ନୂଆଦିଲ୍ଲୀ11 /04 : 'କୋଭିଡ୍ ୧୯' ଭଳି ଭୟଙ୍କର ମହାମାରୀ ପରେ,ଏବେ ଭାରତରେ କବାଟ ଠକ୍ ଠକ୍ କଲାଣି ଆଉ ଏକ ମହାମାରୀ। ଇଏ 'ସାଇଲେଣ୍ଟ୍ ଏପିଡେମିକ୍' ନାଁରେ ପରିଚିତ। ଏମିତି ନାମକରଣ କରାଯିବାର ଅର୍ଥ ଇଏ ଏମିତି ଏକ ମହାମାରୀ ଯାହା ନୀରବରେ ଭାରତୀୟଙ୍କୁ କରିପାରେ ଆକ୍ରାନ୍ତ।ଏହାର ପ୍ରଭାବ ଖୁବ୍ ଭୟଙ୍କର ଓ ବିପଦପୂର୍ଣ୍ଣ ହୋଇପାରେ। ତେଣୁ ବିଳମ୍ବ ନ କରି ଏହି ମହାମାରୀ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି ଡାକ୍ତରଓ ବିଶେଷଜ୍ଞ। ଏବେ ଆପଣଙ୍କ ମନରେ ଏହି ପ୍ରଶ୍ନ ନିଶ୍ଚିତ ଭାବରେ ଆସୁଥିବ ଯେ, ଏହି ମହାମାରୀ କ’ଣ ଏବଂ ଆମେ ଏହାକୁ କିପରି ଏଡ଼ାଇ ପାରିବା? ଏହା ଜାଣିବା ପାଇଁ ଆମକୁ ଆପୋଲୋ ହସପିଟାଲ୍ ଦ୍ୱାରା ଉପସ୍ଥାପିତ ଏକ ରିପୋର୍ଟକୁ ବୁଝିବାକୁ ହେବ।
'Health Of the nation 2025' ର ଏହି ରିପୋର୍ଟ 2.5 ମିଲିଅନରୁ ଅଧିକ ସ୍ୱାସ୍ଥ୍ୟ ଯାଞ୍ଚ ଉପରେ ଆଧାରିତ। ଏଥିରେ ଜଣା ପଡ଼ିଛି ଯେ, ଅନେକ ଭାରତୀୟ ଅଛନ୍ତି ଯେଉଁମାନେ ଦୀର୍ଘ ସମୟ ଧରି ଅନେକ ରୋଗ ସହିତ ବଞ୍ଚୁଛନ୍ତି। ଆଶ୍ଚର୍ଯ୍ୟଜନକ କଥା ହେଉଛି ସେମାନେ ଜାଣିପାରି ନଥାନ୍ତି ଯେ, ସେମାନେ କେଉଁ ପ୍ରକାର ରୋଗରେ ପୀଡିତ । ଭାରତୀୟମାନେ ସାଧାରଣତଃ ମଧୁମେହ, ଉଚ୍ଚ ରକ୍ତଚାପ ଏବଂ ଫ୍ୟାଟି ଲିଭରରେ ପୀଡ଼ିତ ଥାଆନ୍ତି ।ଏହି ରିପୋର୍ଟରେ ସବୁ ଭାରତୀୟଙ୍କୁ କୁହାଯାଇଛି ଯେ, ଶରୀରରେ ଦେଖାଯାଉଥିବା ଲକ୍ଷଣ ଗୁଡ଼ିକର ଚିକିତ୍ସା କରିବା ପରିବର୍ତ୍ତେ କୌଣସି ରୋଗ ହେବା ପୂର୍ବରୁ ତାକୁ ରୋକିବା ଉପରେ ଧ୍ୟାନ ଦେବା ଉଚିତ୍।
ଗବେଷଣାରେ ପ୍ରକାଶିତ ତଥ୍ୟ ଅନୁଯାୟୀ, ଯେଉଁ ଲୋକଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରାଯାଇଥିଲା ସେମାନଙ୍କ ମଧ୍ୟରୁ 65 ପ୍ରତିଶତ ଫ୍ୟାଟି ଲିଭରରେ ପୀଡିତ ଥିଲେ। ଫ୍ୟାଟି ଲିଭରରେ ପୀଡିତ ଲୋକଙ୍କ ମଧ୍ୟରୁ 85 ପ୍ରତିଶତ ଲୋକ ମଦ୍ୟପାନ କରୁ ନଥିଲେ। ଏହା ବ୍ୟତୀତ, ୨୬ ପ୍ରତିଶତ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ ଏବଂ ୨୩ ପ୍ରତିଶତ ମଧୁମେହରେ ପୀଡିତ ଥିଲେ। ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସେମାନଙ୍କ ମଧ୍ୟରୁ କାହାରିଠାରେ ଏହି ରୋଗର କୌଣସି ଲକ୍ଷଣ ନଥିଲା।
ଆପୋଲୋ ହସ୍ପିଟାଲର ଅଧ୍ୟକ୍ଷ ଡକ୍ଟର ପ୍ରତାପ ରେଡ୍ଡୀ କହିଛନ୍ତି ଯେ, ଆଜିର ସମୟରେ ରୋଗ ହେବା କିମ୍ବା ଏହାର ଲକ୍ଷଣ ଦେଖାଦେବା ପୂର୍ବରୁ ହିଁ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା କେବଳ ଭବିଷ୍ୟତ ପାଇଁ ନୁହେଁ ବରଂ ବର୍ତ୍ତମାନ ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ସେ ସ୍କୁଲ, ଅଫିସ ଏବଂ ପରିବାରର ଦୈନନ୍ଦିନ କାର୍ଯ୍ୟସୂଚୀରେ ସ୍ୱାସ୍ଥ୍ୟ ଶିକ୍ଷାକୁ ସାମିଲ କରିବାକୁ ମଧ୍ୟ ପରାମର୍ଶ ଦେଇଥିଲେ।
ରିପୋର୍ଟରେ ଅନ୍ୟ କିଛି ଚିନ୍ତାଜନକ ସଂଖ୍ୟା ମଧ୍ୟ ସାମ୍ନାକୁ ଆସିଛି। ଏଥିରେ କୁହାଯାଇଛି ଯେ ମନୋପଜ୍ ପରେ ମହିଳାଙ୍କ ମଧ୍ୟରେ ମଧୁମେହ 14 ପ୍ରତିଶତରୁ 40 ପ୍ରତିଶତକୁ ବୃଦ୍ଧି ପାଇଛି। ମୋଟାପଣ ୭୬ ପ୍ରତିଶତରୁ ୮୬ ପ୍ରତିଶତ ଏବଂ ଫ୍ୟାଟି ଲିଭର ୫୪ ପ୍ରତିଶତରୁ ୭୦ ପ୍ରତିଶତକୁ ବୃଦ୍ଧି ପାଇଛି। ସ୍ୱାସ୍ଥ୍ୟ ପରୀକ୍ଷା କରିଥିବା କଲେଜ ପିଲାମାନଙ୍କ ମଧ୍ୟରୁ ପ୍ରାୟ 3 ଜଣ ଛାତ୍ରଙ୍କ ମଧ୍ୟରୁ 1 ଜଣ ମେଦ ବହୁଳତାର ଶିକାର ହୋଇଥିଲେ।19 ପ୍ରତିଶତ ଲୋକଙ୍କୁ ଉଚ୍ଚରକ୍ତଚାପ ଭଳି ରୋଗ ହେବାର ଆଶଙ୍କା ଥିଲା। ସ୍ୱାସ୍ଥ୍ୟ ପରୀକ୍ଷା କରିଥିବା ୪୭,୦୦୦ ଲୋକଙ୍କ ମଧ୍ୟରୁ ୬ ପ୍ରତିଶତଙ୍କଠାରେ ଡିପ୍ରେସନର ଲକ୍ଷଣ ଦେଖାଯାଇଥିଲା। ଅନେକ ଲୋକଙ୍କର ଭିଟାମିନ୍ ଡି ଅଭାବ ଥିଲା।
ଆପୋଲୋ ହସ୍ପିଟାଲର ପରିଚାଳନା ନିର୍ଦ୍ଦେଶକ ଡକ୍ଟର ସୁନିତା ରେଡ୍ଡୀ କହିଛନ୍ତି , ଆମକୁ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବା ସହ ଲୋକମାନଙ୍କୁ ସେମାନଙ୍କୁ ସ୍ୱାସ୍ଥ୍ୟର ଦାୟିତ୍ୱ ବିଷୟରେ ବୁଝାଇବାକୁ ପଡ଼ିବ। ଏହା ସହ ସଚେତନତାର ଆବଶ୍ୟକତା ରହିଛି।