ରଥରେ କନାମଣ୍ଡଣି ଚାଲିଛି ।  ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଦର୍ଜୀ ସେବକ କନା ସିଲାଇରେ ବ୍ୟସ୍ତ ରହିଛନ୍ତି । ମଣ୍ଡଣି କନାକୁ କୋଠସୁଆଁସିଆ ସେବକମାନେ ରଥରେ ଲଗାଇବେ । ରଥକାମ ଶେଷ ହେବା ପୂର୍ବରୁ ପିତ୍ତଳର ଅଳଙ୍କାରମାନ ଲଗାଯିବ ।

 

  • Ratha Yatra 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.