ଗୌହାଟୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ଆସାମରେ କମ୍ପାନୀର ନିବେଶକୁ ଚାରି ଗୁଣ ବୃଦ୍ଧି କରି ୫୦,୦୦୦ କୋଟି ଟଙ୍କା କରିବାକୁ ଘୋଷଣା କରିଛନ୍ତି। ଅମ୍ବାନୀ କହିଛନ୍ତି ଯେ ରିଲାଏନ୍ସ ଆସାମରେ ୧୨ ହଜାର କୋଟିରୁ ଅଧିକ ଟଙ୍କା ବିନିଯୋଗ କରିସାରିଛି। ଗୁଆହାଟୀରେ ଚାଲିଥିବା 'ଆଡଭାନଟେଜ୍ ଆସାମ ୨.୦ ସମ୍ମିଳନୀ'ରେ ମୁକେଶ ଅମ୍ବାନୀ ଏହି ଘୋଷଣା କରିଛନ୍ତି।
ଆସାମକୁ ଏଆଇ ସକ୍ଷମ କରିବା ରିଲାଏନ୍ସର ପ୍ରାଥମିକତା ରହିଥିବା ଅମ୍ବାନୀ କହିଛନ୍ତି। ଆସାମରେ ବିଶ୍ୱ ସ୍ତରୀୟ ଡିଜିଟାଲ ସଂଯୋଗ ଭିତ୍ତିଭୂମି ସୃଷ୍ଟି କରିବା ପରେ ରିଲାଏନ୍ସ ବର୍ତ୍ତମାନ ଏଠାରେ କମ୍ପ୍ୟୁଟିଙ୍ଗ ଭିତ୍ତିଭୂମି ସ୍ଥାପନ କରିବ। ଆସାମରେ ରିଲାଏନ୍ସ ଏକ ଏଆଇ ଆଧାରିତ ଏଜ୍ ଡାଟା ସେଣ୍ଟର ନିର୍ମାଣ କରିବ ବୋଲି ସେ ଘୋଷଣା କରିଛନ୍ତି। ରିଲାଏନ୍ସ ରିଟେଲ ମଧ୍ୟ ରାଜ୍ୟରେ ଏହାର ଷ୍ଟୋର ସଂଖ୍ୟାକୁ ୪୦୦ ରୁ ୮୦୦ କୁ ବୃଦ୍ଧି କରିବାକୁ ଯାଉଛି। ଏହାଦ୍ୱାରା ଯୁବପିଢ଼ି ପାଇଁ ହଜାର ହଜାର ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।
ଆସାମକୁ ସ୍ୱଚ୍ଛ ଏବଂ ସବୁଜ ଶକ୍ତିର କେନ୍ଦ୍ର କରିବାକୁ ପ୍ରତିବଦ୍ଧତା ଜାହିର କରି ଆଣବିକ ଶକ୍ତି ସହିତ ଆସାମର ଟାଙ୍ଗରା ଭୂମିରେ ଦୁଇଟି ବାୟୋଗ୍ୟାସ୍ ପ୍ଲାଣ୍ଟ ମଧ୍ୟ ସ୍ଥାପନ କରାଯିବ ବୋଲି ସେ କହିଛନ୍ତି। ଏଥିରୁ ବାର୍ଷିକ ୮ ଲକ୍ଷ ଟନ୍ ସ୍ୱଚ୍ଛ ବାୟୋଗ୍ୟାସ୍ ଉତ୍ପାଦନ ହେବ, ଯାହା ପ୍ରତିଦିନ ୨ ଲକ୍ଷ ଯାତ୍ରୀବାହୀ ଯାନକୁ ଇନ୍ଧନ ଦେବ। ରିଲାଏନ୍ସ ଆସାମରେ ଏକ ମେଗା ଫୁଡ୍ ପାର୍କ ସ୍ଥାପନ କରିବାକୁ ଘୋଷଣା କରିଛି, ଯାହା ଆସାମକୁ ଦେଶ ତଥା ବିଦେଶରେ ଖାଦ୍ୟ ଏବଂ ଅଣ-ଖାଦ୍ୟ ଉପଭୋକ୍ତା ସାମଗ୍ରୀ ଯୋଗାଣକାରୀ ହେବାରେ ସହାୟକ ହେବ। ନିକଟରେ ଆସାମରେ ନିର୍ମିତ ହୋଇଥିବା କାମ୍ପା ବଟଲିଂ ପ୍ଲାଣ୍ଟ ବିଷୟରେ ସେ ମଧ୍ୟ ନିଜ ଅଭିଭାଷଣରେ ପ୍ରକାଶ କରିଥିଲେ।