ନୂଆଦିଲ୍ଲୀ ୨୩/୦୧: ଭାରତୀୟ କ୍ରିକେଟ ଦଳର ୱିକେଟକିପର-ବ୍ୟାଟସମ୍ୟାନ ସଞ୍ଜୁ ସାମସନ । ସେ ବର୍ତ୍ତମାନ ଇଂଲଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ବ୍ୟସ୍ତ ଅଛନ୍ତି । ଏହି ସିରିଜର ପ୍ରଥମ ମ୍ୟାଚ୍ ୨୨ ଜାନୁଆରୀରେ କୋଲକାତାର ଇଡେନ ଗାର୍ଡେନରେ ଖେଳାଯାଇଛି ।
ସିରିଜ୍ ଆରମ୍ଭ ହେବା ପୂର୍ବରୁ, ସାମସନଙ୍କ ବାପା ସାମସନ ବିଶ୍ୱନାଥ ସ୍ପୋର୍ଟସ୍ ଟୁଡେକୁ ଦେଇଥିବା ଏକ ସାକ୍ଷାତକାରରେ ସୂର୍ଯ୍ୟକୁମାର ଯାଦବ ଏବଂ ଗୌତମ ଗମ୍ଭୀରଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଥିଲେ । ସେ କହିଛନ୍ତି ଯେ ସେ ଉଭୟଙ୍କ ପାଦ ଛୁଇଁବାକୁ ଚାହାଁନ୍ତି କାରଣ ସେମାନଙ୍କ ଯୋଗୁଁ ହିଁ ତାଙ୍କ ପୁଅ ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜରେ ଖେଳିବାର ସୁଯୋଗ ପାଇଛି।
ସଞ୍ଜୁ ସାମସନଙ୍କ ବାପା ତାଙ୍କ ଏବଂ କେରଳ କ୍ରିକେଟ ଆସୋସିଏସନ (କେସିଏ) ମଧ୍ୟରେ ଚାଲିଥିବା ବିବାଦ ସମ୍ପର୍କରେ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି। ସେ କହିଥିଲେ ଯେ ସାମସନ୍ କେରଳରେ ସୁରକ୍ଷିତ ନୁହଁନ୍ତି ଏବଂ ତାଙ୍କ ପୁଅ ସହିତ କିଛି ମଧ୍ୟ ହୋଇପାରେ । ସେ ଏପରି ମଧ୍ୟ କହିଥିଲେ ଯେ ସେ ଚାହାଁନ୍ତି ଯେ ସାମସନ କେରଳ ଛାଡି ଅନ୍ୟ କୌଣସି ରାଜ୍ୟ ପାଇଁ ଖେଳିବେ।
ପ୍ରକୃତରେ, ଏହି ବିବାଦ ସୟଦ ମୁସ୍ତାକ ଅଲୀ ଟ୍ରଫି ଏବଂ ବିଜୟ ହଜାରେ ଟ୍ରଫି ସହିତ ଜଡିତ । ଗତ ବର୍ଷ ଡିସେମ୍ବରରେ, ସାମସନ ସୟଦ ମୁସ୍ତାକ ଅଲି ଟ୍ରଫିରେ କେରଳର ଅଧିନାୟକ ଥିଲେ କିନ୍ତୁ ବିଜୟ ହଜାରେ ଟ୍ରଫି ପୂର୍ବରୁ ଶିବିରରୁ ବିରତି ନେଇଥିଲେ। ଏହା ପରେ ତାଙ୍କୁ ଦଳରେ ସାମିଲ କରାଯାଇ ନଥିଲା। ଏହି ନିଷ୍ପତ୍ତି ଯୋଗୁଁ ସାମସନଙ୍କ ଚାମ୍ପିଅନ୍ସ ଟ୍ରଫିରୁ ବାଦ ପଡ଼ିବା ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଥିଲା।