ରାଜ୍ୟସ୍ତରୀୟ ମଧୁବାବୁ ଜୟନ୍ତୀ ଓ ସାଲେପୁର ମହୋତ୍ସବ ଉଦଯାପିତ

Published By : Prameya-News7 Bureau | April 29, 2025 IST

ସାଲେପୁର: ଉଦଯାପିତ ହୋଇଛି ରାଜ୍ୟସ୍ତରୀୟ ମଧୁବାବୁ ଜୟନ୍ତୀ ଓ ସାଲେପୁର ମହୋତ୍ସବ। ମଧୁ ଜୟନ୍ତୀ କମିଟିର ସଭାପତି ପ୍ରକାଶ ଚନ୍ଦ୍ର ବେହେରାଙ୍କ ସଭାପତିତ୍ୱ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ, ସମ୍ମାନିତ ଅତିଥି ବଡ଼ମ୍ବା ନରସିଂହପୁର ବିଧାୟକ ବିଜୟ ଦଳବେହେରା ଯୋଗ ଦେଇଥିଲେ। 

ଏହି ଅବସରରେ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ କହିଛନ୍ତି ଉତ୍କଳ ଗୌରବ ମଧୁବାବୁ ଓଡ଼ିଆ ଜାତି ପାଇଁ ଯାହା କରି କରିଯାଇଛନ୍ତି, ତଥା ଓଡ଼ିଆ ଜାତି ପାଇଁ ତାଙ୍କ ଅବଦାନ ଚିରସ୍ମରଣୀୟ। ମଧୁବାବୁଙ୍କୁ ଭାରତ ରତ୍ନ ସହ ତାଙ୍କ ଜନ୍ମ ପୀଠକୁ ଜାତୀୟ ସ୍ମାରକୀ ଘୋଷଣା କରିବା ପାଇଁ ବିଧାନସଭାରେ ଆଲୋଚନା କରିବା ମଧ୍ୟ ସେ ପ୍ରତିଶ୍ରୁତି ଦେଇଛନ୍ତି।

ସେହିଭଳି ସମ୍ମାନିତ ଅତିଥି ବଡ଼ମ୍ବା ନରସିଂହପୁର ବିଧାୟକ ବିଜୟ ଦଳବେହେରା ଯୋଗ ଦେଇ କହିଥିଲେ, ମଧୁବାବୁ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ କରିବାର ମୁଖ୍ୟ ବିନ୍ଧାଣୀ ରହିବା ସହିତ ଓଡ଼ିଆ ଜାତିର ଟେକ ସ୍ୱାଭିମାନ ପାଇଁ ଜୀବନ ସାରା କାର୍ଯ୍ୟ କରିଛନ୍ତି। ମଧୁବାବୁଙ୍କୁ ଭାରତ ରତ୍ନ ଏବଂ ତାଙ୍କ ଜନ୍ମସ୍ଥାନକୁ ଜାତୀୟ ସ୍ମାରକୀ ଘୋଷଣା କରିବା ପାଇଁ ବିଧାନସଭାରେ ଆଲୋଚନା କରାଯିବ ବୋଲି କହିଛନ୍ତି ବିଧାୟକ ବିଜୟ ଦଳବେହେରା। ସେହିଭଳି ସାଲେପୁରର ପୁର୍ବତନ ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା କହିଛନ୍ତି ୧୯ ବର୍ଷ ଧରି ମଧୁବାବୁଙ୍କ ଜୟନ୍ତୀ ପାଳନ କରି ଯେଉଁ ଭଳି ଭାବେ ମଧୁବାବୁଙ୍କ ନୀତି ଆଦର୍ଶକୁ ପ୍ରଚାର ପ୍ରସାର କରାଯାଉଛି ତାହା କେବେ ବ୍ୟର୍ଥ ଯିବନାହିଁ। 


ମହୋତ୍ସବର ଶେଷ ସନ୍ଧ୍ୟାରେ ଜିଲ୍ଲା ଓ ଜିଲ୍ଲା ବାହାର ନାମିଦାମୀ କଳାକାରଙ୍କ ନାଚଗୀତ କମ୍ପିଥିଲା ମଞ୍ଚ। ଶେଷ ସନ୍ଧ୍ୟାରେ  ଆତସବବାଜି ସହ ଋତୁରାଜଙ୍କ ସଙ୍ଗୀତ, ପପୁ ପମପମଙ୍କ କମେଡି ନାଚ ଗୀତରେ ହଜାର ହଜାର ଦର୍ଶକ ମତୁଆଲା ହୋଇଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.