ସିରିଆରେ ଋଷ୍‌ର ମିସାଇଲ୍ ମାଡ଼; ୪୦୦ରୁ ଅଧିକ ବିଦ୍ରୋହୀ ମୃତ, ଦେଶରେ ହାଇ-ଆଲର୍ଟ

Published By : Prameya-News7 Bureau | December 02, 2024 IST

ନୂଆଦିଲ୍ଲୀ: ୧/୧୨: ସିରିଆରେ ଇସଲାମିକ୍ ବିଦ୍ରୋହୀ ଗୋଷ୍ଠୀ ହୟାତ୍ ତାହରିର୍ ଅଲ୍-ଶାମ୍ ଉପରେ ଏୟାର ଷ୍ଟ୍ରାଇକ୍ କରିଛି ଋଷ୍ । ଏହି ଆକ୍ରମଣରେ ପ୍ରାୟ ୪ଶହରୁ ଅଧିକ ଆତଙ୍କବାଦୀ ନିହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୨୦ଜଣ ସାଧାରଣ ନାଗରିକ ରହିଛନ୍ତି । ଏହାକୁ ମିଶାଇ ଏବେ ସୁଦ୍ଧା ଋଷ୍ ଏବଂ ସିରିଆ ସେନା ଆକ୍ରମଣରେ ପ୍ରାୟ ୯୦୦ରୁ ଅଧିକ ହୟାତ୍‌ ତାହରିର୍‌ ଅଲ୍‌-ଶାମ୍‌ ଆତଙ୍କ ନିହତ ହେଲେଣି । 

ସୂଚନା ଅନୁଯାୟୀ, ୪ ଦିନରେ ସିରିଆର ପ୍ରମୁଖ ସହର ଅଲେପ୍ପାକୁ କବଜା କରିଛି ହୟାତ୍‌ ତାହରିର୍‌ ଅଲ୍‌-ଶାମ୍‌ ବିଦ୍ରୋହୀ ଗୋଷ୍ଠୀ । ଅଟକାଇବାକୁ ଏୟାର ଷ୍ଟ୍ରାଇକ୍ ମାଧ୍ୟମରେ ଋଷ୍ ଏବଂ ସିରିଆ ସେନା ଏହାର ଜବାବ ଦେଇଛି । ରୁଷ୍‌ ସେନା ବିଦ୍ରୋହୀ ଗୋଷ୍ଠୀର ଠିକଣାକୁ ଟାର୍ଗେଟ କରିଥିଲା । ଏହି ହମଲାରେ ବିଦ୍ରୋହୀ ଗୋଷ୍ଠୀର ପ୍ରାୟ ୪୧୨ଜଣ ପ୍ରାଣ ହରାଇଛନ୍ତି ।   

ରିପୋର୍ଟ ଅନୁସାରେ, ହୟାତ ବିଦ୍ରୋହୀ ଗୋଷ୍ଠୀକୁ ଅଲ୍‌କାଏଦା ସମର୍ଥନ କରୁଛି । ଗତ ବୁଧବାର ରାତିରୁ ବିଦ୍ରୋହୀମାନେ ଆକ୍ରମଣ କରି ଆଲେପ୍ପୋର ଆଖପାଖ ଅଞ୍ଚଳକୁ କବ୍‌ଜା କରିଥିଲେ । ପରେ ଆଲେପ୍ପୋର ଏକ ବଡ଼ ଅଂଶକୁ ଅକ୍ତିଆରକୁ ନେଇଥିଲେ । ଫଳରେ ସିରିଆ ସେନା ପଛକୁ ହଟିବାକୁ ବାଧ୍ୟ ହୋଇଥିଲା । ଆକ୍ରମଣରେ   ବହୁସଂଖ୍ୟାରେ ସୈନ୍ୟ ନିହତ ହୋଇଛନ୍ତି । ବିଦ୍ରୋହୀମାନେ ଏୟାରପୋର୍ଟ ସହ ସହରର ସମସ୍ତ ମୁଖ୍ୟ ଅଞ୍ଚଳକୁ ମଧ୍ୟ କବ୍‌ଜା କରିନେଇଛନ୍ତି । ରାସ୍ତାରେ ବିଦ୍ରୋହୀଙ୍କ ଉପସ୍ଥିତିକୁ ଦୃଷ୍ଟିରେ ରଖି ଆଲେପ୍ପୋର ସମସ୍ତ ନାଗରିକଙ୍କୁ ଘରେ ରହିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

୨୦୧୬ରେ ଅସାଦ୍‌ଙ୍କ ସେନା ଏହି ବିଦ୍ରୋହୀଙ୍କୁ  ଆଲେପ୍ପୋ ସହରରୁ ବିଦା କରିଥିଲା । ୮ ବର୍ଷ ପରେ ପୁଣି ବିଦ୍ରୋହୀ ଏହି ସହରକୁ କବ୍‌ଜାକୁ ନେଇଛନ୍ତି । ତେବେ ଆଲେପ୍ପୋର ଉତ୍ତର ଭାଗରେ କେତେକ  ଅଞ୍ଚଳରେ ଏବେ ବି ସିରିଆ ଏବଂ  ଇରାନୀ ମିଲିସିଆର ନିୟନ୍ତ୍ରଣ ରହିଛି ।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.