କଟକ ୦୧।୦୪ : କଟକରେ ଭୟଙ୍କର ଅଗ୍ନିକାଣ୍ଡ। କଟକ ଦୋଳମୁଣ୍ଡାଇ ଛକରେ ଥିବା ଏକ ଲଗେଜ୍ ଏବଂ କପଡ଼ା ସୋ’ ରୁମ୍ରେ ଭୟଙ୍କର ନିଆଁ ଲାଗିଛି । ଯେଉଁଥିରେ ବହୁମାତ୍ରାରେ ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି ।
ଖବର ଅନୁଯାୟୀ, ମଙ୍ଗଳବାର ଦିନ ସକାଳ ସମୟରେ କିଛି କର୍ମଚାରୀ ସୋ’ ରୁମ୍ ଖୋଲିଥିଲେ । ଏହି ସମୟରେ ହଠାତ୍ ସୋ’ ରୁମ୍ ମଧ୍ୟରେ କିଛି ଶବ୍ଦ ହୋଇଥିଲା । ଆଉ ଏସି ପାଖରୁ ଧୂଆଁ ବାହାରିଥିଲା । କର୍ମଚାରୀମାନେ ତରିବରିଆ ଭାବେ ବାହାରକୁ ଚାଲିଆସିଥିଲେ । ସେପଟେ ଦେଖୁ ଦେଖୁ ସୋ’ ରୁମ୍ ମଧ୍ୟରୁ ଧୁଆଁ ବ୍ୟାପିଥିଲା । ଯାହାପରେ କର୍ମଚାରୀମାନେ ତୁରନ୍ତ ବାହାରକୁ ଚାଲିଆସିଥିଲେ ଆଉ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀର ଦୁଇଟି ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ ପାଇଁ ଉଦ୍ୟମ ଜାରି ରଖିଛନ୍ତି । ହେଲେ ବର୍ତ୍ତମାନ ନିଆଁକୁ ଆୟତ୍ତ କରିପାରିନାହାନ୍ତି । ତେବେ ସୋ’ ରୁମ୍ ଭିତରେ କପଡ଼ା ଏବଂ ପ୍ଲାଷ୍ଟିକ୍ ସାମଗ୍ରୀ ଥିବାରୁ ନିଆଁର ପ୍ରକୋପ ଦେଖିବାକୁ ମିଳିଛି । ସ୍ଥାନୀୟ ଲୋକ ମଧ୍ୟ ନିଆଁ ଲିଭା କାର୍ଯ୍ୟରେ ସହଯୋଗ କରୁଛନ୍ତି ।