ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି(ଆପ୍)ର ବରିଷ୍ଠ ନେତା ତଥା ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ମୁସ୍କିଲ ବଢି ଯାଇଛି। ସତ୍ୟେନ୍ଦ୍ରଙ୍କ ବିରୋଧରେ ମୋକଦ୍ଦମା ଚଲାଇବା ଦାବିରେ ଦାଖଲ ଫାଇଲ୍ ଉପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୋହର ମାରିଛନ୍ତି।
୬୦ ବର୍ଷୀୟ ଜୈନଙ୍କ ବିରୋଧରେ ଗୃହ ମନ୍ତ୍ରଣାଳୟ ଭାରତୀୟ ନାଗରିକ ସୁରକ୍ଷା ସଂହିତାର ଧାରା ୨୧୮ ଆଧାରରେ ମୋକଦ୍ଦମା ଚଲାଇବା ପାଇଁ ମଞ୍ଜୁରୀ ଦେବାକୁ ଅନୁରୋଧ କରିଥିଲା। ମନ୍ତ୍ରଣାଳୟ ଇଡିର ତଦନ୍ତ ଓ ପର୍ଯ୍ୟାପ୍ତ ପ୍ରମାଣ ଆଧାରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ତଦନ୍ତ ପାଇଁ ଅନୁମତି ଦେବାକୁ ଅନୁରୋଧ କରିଥିଲା। ଯାହାକୁ ମଞ୍ଜୁରୀ ଦେଇଛନ୍ତି ରାଷ୍ଟ୍ରପତି।
ସୂଚନାଯୋଗ୍ୟ, କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ପୂର୍ବତନ ସ୍ଵାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ମନି ଲଣ୍ଡ୍ରିଂ କେସରେ ୨୦୨୨ ମେରେ ଗିରଫ କରିଥିଲା। ଜୈନ ବର୍ତ୍ତମାନ ଜାମିନରେ ଅଛନ୍ତି ଓ ଇଡି ତାଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି।
Also read: 'ମୃତ୍ୟୁକୁମ୍ଭରେ ପରିଣତ ହୋଇଛି ମହାକୁମ୍ଭ': ଯୋଗୀ ସରକାରଙ୍କୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କଡ଼ା ସମାଲୋଚନା
ମନି ଲଣ୍ଡ୍ରିଂ ମାମଲାରେ ୨୦୧୭ ଅଗଷ୍ଟରେ ସିବିଆଇ ଜୈନ ଓ ଅନ୍ୟ ଦୁଇ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ଏପରିକି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ୨୦୧୮ରେ ଅଭିଯୋଗଫର୍ଦ୍ଦ ଦାଖଲ କରିଥିଲା। ଏଥିରେ ଅଭିଯୋଗ ହୋଇଥିଲା ଯେ, ଜୈନଙ୍କର ଆୟଠୁ ୧.୪୭ କୋଟି ଟଙ୍କାର ଅଧିକ ସଂପତ୍ତି ରହିଥିଲା, ଯାହା ୨୦୧୫-୧୭ରେ ଜୈନଙ୍କ ଆୟଠୁ ପ୍ରାୟ ୨୧୭ ପ୍ରତିଶତ ଅଧିକ।