ରେପୋ ହାରରେ ୨୫ ବେସିସ ପଏଣ୍ଟ ହ୍ରାସ କରିପାରନ୍ତି RBI, ଏପ୍ରିଲ ୭ରୁ ଆରମ୍ଭ ହେବ MPC ବୈଠକ

Published By : Prameya-News7 Bureau | April 06, 2025 IST

ମୁମ୍ବାଇ୬।୪: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଚଳିତ ସପ୍ତାହରେ ରେପୋହାରରେ ଆହୁରି ୨୫ ବେସିସ ପଏଣ୍ଟ ହ୍ରାସ କରିପାରନ୍ତି। ଆମେରିକା ଦ୍ୱାରା ଘୋଷିତ ପାରସ୍ପରିକ ଶୁଳ୍କ (ରେସିପ୍ରୋକାଲ ଟାରିଫ) ବୈଶ୍ୱିକ ଅର୍ଥବ୍ୟବସ୍ଥା ନିମନ୍ତେ ଏବେ ଚ୍ୟାଲେଞ୍ଜ ପାଲଟିଛି, ଏଣୁ ବିଶେଷଜ୍ଞ ଭାବୁଛନ୍ତି ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ରୀୟ ବ୍ୟାଙ୍କ ଏହି ପଦକ୍ଷେପ ନେଇ ପାରନ୍ତି। ଗତ ଫେବୃଆରୀ ମାସରେ ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରାଙ୍କ ଅଧ୍ୟକ୍ଷତାରେ ଗଠିତ ମୁଦ୍ରା ନୀତି କମିଟି (ଏମପିସି) ବୈଠକରେ ରେପୋ ହାର ୨୫ ବେସିସ ପଏଣ୍ଟ ହ୍ରାସ କରି ୬.୨୫ପ୍ରତିଶତ କରିଦେଇଥିଲେ। 

ଏହା ୨୦୨୦ ମସିହା ପରେ ପ୍ରଥମ ଥର ରେପୋ ସଂଶୋଧନ ହୋଇଥିବା ବେଳେ ଦୀର୍ଘ ଅଢେଇବର୍ଷ ପରେ ପ୍ରଥମ ଥର ମୁଖ୍ୟ ସୁଧହାର ସଂଶୋଧନ ହୋଇଥିଲା। ରେପୋ ହାର ନିର୍ଦ୍ଧାରଣ କରୁଥିବା ଏମପିସିର ୫୪ତମ ବୈଠକ ଏପ୍ରିଲ ୭ ତାରିଖରୁ ଆରମ୍ଭ ହେବ ଓ ନିଷ୍ପତ୍ତି ଏପ୍ରିଲ ୯ରେ ଘୋଷଣା ହେବ। ଆରବିଆଇ ଫେବୃଆରୀ ୨୦୨୩ରୁ ରେପୋ ହାର (ସ୍ୱଳ୍ପକାଳୀକ ଉଧାର ହାର) ୬.୫ ପ୍ରତିଶତରେ ଅପରିବର୍ତ୍ତିତ ରଖିଥିଲେ। 

ବ୍ୟାଙ୍କ ଅଫ ବରୋଦର ମୁଖ୍ୟ ଅର୍ଥଶାସ୍ତ୍ରୀ ମଦନ ସବନଭୀସ କହିଛନ୍ତି ଯେ ଏହି ସପ୍ତାହରେ ଘୋଷଣା ହେବାକୁ ଥିବା ଋଣ ନୀତି ଏକ ଏପରି ସମୟରେ ଆସିବ ଯେତେବେଳେ ସାରା ବିଶ୍ୱର ଅର୍ଥ ବ୍ୟବସ୍ଥାରେ ଅନେକ ଘଟଣା ଘଟୁଛି। ସେ କହିଛନ୍ତି ଯେ ଆମେରିକା ଦ୍ୱାରା ଜାରି ହୋଇଥିବା ଟାରିଫର ପ୍ରଭାବ ବିକାଶ ସମ୍ଭାବନା ଓ ମୁଦ୍ରାକୁ କିଛିମାତ୍ରାରେ ପ୍ରଭାବିତ କରିବ। ଏଣୁ ଏମପିସିକୁ ଏହା ଉପରେ ବିଚାର କରିବାକୁ ହେବ। 

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏପ୍ରିଲ ୨ ତାରିଖରେ ଭାରତ ଓ ଚୀନ ସହିତ ପାଖାପାଖି ୬୦ ଦେଶଙ୍କ ଉପରେ ୧୧-୪୯%ର ରେସିପ୍ରୋକାଲ ଟାରିଫ ଜାରି କରିଛନ୍ତି। ଏହି ନୂଆ ଟାରିଫ ଏପ୍ରିଲ ୯ ତାରିଖରୁ ଲାଗୁ ହୋଇଯିବ। ବିଶେଷଜ୍ଞଙ୍କ ଅନୁସାରେ ଏହା ଭାରତ ପାଇଁ ଉଭୟ ଆହ୍ୱାନ ଓ ଅବସର ହେବ। କାରଣ ରପ୍ତାନୀରେ ଏହାର ପ୍ରତିଯୋଗୀ ଦେଶଙ୍କ ଉପରେ ଉଚ୍ଚ ଶୁଳ୍କ ଜାରି ହୋଇଛି। ଏଣୁ ରେଟିଂ ଏଜେନ୍ସୀ ଆଇସିଆରଏ ଆଶା କରୁଛି ଯେ ଏମପିସି ଆଗାମୀ ବୈଠକରେ ନିରପେକ୍ଷ ନିଷ୍ପତ୍ତି ନେଇ ରେପୋ ହାରକୁ ୨୫ ବେସିସ ପଏଣ୍ଟ ପର୍ଯ୍ୟନ୍ତ ହ୍ରାସ କରିପାରନ୍ତି। 

ଏଥିରେ ଉଦ୍ୟୋଗସଙ୍ଗଠନ ଆସୋଚାମ ଆଗାମୀ ମୁଦ୍ରା ନୀତି କମିଟି ବୈଠକରେ ଏହି ସ୍ତରରେ ସୁଧହାର ହ୍ରାସ ବଦଳେ ଅପେକ୍ଷା କର ଓ ଦେଖ ନୀତି ଅବଲମ୍ବନ କରନ୍ତୁ ବୋଲି ପରାମର୍ଶ ଦେଇଛି। ଅଧ୍ୟକ୍ଷ ସଞ୍ଜୟ ନାୟର କହିଛନ୍ତି ଯେ ଆରବିଆଇ ନିକଟରେ ବିଭିନ୍ନ ଉପାୟରେ ବଜାରକୁ ନଗଦ ଛାଡିଛନ୍ତି। ଆମେ ଏହି ଉପାୟର ପୁଞ୍ଜିଗତ ବ୍ୟୟ ବୃଦ୍ଧି ଓ ଖର୍ଚ୍ଚ ଉପରେ ପ୍ରଭାବକୁ ଦେଖିବା ଲାଗି ଧୈର୍ଯ୍ୟ ଧରିବା ଦରକାର। ଏଣୁ ଏମପିସି ରେପୋ ହାର ସ୍ଥିର ରଖିପାରନ୍ତି ବୋଲି ସେ ଆଶା ପୋଷଣ କରିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.