ନୂଆଦିଲ୍ଲୀ ୭।୧୧: ନିଷିଦ୍ଧ ଜମ୍ମୁ-କାଶ୍ମୀର ଲିବରେସନ ଫ୍ରଣ୍ଟ (ଜେକେଏଲଏଫ) ମୁଖ୍ୟ ୟାସୀନ ମଲ୍ଲିକଙ୍କ ପତ୍ନୀ ମୁଶାଲ ହୁସୈନ ମଲ୍ଲିକ ରାହୁଲ ଗାନ୍ଧିଙ୍କୁ ଲେଖିଥିବା ପତ୍ରକୁ ନେଇ ଏବେ ରାଜନୀତି ଉଷ୍ମ ହେବାରେ ଲାଗିଛି। ଏହି ପ୍ରସଙ୍ଗରେ ବରିଷ୍ଠ ବିଜେପି ନେତ୍ରୀ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଗୁରୁବାର ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କରିଛନ୍ତି। ସେ ପଚାରିଛନ୍ତି ଜମ୍ମୁ-କାଶ୍ମୀରରେ ନିରିହ ଲୋକଙ୍କୁ ହତ୍ୟା କରିଥିବା ୟାସୀନ ମଲ୍ଲିକଙ୍କ ଭଳି ବିଛିନ୍ନତାବାଦୀ ନେତାମାନେ ରାହୁଲ ଗାନ୍ଧିଙ୍କୁ କାହିଁକି ସହାୟତା ମାଗୁଛନ୍ତି?
ସ୍ମୃତି ଇରାନୀ କହିଛନ୍ତି ଯେ ଆତଙ୍କର ସାହାରା ନେଉଥିବା ଲୋକେ ଗାନ୍ଧି ପରିବାରକୁ ସହାୟତା ମାଗୁଛନ୍ତି। ଯେଉଁମାନେ କାଶ୍ମୀରରେ ଆତଙ୍କରାଜ ଚଳାଇଥିଲେ, ନିର୍ଦ୍ଦୋଷଙ୍କ ଜୀବନ ନେଉଥିଲେ ଆଜି ସେମାନେ ସହାୟତା ପାଇଁ ଗାନ୍ଧି ପରିବାରକୁ ହାତ ବଢାଉଛନ୍ତି କାହିଁକି? ଏପରି କଣ ଅଛି ଯେ ଆତଙ୍କର ସାହାରା ଓ ସାଥ ଦେଉଥିବା ଲୋକେ ଆଜି ଗାନ୍ଧି ପରିବାରର ସହାୟତା ଚାହୁଁଛନ୍ତି? ଉଲ୍ଲେଖଯୋଗ୍ୟ ଯେ ୟାସୀନ ମଲ୍ଲିକର ପତ୍ନୀ ମୁଶାଲ ପତ୍ରରେ ଦାବି କରିଛନ୍ତି ଯେ ତାଙ୍କ ସ୍ୱାମୀ ଜମ୍ମୁ-କାଶ୍ମୀରରେ ଶାନ୍ତି ଫେରାଇ ଆଣିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିପାରନ୍ତି।
ମୁଶାଲ ତାଙ୍କ ପତ୍ରରେ ୩ ଦଶନ୍ଧୀ ପୁରୁଣା ରାଜଦ୍ରୋହ ମାମଲାରେ ମଲ୍ଲିକଙ୍କ ବିରୋଧରେ ଜାରି ମକଦ୍ଦମା ସମ୍ପର୍କରେ ରାହୁଲ ଗାନ୍ଧିଙ୍କ ଧ୍ୟାନ ଆକର୍ଷଣ କରିଛନ୍ତି। ଏହି ମାମଲାରେ ଏନଆଇଏ ତାଙ୍କୁ ମୃତ୍ୟୁଦଣ୍ଡ ଦେବାକୁ ଦାବି କରିଛି। ତେବେ ମାମଲାରା ସ୍ମୃତି ଇରାନୀଙ୍କ ଅଭିଯୋଗ ପରେ ଜମ୍ମୁ-କାଶ୍ମୀର କଂଗ୍ରେସର ବରିଷ୍ଠ ନେତା ତଥା ଉପାଧ୍ୟକ୍ଷ ରବିନ୍ଦର ଶର୍ମା ଜବାବ ରଖିଛନ୍ତି। ସେ କହିଛନ୍ତି ମୁଶାଲ ୟାସୀନ ମଲ୍ଲିକଙ୍କ ପତ୍ନୀ ହିସାବରେ ରାହୁଲ ଗାନ୍ଧିଙ୍କୁ ପତ୍ର ଲେଖିଛନ୍ତି। ଏହା ସହିତ କଂଗ୍ରେସର କୌଣସି ନେଣଦେଣ ନାହିଁ।
ଶର୍ମା କହିଛନ୍ତି ଯେ ରାହୁଲ ଗାନ୍ଧି ମାନବତାରେ ବିଶ୍ୱାସ ରଖନ୍ତି,ତେବେ ଏହା ଅର୍ଥ ନୁହେଁ ଯେ ଆତଙ୍କବାଦ ଅଥବା ବିଛିନ୍ନତା ବାଦ ପ୍ରତି କଂଗ୍ରେସର ଭାବନା ନରମ। ଉଲ୍ଲେଖଯୋଗ୍ୟ ଯେ କାଶ୍ମୀର ବିଛିନ୍ନତାବାଦୀ ନେତା ୟାସୀନ ମଲ୍ଲିକ ଟେରର ଫଣ୍ଡିଂ କେସରେ ଏନଆଇଏ ପକ୍ଷରୁ ତାଙ୍କ ବିରୋଧରେ ରୁଜୁ ମାମଲାରେ ଦିଲ୍ଲୀ ହାଇକୋର୍ଟରେ ନିଜେ ନିଜ ପାଇଁ ଓକିଲାତି କରୁଛନ୍ତି। ଏନଆଇଏ ଏହି ମାମଲାରେ ୨୦୧୭ ମସିହାରେ ମଲ୍ଲିକଙ୍କ ସମେତ ଅନ୍ୟ ଲୋକଙ୍କ ବିରୋଧରେ ଅଭିଯୋଗ ଫର୍ଦ୍ଦ ଦାଖଲ କରିଥିଲା। ୨୦୨୨ ମସିହାରେ ଏକ ନିମ୍ନ କୋର୍ଟ ମଲ୍ଲିକଙ୍କୁ ଆଜୀବନ କାରାଣ୍ଡାଦେଶ କରିଥିଲା।