ଆଟଲିଙ୍କ ଫିଲ୍ମରେ ଧମାଲ କରିବେ ଦବଙ୍ଗ ଖାନ, ୨୦୨୫ରେ ହେବ ସୁଟିଂ

Published By : Prameya-News7 Bureau | June 21, 2024 IST

‘ଯୱାନ୍‌’ ଜରିଆରେ ବଲିଉଡ୍‌ରେ ଶାହରୁଖ୍‌ ଖାନ୍‌ଙ୍କ ସହ ମେଗା ବ୍ଲକ୍‌ବଷ୍ଟର ଫିଲ୍ମ ଦର୍ଶକଙ୍କୁ ଭେଟି ଦେବା ପରେ ଦବଙ୍ଗ ଖାନ୍‌ଙ୍କ ସହ ଯୋଡ଼ି ହୋଇଛନ୍ତି ନିର୍ଦ୍ଦେଶକ ଆଟଲି । ତାଙ୍କ ଅପ୍‌କମିଙ୍ଗ ପ୍ରୋଜେକ୍ଟରେ ଲିଡ୍‌ ହିରୋ ଭାବେ ନଜର ଆସିବେ ସଲ୍ଲୁ । ତାଙ୍କ ସହ ସାଉଥ୍‌ର ଜଣେ ସୁପର୍‌ଷ୍ଟାର ହିରୋ ଭୂମିକାରେ ନଜର ଆସିବେ ବୋଲି ଚର୍ଚ୍ଚା ହେଉଛି । ଦୁଇଜଣ ନାୟକଙ୍କୁ ନେଇ ଆଟଲିଙ୍କର ଏହି ପ୍ରେଜେକ୍ଟ ଦମ୍‌ଦାର ହେବ ବୋଲି ଦର୍ଶକ ଏବେଠୁ କଳ୍ପନା କଲେଣି। 

ଫିଲ୍ମ ପାଇଁ ସଲମାନ ଓ ଆଟଲିଙ୍କ ମଧ୍ୟରେ ଏବେ ଆଲୋଚନା ଚାଲିଛି ।  ସନ୍‌ ପିକ୍‌ଚର୍ସ ଫିଲ୍ମର ପ୍ରଯୋଜନା ଦାୟିତ୍ଵ ନିର୍ବାହ କରିବ । ଆଟଲି ଏବେ ଫିଲ୍ମର ପଟ୍ଟକଥା ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି । ଗୋଟିଏ ମାସ ମଧ୍ୟରେ ସେ ସଲ୍ଲୁଙ୍କୁ ପୂରା କାହାଣୀ ପ୍ରଦାନ କରିବେ । ଏହା ପରେ ଉଭୟ ଫିଲ୍ମର ସୁଟିଂ ଆରମ୍ଭ ଲାଗି ତାରିଖ ସ୍ଥିର କରିବେ । ୨୦୨୫ ମସିହା ପ୍ରାରମ୍ଭରେ ଫିଲ୍ମର ସୁଟିଂ ଆରମ୍ଭ ହେବ ବୋଲି ଏକ ମନୋରଞ୍ଜନଧର୍ମୀ ଗଣମାଧ୍ୟମ ସ୍ପଷ୍ଟ କରିଛି । ସଲମାନ ଓ ସାଉଥ୍‌ ସୁପରଷ୍ଟାର୍‌ଙ୍କ ସହିତ ମିଶି ଆଟଲି ପାନ୍‌-ଇଣ୍ଡିଆ ଫିଲ୍ମ ପ୍ରସ୍ତୁତିର ଯୋଜନା କରୁଛନ୍ତି । 

ତେବେ ସଲ୍ଲୁଙ୍କ ସହ ଫିଲ୍ମରେ ରଣବୀର ସିଂହଙ୍କୁ କାଷ୍ଟ୍‌ କରାଯାଇପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି । କିଛି ଦିନ ତଳେ ଗୁଜବ ଉଠିଥିଲା, ଆଟଲି ନିଜର ଅପ୍‌କମିଙ୍ଗ ଫିଲ୍ମରେ ଅଭିନେତା ଅଲ୍ଲୁ ଅର୍ଜୁନଙ୍କୁ କାଷ୍ଟ୍‌ କରିପାରନ୍ତି । ଖୁବ୍‌ଶୀଘ୍ର ଫିଲ୍ମକୁ ନେଇ ନୂଆ ଅପ୍‌ଡେଟ୍‌ ମିଳିବ ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.