ସମ୍ଭାବ୍ୟ ବାତ୍ୟା ‘ଦାନା’ର ମୁକିବାଲ ପାଇଁ ପ୍ରସ୍ତୁତି, ୬ ଜିଲ୍ଲା ପାଇଁ ନିଯୁକ୍ତ ହେଲେ ବରିଷ୍ଠ IAS

Published By : Prameya-News7 Bureau | October 22, 2024 IST

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା 'ଦାନା' ପାଇଁ ରାଜ୍ୟ ସରକାର ବିଭିନ୍ନ ଜିଲ୍ଲା ପାଇଁ ସ୍ୱତନ୍ତ୍ର ଅଫିସରଙ୍କୁ ଦାୟିତ୍ୱ ଦେଇଛନ୍ତି । ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ବାତ୍ୟାରେ ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡ଼ିକରେ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟର ତଦାରଖ ପାଇଁ ନିଯୁକ୍ତି ଦିଆଯାଇଛି । ଦାୟିତ୍ୱ ପାଇଥିବା ଅଧିକାରୀମାନଙ୍କୁ ଅକ୍ଟୋବର ୨୩ ସକାଳ ସୁଦ୍ଧା ସମ୍ପୃକ୍ତ ଜିଲ୍ଲାରେ ପହଞ୍ଚିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ପକ୍ଷରୁ ଜାରି ହୋଇଥିବା ଚିଠିରେ ବରିଷ୍ଠ ଆଇଏଏସ୍ କେ.ସୁଦର୍ଶନ ତକ୍ରବର୍ତ୍ତୀଙ୍କୁ ବାଲେଶ୍ୱର, ତ୍ରିଲୋଚନ ମାଝୀଙ୍କୁ ଭଦ୍ରକ, ବଲୱନ୍ତ ସିଂହଙ୍କୁ ପୁରୀ, ଭିନୀତ ଭରଦ୍ୱାଜଙ୍କୁ ମୟୂରଭଞ୍ଜ, ଯାମିନୀ ଷଡ଼ଙ୍ଗୀଙ୍କୁ ଜଗତସିଂହପୁର ଏବଂ ସମର୍ଥ ବର୍ମାଙ୍କୁ କେନ୍ଦ୍ରପଡ଼ା ଦାୟିତ୍ୱ ଦିଆଯାଇଛି ।

ଏହା ପୂର୍ବରୁ ସମ୍ଭାବ୍ୟ ବାତ୍ୟା ପାଇଁ ସରକାର ସ୍ଵତନ୍ତ୍ର ଅଫିସର ନିଯୁକ୍ତି କରିବେ ବୋଲି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଥିଲେ । ଯେଉଁମାନଙ୍କ ପୂର୍ବ ବାତ୍ୟାରେ କାର୍ଯ୍ୟ କରିଛନ୍ତି, ତାଙ୍କର ତାହା ଉପରେ ଦକ୍ଷ ଅଛନ୍ତି । ତେବେ ଏହି ସମୟରେ ସେମାନଙ୍କୁ ପ୍ରଭାବିତ ଅଞ୍ଚଳରେ ସରକାର ନିଯୁକ୍ତି ଦେବେ ବୋଲି କହିଥିଲେ ।

ସମ୍ଭାବ୍ୟ ବାତ୍ୟା ପାଇଁ ରାଜ୍ୟରେ ୨୫୦ ରିଲିଫ ସେଣ୍ଟର ପ୍ରସ୍ତୁତ ଅଛି । ୫୦୦ରୁ ଉର୍ଦ୍ଧ୍ୱ ଅସ୍ଥାୟୀ ବାତ୍ୟା ଆଶ୍ରୟ ସ୍ଥଳୀ ପ୍ରସ୍ତୁତ ହେଉଛି । କଲେଜ ଓ ବିଦ୍ୟାଳୟ ଗୁଡିକୁ ଅସ୍ଥାୟୀ ବାତ୍ୟା ଆଶ୍ରୟ ସ୍ଥଳୀ ଭାବେ ବ୍ୟବହାର କରାଯିବ । ଶତ ପ୍ରତିଶତ ଲୋକଙ୍କୁ ସ୍ଥାନାନ୍ତରିତକୁ ଲକ୍ଷ୍ୟ ରଖାଯାଇଛି । ବାତ୍ୟା ପୂର୍ବରୁ ସ୍ଥାନାନ୍ତରିତ ଆରମ୍ଭ ହେବ । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗର୍ଭବତୀ ମହିଳାଙ୍କ ତାଲିକା ମଧ୍ୟ ପ୍ରସ୍ତୁତ ସରିଛି । ଯୋଗାଣ ବିଭାଗ ମଧ୍ୟ ଜିଲ୍ଲା ଗୁଡିକୁ ଆବଶ୍ୟକୀୟ ଖାଦ୍ୟ ସାମଗ୍ରୀ ପଠାଇ ସାରିଲାଣି । ବାତ୍ୟା ଆଶ୍ରୟସ୍ଥଳୀରେ ମହିଳାଙ୍କ ସୁରକ୍ଷା ପାଇଁ ରିଲିଫ ସେଣ୍ଟରରେ ମହିଳା ପୋଲିସ ଅଧିକାରୀ ଓ କର୍ମଚାରୀ ରହିବେ । 

  • Cyclone Dana
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.