ନୂଆଦିଲ୍ଲୀ: ରେଷ୍ଟୁରାଣ୍ଟଗୁଡ଼ିକ ଫୁଡ୍ ବିଲ୍ରେ ଆଉ ବାଧ୍ୟତାମୂଳକ ଭାବେ ସର୍ଭିସ୍ ଚାର୍ଜ ଆଦାୟ କରିପାରିବେ ନାହିଁ। ଏହା ସମ୍ପୂର୍ଣ୍ଣ ସ୍ୱେଚ୍ଛାକୃତ ହେବ। ଶୁକ୍ରବାର (୨୮ ମାର୍ଚ୍ଚ) ଦିଲ୍ଲୀ ହାଇକୋର୍ଟ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ୨୦୨୨ ମସିହାରେ କେନ୍ଦ୍ରୀୟ ଗ୍ରାହକ ସୁରକ୍ଷା ପ୍ରାଧିକରଣ (ସିସିପିଏ) ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ବଳବତ୍ତର ରଖିବା ସହିତ ବାଧ୍ୟତାମୂଳକ ଚାର୍ଜ ଆଦାୟ କରିବା ଅନୁଚିତ ବାଣିଜ୍ୟ ଅଭ୍ୟାସ ବୋଲି କୋର୍ଟ କହିଛନ୍ତି।
ପ୍ରକୃତରେ ସିସିପିଏ ଗାଇଡ୍ଲାଇନ୍ରେ ହୋଟେଲ ଏବଂ ରେଷ୍ଟୁରାଣ୍ଟଗୁଡ଼ିକ ଖାଦ୍ୟ ବିଲ୍ରେ ଅଟୋମେଟିକ କିମ୍ବା ଡିଫଲ୍ଟ ସର୍ଭିସ୍ ଶୁଳ୍କ ଯୋଡ଼ି ପାରିବେ ନାହିଁ ବୋଲି ନିୟମ ରହିଥିଲା। ଏହି ନିର୍ଦ୍ଦେଶାବଳୀକୁ ଚ୍ୟାଲେଞ୍ଜ୍ କରିଥିଲା ରେଷ୍ଟୁରାଣ୍ଟ ଆସୋସିଏସନ। ଦିଲ୍ଲୀ ହାଇକୋର୍ଟ ବିଚାରପତି ପ୍ରତିଭା ଏମ୍ ସିଂହ ଏହି ମାମଲାରେ ରାୟ ଶୁଣାଣିବା ସହିତ ରେଷ୍ଟୁରାଣ୍ଟ ଆସୋସିଏସନ ଉପରେ ୧ ଲକ୍ଷ ଟଙ୍କା ଜରିମାନା ଲଗାଇଛନ୍ତି।
ପଢନ୍ତୁ- ATMରୁ ଅତିରିକ୍ତ ଉଠାଣ ଉପରେ ୧ ମେରୁ ଲାଗିବ ଅଧିକ ୨ଟଙ୍କା ଶୁଳ୍କ
ହାଇକୋର୍ଟ ସିସିପିଏ ନିର୍ଦ୍ଦେଶାବଳୀକୁ ସମର୍ଥନ କରି କହିଛନ୍ତି ଯେ ପ୍ରାଧିକରଣ କେବଳ ଏକ ପରାମର୍ଶଦାତା ସଂସ୍ଥା ନୁହେଁ ଏବଂ ଅନୁଚିତ, ତା' ପାଖରେ ବାଣିଜ୍ୟ ଅଭ୍ୟାସକୁ ରୋକିବା ଏବଂ ଗ୍ରାହକ ସ୍ୱାର୍ଥକୁ ସୁରକ୍ଷା ଦେବା ପାଇଁ ନିର୍ଦ୍ଦେଶାବଳୀ ଜାରି କରିବାର କ୍ଷମତା ରହିଛି।
ସୂଚନା ଥାଉକି ସିସିପିଏ ୨୦୨୨ ମସିହାରେ ଏହି ନିର୍ଦ୍ଦେଶାବଳୀ ଜାରି କରିଥିଲା। ଏଥିରେ କୁହାଯାଇଥିଲା ଯେ ରେଷ୍ଟୁରାଣ୍ଟଗୁଡ଼ିକ ଅଟୋମେଟିକ କିମ୍ବା ବାଏ ଡିଫଲ୍ଟ ଭାବରେ ଖାଦ୍ୟ ବିଲ୍ରେ ସେବା ଶୁଳ୍କ ଯୋଡିପାରିବେ ନାହିଁ, କିମ୍ବା ଏହାକୁ ଅନ୍ୟ କୌଣସି ନାଁରେ ଜାରି କରିପରିବେ ନାହିଁ।
ଗାଇଡ୍ଲାଇନ୍ରେ ଆହୁରି କୁହାଯାଇଥିଲା ଯେ ହୋଟେଲ ଏବଂ ରେଷ୍ଟୁରାଣ୍ଟଗୁଡ଼ିକୁ ଗ୍ରାହକମାନଙ୍କୁ ସେବା ଶୁଳ୍କ ଦେବାକୁ ବାଧ୍ୟ କରିବା ମଧ୍ୟ ନିଷେଧ ଏବଂ ସେମାନଙ୍କୁ ସ୍ପଷ୍ଟ ଭାବରେ ଜଣାଇବାକୁ ପଡିବ ଯେ ଏହା ସ୍ୱେଚ୍ଛାକୃତ, ଇଚ୍ଛାଧୀନ ଏବଂ ସମ୍ପୂର୍ଣ୍ଣ ଭାବରେ ଗ୍ରାହକଙ୍କ ବିବେଚନାରେ ଉପରେ ନିର୍ଭର କରେ।
ଲିଗାଲ ନ୍ୟୁଜ୍ ପୋର୍ଟାଲ୍ ବାର୍ ଆଣ୍ଡ୍ ବେଞ୍ଚ୍ ଅନୁଯାୟୀ, ପ୍ରାଧିକରଣ ଆହୁରି ନିର୍ଦ୍ଦେଶ ଦେଇଥିଲେ ଯେ ସେବା ଶୁଳ୍କ ସଂଗ୍ରହ ଉପରେ ପ୍ରବେଶ କିମ୍ବା ସେବା ଯୋଗାଣ ଉପରେ କୌଣସି ପ୍ରତିବନ୍ଧକ ଲଗାଯାଇପାରିବ ନାହିଁ। ଖାଦ୍ୟ ବିଲ୍ ସହିତ ସେବା ଶୁଳ୍କ ଯୋଡାଯାଇପାରିବ ନାହିଁ ଏବଂ ମୋଟ ପରିମାଣ ଉପରେ ଜିଏସ୍ଟି ଲାଗୁ କରାଯାଇପାରିବ ନାହିଁ ବୋଲି ଗାଇଡଲାଇନରେ କୁହାଯାଇଥିଲା। ଅନୁଚିତ ବାଣିଜ୍ୟ ଅଭ୍ୟାସକୁ ରୋକିବାକୁ ସିସିପିଏ ଏହି ଗାଇଡଲାଇନ୍ ଜାରି କରିଥିଲା।
ପଢନ୍ତୁ- କେନ୍ଦ୍ର କର୍ମଚାରୀଙ୍କୁ ବଡ଼ ଉପହାର, ଡିଏ ବଢ଼ାଇଲେ ସରକାର
ଏହି ଗାଇଡ୍ଲାଇନ ବିରୋଧରେ ନ୍ୟାସନାଲ ରେଷ୍ଟୁରାଣ୍ଟ ଆସୋସିଏସନ୍ ଅଫ୍ ଇଣ୍ଡିଆ (NRAI) ଏବଂ ଫେଡେରେସନ୍ ଅଫ୍ ହୋଟେଲ ଆଣ୍ଡ ରେଷ୍ଟୁରାଣ୍ଟ ଆସୋସିଏସନ୍ ଅଫ୍ ଇଣ୍ଡିଆ (FHRAI) କୋର୍ଟଙ୍କ ଦ୍ୱରସ୍ଥ ହୋଇଥିଲେ। ଏହାପରେ ୨୦ ଜୁଲାଇ ୨୦୨୨ ଦିଲ୍ଲୀ ହାଇକୋର୍ଟ ଏହି ନିର୍ଦ୍ଦେଶାବଳୀ ଉପରେ ରୋକ ଲଗାଇଥିଲେ।