ବାଲି ମାଫିଆଙ୍କ ପୁଣି ଦାଦାଗିରି, ପଥରରେ ଛେଚି ଯୁବକଙ୍କୁ କରିଦେଲେ ଲହୁଲୁହାଣ

Published By : Prameya-News7 Bureau | December 28, 2024 IST

ଉଦଳା ୨୮।୧୨ :  ବାଲି ମାଫିଆଙ୍କ ପୁଣି ଦାଦାଗିରି। ସପ୍ତାହେ ପୂର୍ବରୁ ବେଆଇନ ବାଲି ଜବତ କରିବାକୁ ଯାଇଥିବା ବେଳେ କପ୍ତିପଦା ଥାନା ଅଧିକାରୀଙ୍କୁ ବାଲି ମାଫିଆ ଆକ୍ରମଣ କରିଥିଲେ । ଘଟଣାକୁ ସପ୍ତାହେ ବିତି ନ ଥିବା ବେଳେ ପୁଣି ଥରେ କପ୍ତିପଦା ଥାନା ଅଞ୍ଚଳରୁ ଆସିଛି ବାଲି ମାଫିଆଙ୍କ ଦାଦାଗିରିର ଘଟଣା। 

ବାଲି ମାଫିଆ ଜଣେ ଯୁବକଙ୍କୁ ଗାଁ ରାସ୍ତାରେ ନିସ୍ତୁକ ମାଡ଼ ମାରିଛନ୍ତି। ପଥରରେ ଯୁବକଙ୍କ ମୁଣ୍ଡକୁ ଛେଚି ଲହୁଲୁହାଣ କରିଛନ୍ତି। ଶୁକ୍ରବାର ରାତିରେ ବାଲି ମାଫିଆମାନେ ବଜରପୁର ବାଲି ଘାଟରୁ ଚୋରା ବାଲି ଚାଲାଣ କରୁଥିଲେ। ଚୋରା ଚାଲାଣ କରୁଥିବା ଦ୍ରୁତଗତିରେ ଟ୍ରାକ୍ଟର ଗୁଡିକ ଗାଁ ଭିତରେ ଯାଉଥିଲା। ଗାଁର ଯୁବକ ମାନସ କୁମାର ସାହୁ ଟ୍ରାକ୍ଟର ଅଟକାଇ ଦ୍ରୁତଗତିରେ ଚଳାଇବା ପାଇଁ ମନା କରିଥିଲେ । ଏହାକୁ ନେଇ ତାତିଥିଲେ ବାଲି ମାଫିଆ। ୪ ରୁ ୫ ମାଫିଆ ଯୁବକଙ୍କୁ ଅତର୍କିତ ଆକ୍ରମଣ କରିବା ସହିତ ପଥରରେ ତାଙ୍କ ମୁଣ୍ଡକୁ ଛେଚି ଦେଇ ଥିଲେ। ଫଳରେ ମାନସ ଙ୍କ ମୁଣ୍ଡ ଫାଟି ପ୍ରବଳ ରକ୍ତସ୍ରାବ ହୋଇଥିଲା। ତାଙ୍କ ଚିତ୍କାର ଶୁଣି ଗ୍ରାମବାସୀ ଆସି ତାଙ୍କୁ ଗୁରୁତର ଅବସ୍ଥାରେ କପ୍ତିପଦା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତେବେ ସ୍ବାସ୍ଥ୍ୟଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାରିପଦା ସ୍ଥାନାନ୍ତର କରାଯାଇଛି। ଅଭିଯୋଗ ହେବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ଗୋଟିଏ ଟ୍ରାକ୍ଟର ମଧ୍ୟ ଜବତ କରିଛି।

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.