ଜଳେଶ୍ବର: ଶ୍ବଶୁର ଘରେ ଜ୍ୱାଇଁର ଉନ୍ମତ୍ତ କାଣ୍ଡ । ଧାରୁଆ ଛୁରୀରେ ଶାଶୁକୁ ଆକ୍ରମଣ କରି କଲା ଲହୁଲୁହାଣ । ଗୁରୁତର ଅବସ୍ଥାରେ ଶାଶୁଙ୍କୁ କରାଗଲା ହସ୍ପିଟାଲରେ ଭର୍ତ୍ତି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ନେତୁଆ ଗ୍ରାମରେ।
ସୂଚନା ଅନୁଯାୟୀ, ଗ୍ରାମର ଦେବେନ୍ଦ୍ର ବେହେରା ନିଜ ବଡ଼ ଝିଅ ମାଳତୀଙ୍କର ବିବାହ ଭୋଗରାଇ ବ୍ଲକ ଅଲାଲବିନ୍ଧା ଗ୍ରାମର ରମାକାନ୍ତ ଦାସଙ୍କ ସହ କରାଇଥିଲେ। ହେଲେ ବିବାହର କିଛି ଦିନ ପରଠାରୁ ହିଁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଲାଗିରହିଥିଲା। ଫଳରେ ମାଳତୀ ୫ ଦିନ ତଳେ ବାପ ଘରକୁ ଚାଲିଆସିଥିଲେ।
ହେଲେ ମଙ୍ଗଳବାର ଅପରାହ୍ନରେ ରମାକାନ୍ତ ଶ୍ବଶୁର ଘରକୁ ଆସି ମାଳତୀଙ୍କୁ ସାଥିରେ ନେବାକୁ ଜିଦ ଧରିଥିଲେ। ମାତ୍ର ଶାଶୁ ବାସନ୍ତୀ ବେହେରା ବାରଣ କରିଥିଲେ ଏବଂ ସମାଧାନ ପରେ ଝିଅ ଯିବ ବୋଲି କହିବାରୁ ହଠାତ୍ ଜ୍ୱାଇଁ ଉତ୍କ୍ଷିପ୍ତ ହୋଇ ଏକ ଧାରୁଆ ଛୁରୀ ତାଙ୍କ ପେଟରେ ଭୁଶି ଦେଇଥିଲେ। ଏଥିରେ ଗୁରୁତର ଆହତ ହୋଇଥିଲେ ବାସନ୍ତୀ।
ତେବେ ସଙ୍ଗେ ସଙ୍ଗେ ବାସନ୍ତୀଙ୍କୁ ଘର ଲୋକେ ଜଳେଶ୍ୱର ଜିକେ ଭଟ୍ଟର ହସ୍ପିଟାଲକୁ ଆଣିଥିଲେ ମାତ୍ର ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ବାଲେଶ୍ୱର ମୁଖ୍ୟ ଡାକ୍ତର ଖାନାକୁ ସ୍ଥାନାନ୍ତର କରାଯାଇଛି। ସେପଟେ ଜ୍ୱାଇଁ ରମାକାନ୍ତଙ୍କୁ ଗ୍ରାମବାସୀ ଅଟକ ରଖି ଜଳେଶ୍ୱର ପୋଲିସକୁ ହସ୍ତାନ୍ତର କରିଛନ୍ତି। ପୋଲିସ ରମାକାନ୍ତକୁ ଥାନାରେ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି।