ରଥଯାତ୍ରାରେ ଟ୍ରାଫିକ୍ ସୁପରିଚାଳନା କରିବ AI, ବିଭିନ୍ନ ସୂଚନା ପାଇଁ ହ୍ବାଟ୍ସଆପ୍ ଚାଟ୍‌ର ବ୍ୟବସ୍ଥା

Published By : Prameya-News7 Bureau | July 06, 2024 IST

ପୁରୀ ୬।୭ବିଶ୍ବ ପ୍ରସିଦ୍ଧ ରଥଯାତ୍ରାର ଟ୍ରାଫିକ ସୁପରିଚାଳନା କରିବ AI ବା ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସି । ରଥଯାତ୍ରାରେ ସାମିଲ ହେବା ପାଇଁ ଆସିବାକୁ ଥିବା ଭକ୍ତଙ୍କ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ଟ୍ରାଫିକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ପ୍ରଥମଥର ଏଆଇ ଟେକ୍ନୋଲୋଜିରେ ଡ୍ରୋନ୍ ବ୍ୟବହାର କରାଯାଇ ଟ୍ରାଫିକ୍ ବ୍ୟବସ୍ଥାକୁ ସୁପରିଚାଳନା କରାଯିବ । ଲୋକଙ୍କୁ ସୂଚନା ଦେବା ପାଇଁ ପୁରୀ-ଭୁବନେଶ୍ବର ଜାତୀୟ ରାଜପଥର ପିପିଲି ଟୋଲ୍ ଗେଟ୍, ମାଳତୀପାଟପୁର ଏବଂ ଅନ୍ୟାନ୍ୟ ପ୍ରମୁଖ ସ୍ଥାନଗୁଡିକରେ ବଡ଼ ଏଲଇଡି ସ୍କ୍ରିନର ବ୍ୟବସ୍ଥା କରାଯିବ । ଏହା ମାଧ୍ୟମରେ ପୁରୀକୁ ଆସୁଥିବା ଭକ୍ତମାନେ କେଉଁ ସ୍ଥାନରେ ପାର୍କିଂ କରିବେ, ଟ୍ରାଫିକର ସ୍ଥିତି କ'ଣ ରହିଛି, କେଉଁ ରାସ୍ତା ଦେଇ ଯିବେ ସେନେଇ ସମ୍ପୂର୍ଣ୍ଣ ସୂଚନା ପ୍ରଦାନ କରାଯିବ । 


ସେହିପରି ୨୪ ଘଣ୍ଟିଆ ଟୋଲ୍ ଫ୍ରି ନମ୍ବର ମଧ୍ୟ ପୋଲିସ ପକ୍ଷରୁ କାର୍ଯ୍ୟକାରୀ କରାଯାଇଛି। ଚଳିତ ବର୍ଷ ଭକ୍ତ ଏବଂ ଯାତ୍ରୀଙ୍କୁ ସହାୟତା ଏବଂ ସୂଚନା ପ୍ରଦାନ ପାଇଁ ହ୍ବାଟ୍ସ ଆପ ଚାଟ୍ର ବ୍ୟବସ୍ଥା ରହିଥିବା ବେଳେ ଲୋକେ କ୍ୟୁ ଆର୍ କୋଡ୍ ସ୍କାନ୍ କରି ସମ୍ପୂର୍ଣ୍ଣ ସୂଚନା ପାଇପାରିବେ । 

ପୁରୀକୁ ଆସୁଥିବା ବସ୍ ଗୁଡିକ ପାଇଁ ୪ ଟି ପାର୍କିଂସ୍ଥଳର ବ୍ୟବସ୍ଥା ହୋଇଛି। ମାଳତୀପାଟପୁର, ତାଳବଣିଆ, ଫ୍ଲୋରିସ ଇଣ୍ଡିଆ ଏବଂ ନାଗପାଟଣାରେ ବସ୍ ପାର୍କିଂ ପାଇଁ ବ୍ୟବସ୍ଥା ହୋଇଛି। ଚାରିଚକିଆ ଓ ହାଲୁକା ଯାନ ଯାନ ପାଇଁ ୧୧ଟି ପାର୍କିଂ ସ୍ଥଳ ଚିହ୍ନଟ ହୋଇଛି। ସଂସ୍କୃତ ବିଶ୍ଵବିଦ୍ୟାଳୟ, ଆଇଟିଆଇ କଲେଜ, ହର୍ଟିକଲ୍ଚର, ତାଳବଣିଆ ଫିସ୍ ମାର୍କେଟ, ଯାତ୍ରୀକା, ନାଲି ଫିଲ୍ଡ, ଜେବିପିସି, ଛପନ ଛକ ଏବଂ ସମଙ୍ଗରେ ପାର୍କିଂ ବ୍ୟବସ୍ଥା କରାଯାଇଛି। ଦୁଇ ଚକିଆ ଯାନ ପାର୍କିଂ ପାଇଁ ୬ ଟି ସ୍ଥାନରେ ବ୍ୟବସ୍ଥା କରାଯାଇଛି। ଜଗନ୍ନାଥ ବଲ୍ଲଭ, ଜେଲ୍ ରୋଡ, ମାଟି ତୋଟା, ନିଳାଚଳ ଅଶୋକ ଓ ବ୍ଲୁ ଫ୍ଲାଗ ବିଚ୍ ରେ ପାର୍କିଂ ସୁବିଧା କରାଯାଇଛି। ପାସ୍ ଥିବା ଚାରିଚକିଆ ଯାନ ଗୁଡିକ ଜେବିପିସିରେ ପାର୍କିଂ କରିବାର ବ୍ୟବସ୍ଥା ହୋଇଛି । ପାସ୍ ନଥିବା ଗାଡିଗୁଡିକ ତାଳବଣିଆ ଇନଡୋର ଷ୍ଟାଡିୟମ୍, ଫିସ୍ ମାର୍କେଟ ଓ ସମଙ୍ଗ ଠାରେ ଗାଡ଼ି ପାର୍କିଂ ପାଇଁ ବ୍ୟବସ୍ଥା କରାଯାଇଛି। ଦୁଇ ଚକିଆ ଯାନ ଗୁଡିକ ଜେଲ୍ ରୋଡ ଏବଂ ମାଟି ତୋଟା ରେ ମଧ୍ୟ ପାର୍କିଂ କରିବେ। ସେହିପରି ଭିଭିଆଇପି ପାର୍କିଂ ପାଇଁ ଗଦାଧର ସ୍କୁଲ୍ ରେ ବ୍ୟବସ୍ଥା ହୋଇଛି। ଟ୍ରାଫିକ ବ୍ୟବସ୍ଥାକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ୪ କମାଣ୍ଡାଣ୍ଟ, ୭ ଅତିରିକ୍ତ ଏସପି, ୧୯ ଡିଏସପି, ୫୫ ଇନ୍ସପେକ୍ଟର, ୩୩୭ ଏଏସଆଇ ଓ ଏସଆଇ, ୧୩ ଶହ ହୋମଗାର୍ଡଙ୍କ ସହ ୫୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ। ଟୁରିଷ୍ଟ ବସ୍ ଗୁଡିକ ମାଳତିପାଟପୁର ବସ୍ ଷ୍ଟାଣ୍ଡରେ ପାର୍କିଂ କରିବେ। ତେବେ ପୁରୀକୁ ଦୈନିକ ଯାତାୟତ କରୁଥିବା ବସ୍ ଗୁଡ଼ିକ ମାଳତିପାଟପୁର ଓଜର ବ୍ରିଜ୍ ଦେଇ ତାଳବଣିଆ ଠାରେ ନୂଆ ହୋଇଥିବା ଅସ୍ଥାୟୀ ବସ୍ ଷ୍ଟାଣ୍ଡ ଦେଇ ଯାତାୟତ କରିପାରିବେ। ସମ୍ପୂର୍ଣ୍ଣ ବଡ଼ଦାଣ୍ଡକୁ ନୋ ଭେହିକିଲ୍ ଜୋନ୍ କରାଯାଇଛି ।

ପୁରୀ ସହରରେ ଆଜି ମଧ୍ୟ ରାତ୍ରରୁ ଟ୍ରାଫିକ ମୋବିଲିଟି ପ୍ଲାନ୍ କାର୍ଯ୍ୟକାରୀ ହେବ । ପୁରୀ ବଡ଼ଦାଣ୍ଡକୁ ୬ଟି ଜୋନ୍‌ରେ ବିଭକ୍ତ କରାଯାଇଛି । ସିସିଟିଭି ନଜରରେ ରହିବି ପୂରା ପୁରୀ ସହର। ୧୮୦ ପ୍ଲାଟୁନ୍ ଫୋର୍ସ, ବଛା ବଛା ବରିଷ୍ଠ ପୋଲିସ ଅଧିକାରୀ, ସାଧା ପୋଷକଧାରୀ ପୋଲିସ, ବୋମା ନିଷ୍କ୍ରିୟକାରୀ ଦଳ ଓ ସ୍ଵତନ୍ତ୍ର ଟାକ୍ଟିକାଲ୍ ୟୁନିଟ ମୁତୟନ ହୋଇଛନ୍ତି। ଏଥର ରଥ ଯାତ୍ରାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସାମିଲ ହେବେ। ତେଣୁ ସମ୍ପୂର୍ଣ୍ଣ ଶ୍ରୀକ୍ଷେତ୍ର ବ୍ଲାଙ୍କେଟ ସିକ୍ୟୁରିଟି ମଧ୍ୟରେ ରହିବ । 

ପୁରୀକୁ ଆସୁଥିବା ଭକ୍ତ ଓ ଯାତ୍ରୀଙ୍କର କୌଣସି ଅସୁବିଧା ହେଲେ ପୋଲିସ ସହାୟତା ପାଇଁ ୭୩୮୧୬୯୦୯୦୦ ନଂ ରେ ଯୋଗାଯୋଗ କରିବାକୁ ପୋଲିସ ପକ୍ଷରୁ ଅନୁରୋଧ କରାଯାଇଛି। 

You Can Read:

ରାତି ପାହିଲେ ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା, ସିଂହଦ୍ଵାର ସମ୍ମୁଖରେ ଦଣ୍ଡାୟମାନ ତିନିରଥ

 

 

 

 

  • odisha
  • OdishaNews
  • Ratha Yatra 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.