ରିଷଭ ପନ୍ତ ଲୌକ୍ଷ୍ନ ସୁପର ଜାଏଣ୍ଟ୍‌ସର ନୂଆ ଅଧିନାୟକ, ମାଲିକ ସଞ୍ଜୀବ ଗୋୟଙ୍କା କଲେ ବଡ଼ ଭବିଷ୍ୟବାଣୀ

Published By : Prameya-News7 Bureau | January 20, 2025 IST

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଷ୍ଟାର ୱିକେଟ୍ କିପର ବ୍ୟାଟର ଏବଂ ଆଇପିଏଲ୍ ଇତିହାସର ସବୁଠୁ ଦାମୀ ଖେଳାଳି ରିଷଭ ପନ୍ତଙ୍କୁ ଲକ୍ଷ୍ନୌର ଅଧିନାୟକ ନିଯୁକ୍ତ କରାଯାଇଛି । ଏଲ୍ଏସଜି ମାଲିକ ସଞ୍ଜୀବ ଗୋୟଙ୍କା ସୋମବାର ଏହି ଘୋଷଣା କରିଛନ୍ତି । ଆଇପିଏଲ୍ ମେଗା ନିଲାମୀରେ ପନ୍ତଙ୍କୁ ୨୭ କୋଟି ଟଙ୍କାରେ କିଣିଥିଲା ଏଲ୍‌ଏସଜି । ଟିମ୍‌ର ମାଲିକ ପନ୍ତଙ୍କ ଉପରେ ବିଶ୍ୱାସ ପଛର କାରଣ ବି କହିଛନ୍ତି । ପନ୍ତ ଜଣେ ଭଲ ଲିଡର୍ ଏବଂ ଆଇପିଏଲ୍‌ର ସବୁଠୁ ଭଲ ଅଧିନାୟକ ହୋଇପାରିବେ ବୋଲି ସେ କହିଛନ୍ତି ।

ଷ୍ଟାର୍ ସ୍ପୋର୍ଟ୍ସରେ ପନ୍ତଙ୍କ ସହ କାର୍ଯ୍ୟକ୍ରମରେ ସଞ୍ଜୀବ ଗୋୟଙ୍କା କହିଛନ୍ତି ଯେ ଦିଲ୍ଲୀ କ୍ୟାପିଟାଲ୍ସ ରିଷଭଙ୍କୁ ରିଲିଜ କରିବା ପରଠୁ ଆମ ନଜର ଏହି ୱିକେଟ୍ କିପର ବ୍ୟାଟରଙ୍କ ଉପରେ ଥିଲା । ପନ୍ତଙ୍କୁ ଯେକୌଣସି ସ୍ଥିତିରେ ନିଜ ଟିମ୍‌ରେ ସାମିଲ କରିବାକୁ ଚାହୁଁଥିଲେ । ଡିସି ନିଲାମୀରେ ପନ୍ତଙ୍କୁ ନେଇ ଆଗ୍ରହ ଦେଖାଇଥିଲା, କିନ୍ତୁ ଲକ୍ଷ୍ନୌ ଶେଷ ଯାଏ ହାର୍ ମାନି ନଥିଲା । ଗୋୟଙ୍କା କହିଛନ୍ତି, 'ମୋତେ ରିଷଭଙ୍କ ଭିତରେ ଜଣେ ଜନ୍ମଜାତ ଲିଡର୍ ନଜର ଆସୁଛି । ମୋ ଦୃଷ୍ଟିରୁ ସମ୍ଭବତଃ ସେ ଆଇପିଏଲ୍ ଇତିହାସର ସର୍ବଶ୍ରେଷ୍ଠ ଅଧିନାୟକ ହେବେ ।'

ଏହାସହ ଗୋୟଙ୍କା ଏକ ବଡ଼ ଭବିଷ୍ୟତବାଣୀ ମଧ୍ୟ କରିଛନ୍ତି । ସେ କହିଛନ୍ତି, 'ଲୋକ ଆଜି ଯାଏ ଆଇପିଏଲ୍ ଇତିହାର ସବୁଠୁ ସଫଳ ଅଧିନାୟକ ରୂପେ ଧୋନୀ ଏବଂ ରୋହିତଙ୍କ ନାଁ ଉଲ୍ଲେଖ କରନ୍ତି । କିନ୍ତୁ ଲେଖି ରଖୁଛନ୍ତି ୧୦-୧୨ ବର୍ଷ ପରେ ଲିଷ୍ଟରେ ମାହି, ରୋହିତ ଏବଂ ରିଷଭ ପନ୍ତ ଥିବେ ।' ଏମଏସ୍ ଧୋନୀ ଏବଂ ରୋହିତ ଶର୍ମା ଆଇପିଏଲର ସବୁଠୁ ସଫଳ ଅଧିନାୟକ । ଧୋନୀଙ୍କ ନେତୃତ୍ୱରେ ଚେନ୍ନାଇ ସୁପର କିଙ୍ଗ୍ସ ପାଞ୍ଚ ଥର ଏବଂ ମୁମ୍ୱାଇ ଇଣ୍ଡିଅନ୍ସ ପାଞ୍ଚ ଥର ଟ୍ରଫି ଜିତିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.