ଦୁବାଇ, ୟୁଏଇ / ବେଙ୍ଗାଲୁରୁ: ରିଲାଏନ୍ସ କଞ୍ଜୁମର ପ୍ରଡକ୍ଟ ଲିମିଟେଡ୍ (ଆରସିପିଏଲ) ୟୁଏଇରେ କାମ୍ପା ବ୍ରାଣ୍ଡ ଶୁଭାରମ୍ଭ କରିଛି। ବିଶ୍ୱର ସର୍ବବୃହତ ଖାଦ୍ୟ ଏବଂ ପାନୀୟ ସୋର୍ସିଂ ଇଭେଣ୍ଟ ଗଲଫୁଡରେ ଏହି ଶୁଭାରମ୍ଭ ହୋଇଛି। ୟୁଏଇର ଏଗଥିଆ ଗ୍ରୁପ୍ ସହିତ ସହଭାଗିତାରେ ଏହା ଆରମ୍ଭ କରାଯାଇଛି। ଏଗଥିଆ ଗ୍ରୁପ୍ ୟୁଏଇର ଅନ୍ୟତମ ପ୍ରସିଦ୍ଧ ଖାଦ୍ୟ ଏବଂ ପାନୀୟ କମ୍ପାନି।
ଏନେଇ କମ୍ପାନି ପକ୍ଷରୁ ଦିଆଯାଇଥିବା ବିବୃତ୍ତି ଅନୁଯାୟୀ, କାମ୍ପା ପୋର୍ଟଫୋଲିଓରେ ପ୍ରଥମେ କାମ୍ପା କୋଲା, କାମ୍ପା ଲେମନ ଓ କାମ୍ପା ଅରେଞ୍ଜ ଏବଂ କୋଲା ଜିରୋ ଉପଲବ୍ଧ ହେବ। ଏହାର ଆକର୍ଷଣୀୟ ଲାଲ ଓ ବାଇଗଣୀ ପ୍ୟାକେଜିଂ ଏବଂ ସୁଲଭ ମୂଲ୍ୟର ପ୍ରତିଶୃତି ସହିତ କାମ୍ପା ୟୁଏଇରେ ସଫଳତାର ଆଉ ଏକ କାହାଣୀ ଲେଖିବାକୁ ଯାଉଛି।
ରିଲାଏନ୍ସ କଞ୍ଜୁମର ପ୍ରଡକ୍ଟ ଲିମିଟେଡର ସିଓଓ କେତନ ମୋଦି କହିଛନ୍ତି, “ଆମେ ୫୦ ବର୍ଷରୁ ଅଧିକ ପୁରୁଣା ଭାରତୀୟ ବ୍ରାଣ୍ଡ କାମ୍ପା ସହିତ ୟୁଏଇ ବଜାରରେ ପ୍ରବେଶ କରିବାକୁ ନେଇ ବେଶ ଉତ୍ସାହିତ ରହିଛୁ। କାମ୍ପା କେବଳ ଏକ ପାନୀୟ ନୁହେଁ, ଏହା ଏକ ଐତିହ୍ୟର ପୁନରୁଦ୍ଧାର, ଏହାର ଭାରତର ସ୍ୱାଦ। ଆମେ ନିଶ୍ଚିତ ଯେ, ୟୁଏଇ ଗ୍ରାହକମାନେ ଏହାର ସତେଜ ସ୍ୱାଦକୁ ଭଲ ପାଇବେ।” ସୂଚନା ଯୋଗ୍ୟ ଯେ ରିଲାଏନ୍ସ ୨୦୨୨ରେ କାମ୍ପା କୋଲା ଅଧିଗ୍ରହଣ କରିଥିଲା ଏବଂ ୨୦୨୩ ରେ ଏହାକୁ ଭାରତରେ ପୁନଃ ପ୍ରଚଳନ କରିଥିଲା।