ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ(ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କୁ ମଙ୍ଗଳବାର ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ବିଶ୍ୱବିଦ୍ୟାଳୟ ଅଧିନସ୍ଥ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ର ୨୦୧୦ ବ୍ୟାଚର ଛାତ୍ର ତଥା ରାଇଡ୍ସ୍କାନ୍, ୟୁନାଇଟେଡ୍ କିଙ୍ଗଡମ୍ର ସହ-ପ୍ରତିଷ୍ଠାତା ଶ୍ରୀ ଲୋହିତ କୁମାର ଦାସ । ଶ୍ରୀ ଦାସ ପୂର୍ବରୁ ୱିପ୍ରୋରେ କାର୍ଯ୍ୟରତ ରହିସାରିଥିବା ବେଳେ ଲଣ୍ଡନ୍ ବିଜିନେସ୍ ସ୍କୁଲରୁ ଏମ୍ବିଏ ମଧ୍ୟ କରିଛନ୍ତି ।
ସେହିପରି ସେ ଉଭୟ ୟୁକେ ଏବଂ ଭାରତରେ କାର୍ଯ୍ୟକ୍ରମ ଥିବା ଏକ ଏଆଇ ଆନାଲିଟିକ୍ସ କମ୍ପାନୀରେ ମଧ୍ୟ ଆଂଚଳିକ ନିର୍ଦ୍ଦେଶକ ଭାବେ କାର୍ଯ୍ୟ ତୁଲାଇଛନ୍ତି । ସେ ଆର୍ଟିଫିସିଆଲ୍ ଇନ୍ଟେଲିଜେନ୍ସର ନୈତିକତା ଓ ସୁରକ୍ଷାକୁ ଗୁରୁତ୍ୱ ରଖି ଏକ ଏଆଇ ରୋବୋଟିକ୍ସ କମ୍ପାନୀ ମଧ୍ୟ ଆରମ୍ଭ କରିଛନ୍ତି । ବର୍ତ୍ତମାନ ଶ୍ରୀ ଦାସ ଓଡ଼ିଶା ସୋସାଇଟି ଅଫ୍ ୟୁକେର ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟ ତୁଲାଇବା ସହ ବିଭିନ୍ନ ମାନସିକ ସ୍ୱାସ୍ଥ୍ୟ ସଚେତନତାମୂଳକ କାର୍ଯ୍ୟକ୍ରମ ମଧ୍ୟ ହାତକୁ ନେଇଛନ୍ତି ।
ପ୍ରଫେସର ନାୟକଙ୍କ ସହିତ ସାକ୍ଷାତ ସମୟରେ ସାରା ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଥିବା ସୋଆର ପୁର୍ବତନ ଛାତ୍ରଛାତ୍ରୀମାନଙ୍କୁ କିଭଳି ଅଧିକ ମାତ୍ରାରେ ଏକତ୍ରିତ କରାଯାଇ ପାରିବ ସେ ସମ୍ପର୍କରେ ଶ୍ରୀ ଦାସ ଆଲୋଚନା କରିଥିଲେ । ସେହିପରି ସୋଆର ଛାତ୍ରଛାତ୍ରୀମାନଙ୍କୁ ଅଧିକ ମାତ୍ରାରେ ସ୍ୱାବଲମ୍ବୀ ହେବା କ୍ଷେତ୍ରରେ କିଭଳି ଅଧିକ ଗୁରୁତ୍ୱ ଦିଆଯାଇ ପାରିବ ସେ ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ । ଏହି ଅବସରରେ ସୋଆର କର୍ପୋରେଟ ରିଲେସନ୍ସ ଆଣ୍ଡ ପ୍ଲେସ୍ମେଂଟ ଡିନ୍ ଡକ୍ଟର ରାଜ କୁମାର ହୋତା ଉପସ୍ଥିତ ଥିଲେ ।