ଭୁବନେଶ୍ବର ୨୪/୧: ରାଜଧାନୀ ଭୁବନେଶ୍ବର ସାମନ୍ତରାପୁର ସ୍ଥିତ ଶ୍ରୀରାମନଗର ଏସ୍ବିଆଇ ATM ତାଡିବା ଘଟଣା । ଭୁବନେଶ୍ବର ଡିସିପି ପିନାକ ମିଶ୍ର କହିଛନ୍ତି ଘଟଣାର ଛାନ୍ଭିନ୍ ଚାଲିଛି । ଲୁଟ୍ରେ କୌଣସି ଲୋକାଲ କି ବାହାର ରାଜ୍ୟର ଗ୍ୟାଙ୍ଗର ହାତ ଥିବା ଜଣାପଡିନି। ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ତଦନ୍ତ ପାଇଁ ଏକ ସ୍ପେଶାଲ ଟିମ୍ ଗଠନ କରାଯାଇଛି ।
ଶୁକ୍ରବାର ସକାଳୁ ଶ୍ରୀରାମନଗରର ସ୍ଥିତ ଏସ୍ବିଆଇ ATM କୁ ଫିଲ୍ମ ଷ୍ଟାଇଲରେ ତାଡି ନେଇଥିଲେ ଲୁଟେରା । ଗୁରୁବାର ବିଳମ୍ବିତ ରାତିରେ ଏଟିଏମ୍ ତାଡି ମେସିନ ଧରି ଛୁ ମାରିଥିଲେ ଲୁଟେରା । ସକାଳୁ ସ୍ଥାନୀୟ ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ । ଅଭିଯୋଗ ଆଧାରରେ ବିଭିନ୍ନ ସ୍ଥାନରେ ଛାନ୍ଭିନ୍ କରିଥିଲା ଧଉଳି ଥାନା ପୋଲିସ ।
ଶେଷରେ ଗଙ୍ଗୁଆ ନାଳରୁ ମିଳିଥିଲା ଭଙ୍ଗା ଏଟିଏମ୍ ମେସିନ । ଲୁଟେରାମାନେ ଏଟିଏମରୁ ପଇସା ନେଇ ମେସିନ ନାଳରେ ଫୋପାଡି ଦେଇ ପଳାଇଥିଲେ । ନାଳ ପାଖରେ ଗୋଟିଏ ଡାଲା ଅଟୋକୁ ଜବତ କରିଥିଲା ପୋଲିସ । ଏଟିଏମ୍ ତାଡିବା ପରେ ଏହି ଅଟୋ ବ୍ୟବହାର କରାଯାଇଥିବା ସନ୍ଦେହ କରୁଛି ପୋଲିସ । ଏଥି ସହ ଡାଲା ଅଟୋଟିକୁ ମଧ୍ୟ ଲୁଟେରା ମାନେ ଚୋରି କରି ଆଣିଥିବା ସନ୍ଦେହ କରାଯାଉଛି । ଏଟିଏମ୍ରେ କେତେ ଟଙ୍କା ଥିଲା ଜଣାପଡିନି ।
ଅନେକ ଦିନ ହେଲାଣି ରାଜଧାନୀରେ ମାତିଛନ୍ତି ଲୁଟେରା । ସୁଯୋଗ ଦେଖି ଯେଉଁଠି ପାରୁଛନ୍ତି କଳାକନା ବୁଲାଉଛନ୍ତି । ଆପାର୍ଟମେଣ୍ଟ,ମନ୍ଦିର, ଘର କାହାକୁ ଛାଡୁନାହାନ୍ତି ଲୁଟେରା । ଲୁଟେରାଙ୍କ ଦୌରାତ୍ମ୍ୟରେ ତ୍ରାହି ତ୍ରାହି ଡାକିଲେଣି ଲୋକେ ।