ନୂଆଦିଲ୍ଲୀ: ୫୦ ଲକ୍ଷ ଟଙ୍କା ପାଇଁ ବଲିଉଡ ସୁପରଷ୍ଟାର୍ ଶହରୁଖ ଖାନଙ୍କୁ ଫୋନ୍ କରି ହତ୍ୟା ଧମକ ଦେବା ଘଟଣାରେ ନୂଆ ମୋଡ଼ ଆସିଛି। ନଭେମ୍ବର ୫ ତାରିଖରେ ବାନ୍ଦ୍ରା ପୁଲିସ ଷ୍ଟେସନକୁ ଏହି ଧମକ ପୂର୍ଣ୍ଣ କଲ୍ ଆସିଥିଲା। ଏହାପରେ ପୁଲିସ ପକ୍ଷରୁ ନମ୍ବର ଟ୍ରାସ୍ କରିବାରୁ ତାହା ଆଡଭୋକେଟ ଫେଜାନ ଖାନ୍ଙ୍କ ନମ୍ବର ବୋଲି ଜଣାପଡ଼ିଥିଲା। ଏବେ ଫୈଜାନ ଖାନ୍ ଘଟଣାକୁ ଅସ୍ୱୀକାର କରିଛନ୍ତି। ତାଙ୍କୁ ଫସାଇବାକୁ ଚେଷ୍ଟା କରାଯାଉଛି ବୋଲି ସେ କହିଛନ୍ତି।
ଛତିଶଗଡ଼ ରାୟପୁରର ଆଡଭୋକେଟ୍ ଫୈଜାନ ଖାନ୍ କହିଛନ୍ତି ୧୯୯୪ ମସିହାର ଫିଲ୍ମ ‘ଅଞ୍ଜାମ’ରେ ହରିଣ ଶିକାର ନେଇ ଏକ ଡାଇଲଗ ପାଇଁ ସେ ଶାହରୁଖ ଖାନ୍ଙ୍କ ବିରୋଧରେ ମାମଲା କରିଥିଲେ। ଏଥିପାଇଁ ତାଙ୍କୁ ଜାଣିଶୁଣି ଫସାଯାଉଛି। ଫେଜାନ କହିଛନ୍ତି ଯେ ନଭେମ୍ବର ୨ ତାରିଖରେ ତାଙ୍କ ଫୋନ୍ ଚୋରି ହୋଇଥିଲା। ଏନେଇ ସେ ଥାନାରେ ମାମଲା ମଧ୍ୟ କରିଥିଲେ। ତାଙ୍କ ଫୋନ୍ରୁ କେହି ଜଣେ କଲ୍ କରି ଶାହରୁଖଙ୍କୁ ହତ୍ୟା ଧମକ ଦେଇ ତାଙ୍କୁ ଫସାଇବାକୁ ଚେଷ୍ଟା କରୁଛି।
ନମ୍ବର ଟ୍ରାସ କରି ପୁଲିସ ଫୈଜାନ ଖାନ୍ଙ୍କ ପାଖରେ ପହଞ୍ଚିବା ପରେ ସେ ନିର୍ଦ୍ଦୋଷ ଥିବା ପୁଲିସକୁ କହିଥିଲେ। ଧମକପୂର୍ଣ୍ଣ କଲ ସହିତ ତାଙ୍କର କୌଣସି ସମ୍ପର୍କ ନାହିଁ, କେହି ବୋଧେ ତାଙ୍କୁ ଫସାଇବାକୁ ଚେଷ୍ଟା କରୁଛି ବୋଲି ସେ ପୁଲିସକୁ କହିଥିଲେ। ଏଥିସହିତ ସେ ଶାହରୁଖଙ୍କ ବିରୋଧରେ ଏକ ନୂଆ ଅଭିଯୋଗ ଆଣିଥିଲେ। କିଂ ଖାନ୍ଙ୍କ ସମ୍ପର୍କ ବିବାଦୀୟ ଗୋଷ୍ଠୀଙ୍କ ସହ ଥାଇପାରେ ବୋଲି ସେ ଦାବି କରିଥିଲେ।
ଗଣମାଧ୍ୟମକୁ ସୂଚନା ଦେଇ ଫେଜାନ କହିଛନ୍ତି ଯେ ପୁଲିସ ତାଙ୍କୁ ଦୁଇ ଘଣ୍ଟାକାଳ ପଚରାଉଚରା କରିଥିଲା। ତାଙ୍କ ଫୋନ୍ରୁ ସିମ୍ ପକାଯାଇ କଲ୍ କରାଯାଇଥିଲା। ଦୁର୍ବୃତ୍ତ ଫୋନ୍ ଆସିବା ସମୟରେ ସେ କୋର୍ଟରେ ଥିଲେ ବୋଲି କହିଛନ୍ତି। ତେଣୁ ପୁଲିସ ଫୋନ୍ ଟ୍ରାକ୍ କରିବାକୁ ସେ ପରାମର୍ଶ ଦେଇଥିବା ଫୈଜାନ କହିଛନ୍ତି।
ଅଞ୍ଜାମ ସିନେମାରେ ଶାହରୁଖଙ୍କ ସହ ଥିବା ବିବାଦକୁ ନେଇ ଫୈଜାନ କହିଛନ୍ତି “ବିଷ୍ଣୋଇ ସମ୍ପ୍ରଦାୟରୁ ମୋର ଏକାଧିକ ବନ୍ଧୁ ଅଛନ୍ତି। ସେମାନଙ୍କର ୨୯ଟି ନିୟମ ରହିଛି। ଏଥିରେ ଗୋଟିଏ ନିୟମ ହେଲା ହରିଣ ଶିକାର ନିଷେଧ। ତେଣୁ ଯଦି ଜଣେ ମୁସ୍ଲିମ ବ୍ଯକ୍ତି ଏଭଳି ମନ୍ତବ୍ୟ ଦେବେ ତେବେ ଏଥିରେ ଦୁଇ ଗୋଷ୍ଠୀ ମଧ୍ୟରେ ସୌହାର୍ଦ୍ଦ୍ୟ ନଷ୍ଟ ହେବ। ଏଥିପାଇଁ ସିନେମା ବ୍ଯାନ୍ କରିବା ସହିତ ଏକ ମାମଲା ରୁଜୁ କରିବାକୁ ମୁଁ ଅଭିଯୋଗ କରିଥିଲି।” ତେବେ ଅଭିଯୋଗ କରିବାର କିଛିଦିନ ପରେ ହିଁ ଫୋନ୍ ଚୋରି କରିନିଆଯାଇଥିଲା।
ସୂଚନା ଥାଉକି ଏହି ଧମକପୂର୍ଣ୍ଣ କଲର ମୁମ୍ବାଇ ପୁଲିସ ତଦନ୍ତ ଜାରି ରଖିଛି। ହିନ୍ଦୁସ୍ତାନୀ ନାମରେ ଜଣେ ବ୍ଯକ୍ତି କଲ କରି ଏହି ଧମକ ଦେଇଛି। ସଲମାନଙ୍କୁ ହତ୍ୟା ଧମକ ମିଳିବାର କିଛି ସମୟ ପରେ ଶାହରୁଖଙ୍କୁ ଏହି ଧମକ ଦିଆଯାଇଛି।