ଫେବ୍ରୁଆରୀ ୧୪ ଭାରତ ପାଇଁ କଳାଦିନ; ୪୦ ଯବାନଙ୍କୁ ହରାଇ ଶୋକରେ ବୁଡ଼ିଛି ଦେଶ

Published By : Prameya-News7 Bureau | February 14, 2025 IST

ନୂଆଦିଲ୍ଲୀ: ଫେବ୍ରୁଆରୀ ୧୪ ତାରିଖ । କାହା ପାଇଁ ପ୍ରେମ ଦିବସ ତ କାହା ପାଇଁ କଳା ଦିନ । କିଏ ଏହି ଦିନକୁ ଗୋଲାପ ଦେଇ ପାଳୁଛି ତ ପୁଣି କିଏ କ୍ୟାଣ୍ଡେଲ ଜାଳି ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ୪୦ ବୀରଯବାନଙ୍କ ପାଇଁ ଶୋକ ସନ୍ତପ୍ତ ଦେଶ । ହାଁ ଆଜ୍ଞ, ଆଜି ସେହି ଦିନ, ଗୋଟିଏ ପଟେ ସାରା ଦେଶ ପ୍ରେମ ସପ୍ତାହ ପାଳୁଥିବା ବେଳେ ଅନ୍ୟପଟେ ରକ୍ତର ହୋଲି ଖେଳ ଚାଲିଥିଲା । ପ୍ରେମ ସପ୍ତାହରେ ଛାତି ଥରାଇ ଦେଇଥିଲା ପୁଲଓ୍ବାମାର ଆତ୍ମଘାତୀ ଆକ୍ରମଣ । ଆତଙ୍କବାଦୀଙ୍କ ଚକ୍ରବ୍ୟୁହରେ ଫସିଯାଇଥିଲେ ଭାରତୀୟ ଯବାନ । ଆଉ ଆତଙ୍କୀଙ୍କ ଆଇଇଡି ବିସ୍ଫୋରଣରେ ପ୍ରାଣବଳୀ ଦେଇଥିଲେ ୪୦ ବୀର ଯବାନ । ଆଜି ପୁଲଓ୍ବାମା ଆକ୍ରମଣକୁ ଠିକ୍ ୬ ବର୍ଷ ପୁରୁଛି । ସିଆରପିଏଫର ସହିଦ ବୀର ପୁତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛି ସାରା ଦେଶ । 

କେମିତି ଘଟିଲା ଏହି ଘଟଣା?

୨୦୧୯ ମସିହା ଫେବ୍ରୁଆରି ୧୪ ତାରିଖରେ ଏହି ଛାତିଖରା ଘଟଣା ଘଟିଥିଲା । ୨୫୦୦ ଯବାନଙ୍କୁ ନେଇ ସିଆର୍‌ପିଏଫ୍‌ର ୭୦ ଗାଡ଼ିର ଏକ କନଭୟ ଜମ୍ମୁରୁ ଶ୍ରୀନଗର ଯାଉଥିଲା। ଭୋର୍ ୩ଟା ୩୦ରୁ ଏହି ବସ୍‌ଗୁଡ଼ିକ ଶ୍ରୀନଗର ଅଭିମୁଖେ ବାହାରିଥିଲା। ସନ୍ଧ୍ୟା ସୁଦ୍ଧା ଶ୍ରୀନଗରରେ ପହଞ୍ଚିବାର ଥିଲା। ହେଲେ ପୁଲଓ୍ୱାମା ନିକଟରେ ଆତଙ୍କବାଦୀମାନେ ଶକ୍ତିଶାଳୀ ବିସ୍ଫୋରଣ ଘଟାଇଥିଲେ । ଏକ ଆଇଇଡି ଭର୍ତ୍ତି କାର୍‌ ଯବାନଙ୍କ କନଭୟ ଗାଡ଼ିକୁ ଧକ୍କା ଦେଇଥିଲା । ଫଳରେ ଭୟଙ୍କର ବିସ୍ଫୋରଣ ହୋଇଥିଲା । ଏଥିରେ ୪୦ ଯବାନ ସହିଦ ହୋଇଥିଲେ । ରକ୍ତରେ ଭିଜିଥିଲା ପୁଲଓ୍ବାମା ଜାତୀୟ ରାଜପଥ । ଅନେକ ଯବାନ ଆହତ ମଧ୍ୟ ହୋଇଥିଲେ । ସହିଦଙ୍କ ମଧ୍ୟରେ ଦୁଇ ଜଣ ଓଡ଼ିଆ ଯବାନ ଅଛନ୍ତି ।    

ମୁଖ୍ୟ ଅଭିଯୁକ୍ତ ଥିଲା ଆଦିଲ୍ ଅହମ୍ମଦ:

ଆତଙ୍କବାଦୀ ଆଦିଲ ଅହମ୍ମଦ ଡାରକୁ ଏହି ଆତ୍ମଘାତୀ ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ । ବିସ୍ଫୋରକ ଭର୍ତ୍ତି କାରକୁ ଆଦିଲ୍ ଅହମ୍ମଦ ହିଁ ଚଳାଉଥିଲା। ସିଆର୍‌ପିଏଫ୍ ବସ୍ ପୁଲଓ୍ୱାମା ଅତିକ୍ରମ କରୁଥିବା ବେଳେ ଆଦିଲ୍ ବିସ୍ଫୋରକ କାର୍ ନେଇ ବସ୍‌କୁ ଧକ୍କା ଦେଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.