ଓ୍ଵାଏନାଡ଼ରେ ପ୍ରକୃତିର ଭୟଙ୍କର ରୂପ, ମୃତ୍ୟୁ ସଂଖ୍ୟା ୧୦୬କୁ ବୃଦ୍ଧି; ଉଦ୍ଧାରକାର୍ଯ୍ୟରେ ତିନି ସେନା

Published By : Prameya-News7 Bureau | July 30, 2024 IST

indiatoday

ନୂଆଦିଲ୍ଲୀ: କେରଳର ଓ୍ଵାଏନାଡରେ ଲଗାଣ ବର୍ଷା କାରଣରୁ ହୃଦୟ ବିଦାରକ ଭୂସ୍ଖଳନ ଘଟିଛି।  ପ୍ରକୃତିର ଏହି ଭୟଙ୍କର ରୂପରେ ଏ ପର୍ଯ୍ୟନ୍ତ ୧୦୬ ଜଣଙ୍କ ମୃତ୍ୟୁ ଘଟିଛି।  ଶତାଧିକ ଆହତ ହୋଇଥିବା ବେଳେ ଅନେକ ଲୋକ ମାଟି ଅତଡ଼ା ତଳେ ଦବି ରହିଥିବା ଜଣାଯାଇଛି। ଉଦ୍ଧାର କାର୍ଯ୍ୟ ଆଗକୁ ବଢିବା ଏବଂ ସମୟ ବିତିବା ସହ ମୃତକଙ୍କ ସଂଖ୍ୟା ବଢିବାରେ ଲାଗିଛି। 

ଉଦ୍ଧାରକାର୍ଯ୍ୟରେ ସେନାର ଯବାନ ଓ ଏନଡିଆରଏଫ ନିୟୋଜିତ ଅଛନ୍ତି। ନିଜ ଜୀବନକୁ ବାଜିରେ ଲଗାଇ ରେସ୍କ୍ୟୁ ଅପରେସନ ଜାରି ରଖିଛନ୍ତି ଯବାନ। କେରଳ ସରକାର ଏହି ବିପତ୍ତି ପରେ ରାଜ୍ୟରେ ଦୁଇ ଦିନ ଶୋକ ଦିବସ ଘୋଷଣା କରିଛନ୍ତି। ନିଖୋଜ ଲୋକଙ୍କ ସନ୍ଧାନ ପାଇଁ ଡ୍ରୋନ ଓ ସନ୍ଧାନୀ କୁକୁର ସ୍କ୍ଵାର୍ଡର ସହାୟତା ନିଆଯାଇଛି।

Also read: କେରଳରେ ଭୁସ୍ଖଳନରେ ନିଖୋଜ ଓଡ଼ିଆ ଡାକ୍ତର, ସ୍ତ୍ରୀ ମେଡିକାଲରେ ଭର୍ତ୍ତି

ଓ୍ଵାଏନାଡ଼ର ଯେଉଁଠି ଚିର ସବୁଜ ସୁନ୍ଦର ବନାନୀ ଥିଲା, ତାହା ଏବେ ଧ୍ଵଂସ ସ୍ତୁପରେ ପରିଣତ ହୋଇଛି। ଚାରିଆଡ଼େ କେବଳ ମାଟି ଅତଡ଼ା ନଜର ଆସୁଛି। ଯେଉଁଠି ଗାଁ ରହିଥିଲା, ସେଠାରେ ପ୍ରକୃତିର ତାଣ୍ଡବଲୀଳ ଦେଖିବାକୁ ମିଳିଛି। 

ବିଶାଳ ଭୂସ୍ଖଳନରେ ବହୁ ଘର ଧ୍ଵସ୍ତ ହୋଇ ଯାଇଛି। ଓ୍ଵାଏନାଡ଼ର ପ୍ରକୃତିର ଏହି ବିଭୀଷିକାରେ ଉଦ୍ଧାର କାର୍ଯ୍ୟରେ ଦେଶର ତିନି ସେନା ଓହ୍ଲାଇଛନ୍ତି। ଭାରତୀୟ ବାୟୁସେନା ରିଲିଫ ଓ ଉଦ୍ଧାରକାର୍ଯ୍ୟ ପାଇଁ ଏମଆଇ-୧୭ ଓ ଏଏଲଏଚ ଧ୍ରୁବ ହେଲିକପ୍ଟର ମୁତୟନ କରିଛି। ସମୁଦ୍ର ବୁଡ଼ାଳିଙ୍କୁ ମଧ୍ୟ ଉଦ୍ଧାର ଅଭିଯାନରେ ସାମିଲ କରାଯାଇଛି। 

ସୂଚନା ଅନୁଯାୟୀ, ୨୨୫ ଜଣିଆ କର୍ମଚାରୀଙ୍କୁ ୪ଟି ଗ୍ରୁପରେ ଏବଂ ୧୪୦ କର୍ମଚାରୀଙ୍କୁ ଦୁଇଟି ଗ୍ରୁପରେ ତିରୁଅନନ୍ତପୁରରେ ଷ୍ଟାଣ୍ଡବାଇରେ ରଖା ଯାଇଛି। ସେନା ଏନଡିଆରଏଫ ସହ ଉତ୍ତମ ସମନ୍ଵୟ ପାଇଁ କୋଝିକୋଡ଼ରେ ଏକ କମାଣ୍ଡ-ଆଣ୍ଡ-କଣ୍ଟ୍ରୋଲ ସେଣ୍ଟର ସ୍ଥାପିତ କରାଯାଉଛି। ହେଲିକପ୍ଟର ଜରିଆରେ ପ୍ରଭାବିତ ଅଞ୍ଚଳ ଉପରେ ନଜର ରଖାଯାଇଛି। ଓ୍ଵାଏନାଡ଼ର ଭୂସ୍ଖଳନ ପରେ ଭୌଗୋଳିକ ସ୍ଥିତି ଏମିତି ହୋଇଛି ଯେ, ନଦୀର ଗତି ପଥ ବଦଳି ଯାଇଛି। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.