ରଣଜୀରେ ଫେଲ୍ ମାରିଲେ ରୋହିତ୍, ଜୈସ୍ୱାଲ, ପନ୍ତ, ଗିଲ୍, ସୋରାଷ୍ଟ୍ର ପାଇଁ ଚମକିଲେ ଜାଡେଜା

Published By : Prameya-News7 Bureau | January 23, 2025 IST

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆରେ ଷ୍ଟାର୍ ଖେଳାଳିଙ୍କ ଫ୍ଲପ୍ ଶୋ’ ଜାରି ରହିଛି । ଟେଷ୍ଟରେ ଲଗାତାରେ ଫେଲ୍ ହେବା ପରେ ଏବେ ଘରୋଇ ଟୁର୍ଣ୍ଣାମେଣ୍ଟରେ ବି ନିରାଶ କରିଛନ୍ତି । ଦୀର୍ଘ ବର୍ଷ ପରେ ଘରୋଇ ରଣଜୀ ମ୍ୟାଚ୍ ଖେଳିବାକୁ ଓହ୍ଲାଇଥିବା ରୋହିତ ଶର୍ମା, ରିଷଭ ପନ୍ତ ଏବଂ ଶୁଭମନ ଗିଲ୍ ଶସ୍ତାରେ ଆଉଟ୍ ହୋଇ ଫେରିଛନ୍ତି । ତେବେ କେବଳ ରବିନ୍ଦ୍ରା ଜାଡେଜା ନିଜ ବୋଲିଂର ଯାଦୁ ଦେଖାଇଥିଲେ । ଦିଲ୍ଲୀ ବିପକ୍ଷ ମ୍ୟାଚ୍‌ରେ ରବିନ୍ଦ୍ର ଜାଡେଜା ସୋରାଷ୍ଟ୍ର ପାଇଁ ୫ଟି ୱିକେଟ୍ ନେଇଛନ୍ତି ।

ଅଷ୍ଟ୍ରେଲିଆରେ ବର୍ଡର-ଗାଭାସ୍କର ଟ୍ରଫିରେ ଫେଲ୍ ମାରିବା ପରେ ନିଜ ଫର୍ମ ଫେରି ପାଇବା ପାଇଁ ରଣଜୀ ମ୍ୟାଚ୍ ଖେଳିବାକୁ ନିଷ୍ପତ୍ତି ନେଇଥିଲେ ରୋହିତ୍ ଶର୍ମା । ଡିଫେଣ୍ଡିଂ ଚାମ୍ପିୟନ ପାଇଁ ପ୍ରାୟ ୧୦ ବର୍ଷ ପରେ ଓପନିଂ କରିବାକୁ ଆସିଥିବା ରୋହିତ୍ ମାତ୍ର ୩ ରନ୍ କରି କ୍ୟାଚ୍ ଆଉଟ୍ ହୋଇଥିଲେ । ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ରଣଜୀରେ ଭଲ ରନ୍ କରିବାର ତାଙ୍କ ଆଶାକୁ ଜାମ୍ମୁ କାଶ୍ମୀର ବୋଲର ଉମର ନାଜିର ଧୂଳିସାତ କରିଥିଲେ । ସେହିପରି ମୁମ୍ୱାଇ ପାଇଁ ଖେଳୁଥିବା ଭାରତୀୟ ଟିମର ଅନ୍ୟ ଜଣେ ଯୁବ ଷ୍ଟାର ଖେଳାଳି ଯଶସ୍ୱୀ ଜୈୱାଲ ୪ ରନ୍‌ରେ ଆଉଟ୍ ହୋଇଥିଲେ ।

ଚାମ୍ପିଅନ୍ସ ଟ୍ରଫି ପାଇଁ ଘୋଷଣା ହୋଇଥିବା ଭାରତୀୟ ଟିମର ସଦସ୍ୟ ଥିବା ଶ୍ରେୟସ ଆୟର ମଧ୍ୟ ଆଜି ଫେଲ୍ ମାରିଛନ୍ତି । ଶ୍ରେୟସ ଆୟର କେବଳ ୧୧ ରନ୍ କରି ଆଉଟ୍ ହୋଇଥିଲେ । ଜାମ୍ମୁ କାଶ୍ମୀର ବିପକ୍ଷରେ ମୁମ୍ୱାଇ ଟିମ୍ ପ୍ରଥମ ଇନିଂସରେ ୩୩.୨ ଓଭର ଖେଳି ମାତ୍ର ୧୨୦ ରନ୍ କରିବାରେ ସଫଳ ହେଲା । ଇଂଲଣ୍ଡ ବିପକ୍ଷରେ ଦିନିକିଆ ମ୍ୟାଚ୍ ଖେଳିବା ପୂର୍ବରୁ ରୋହିତ, ଜୈସ୍ୱାଲ ଏବଂ ଆୟରଙ୍କ ପାଇଁ ଏହା କେବଳ ଏକମାତ୍ର ରଣଜୀ ମ୍ୟାଚ୍ ଥିଲା ।  

ସେହିପରି ୨୦୧୭-୧୮ ସିଜିନ ପରେ ପ୍ରଥମ ଥର ଦିଲ୍ଲୀ ପାଇଁ ରଣଜୀ ଖେଳିଥିବା ରିଷଭ ପନ୍ତ ମଧ୍ୟ ନିରାଶ କରିଛନ୍ତି । ରିଷଭ ପନ୍ତ ୧୦ ବଲ ଖେଳି କେବଳ ୧ ରନ୍ କରି ଆଉଟ୍ ହୋଇଥିଲେ । ସୋରାଷ୍ଟ୍ର ପାଇଁ ଦୀର୍ଘ ବର୍ଷରୁ ଖେଳୁଥିବା ବାମହାତୀ ସ୍ପିନ୍ ବୋଲର ଧର୍ମେନ୍ଦ୍ର ସିଂହ ଜାଡେଜାଙ୍କ ଶିକାର ହୋଇଥିଲେ । ସେହିପରେ ବେଙ୍ଗାଲୁରୁ ଖେଳାଯାଉଥିବା କର୍ଣ୍ଣାଟକ ବିପକ୍ଷ ମ୍ୟାଚ୍‌ରେ ପଞ୍ଜାବ କ୍ୟାପ୍ଟେନ ଶୁଭମନ୍ ଗିଲ୍‌ଙ୍କ ବ୍ୟାଟରୁ କେବଳ ୪ ରନ୍ ବାହାରିଥିଲା ।

ଅଷ୍ଟ୍ରେଲିଆରେ ୧-୩ ସିରିଜ୍ ହାରିବା ପରେ ବିସିସିଆଇ ଘରୋଇ କ୍ରିକେଟରେ ଚୁକ୍ତିଭିତ୍ତିକ ଖେଳାଳିଙ୍କ ଅଂଶଗ୍ରହଣକୁ ବାଧ୍ୟତାମୂଳକ କରିଥିଲା । ଏହାପରେ ଟିମର ଷ୍ଟାର୍ ଖେଳାଳିଙ୍କୁ ରଣଜୀ ଟ୍ରଫିରେ ଦେଖିବାକୁ ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.