ପାରାଦୀପ: ପାରାଦୀପରେ ଚାଞ୍ଚଲ୍ୟ। ଜଣେ ରିକ୍ସା ଚାଳକଙ୍କୁ ହତ୍ୟା। ବଡ଼ପଡ଼ିଆ ମାର୍କେଟ ଭିତରେ ରିକ୍ସା ଚାଳକଙ୍କୁ କାଠ ଫାଳିଆ ଭୁଶି ହତ୍ୟା କରାଯାଇଛି । ମୃତ ରିକ୍ସା ଚାଳକ ପ୍ରଭାତ ମଣ୍ଡଳ। ସୂଚନା ଅନୁଯାୟୀ ପ୍ରଭାତ ଏବଂ ମୋହନ ମହାରଣା ନାମକ ଜଣେ ବ୍ୟକ୍ତିଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥିଲା।
ରିକ୍ସା ଚାଳକ ପ୍ରଭାତ ପ୍ରଥମେ ମୋହନଙ୍କୁ ଏକ କାଠ ଫାଳିଆରେ ବାଡ଼େଇ ଥିଲେ। ଘଟଣାକୁ ନେଇ ମୋହନ ଥାନାକୁ ଜଣାଇବାକୁ ଯାଇଥିଲେ, ସେଠାରେ ପୋଲିସ ଏତଲା ଦେବାକୁ କହିବାରୁ ମୋହନ ଏତଲା ଲେଖିବାକୁ ଆସିଥିବାବେଳେ ସାମ୍ନାରେ ପ୍ରଭାତଙ୍କୁ ଦେଖି ନିକଟରେ ପଡ଼ିଥିବା କାଠ ଫାଳିଆ ଆଣି ପ୍ରଭାତଙ୍କ ପେଟରେ ଭୁଶି ଦେଇଥିଲେ ।
ତାଙ୍କୁ ସଙ୍ଗେ ସଙ୍ଗେ ପାରାଦୀପ ବନ୍ଦର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରୁ ତାଙ୍କୁ କଟକ ସ୍ଥାନାନ୍ତର ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା। ତେବେ ପୋଲିସ ଅଭିଯୁକ୍ତ ମୋହନକୁ ଅଟକ ରଖି ତଦନ୍ତ ଜାରି ରଖିଛି ।