‘ପ୍ରତିରକ୍ଷା, ପରମାଣୁ ଉର୍ଜା, ମହାକାଶ ଏବଂ ଆତଙ୍କବାଦ’: ମୋଦୀ ଏବଂ ମାକ୍ରୋନଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନାର ଗୁରୁତ୍ୱପୂର୍ଣ୍ଣ ବିନ୍ଦୁ

Published By : Prameya-News7 Bureau | February 12, 2025 IST

ନୂଆଦିଲ୍ଲୀ: ତିନି ଦିନିଆ ଫ୍ରାନ୍ସ ଗସ୍ତର ଶେଷ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ୍ ମାକ୍ରୋନ ବିମାନରେ କଥାବର୍ତ୍ତା କରିଛନ୍ତି । ଭାରତୀୟ ବିଦେଶ ସଚିବ ଏହା ସ୍ପଷ୍ଟ କରି କହିଛନ୍ତି ଯେ ଭାରତ-ଫ୍ରାନ୍ସ ମଧ୍ୟରେ ସମ୍ପର୍କ ନୂଆ ଶିଖର ଛୁଇଁ ସାରିଛି । ବିଦେଶ ସଚିବ ମିସ୍ରୀଙ୍କ ଅନୁସାରେ, ମୋଦୀ ଏବଂ ମାକ୍ରୋନ ପରସ୍ପାରିକ ରଣନୀତିକ ସହଭାଗିତା, ବୈଶ୍ୱିକ ମାମଲା, ଆତଙ୍କବାଦ, ୟୁରୋପ, ପଶ୍ଚିମ ଏସିଆ ତଥା ଭାରତ-ପ୍ରଶାନ୍ତ କ୍ଷେତ୍ରରେ ଭୂରାଜନୈକିର ଘଟଣାକ୍ରମ ଉପରେ ମତ ଆଦାନ ପ୍ରଦାନ କରିଛନ୍ତି । 

ଗସ୍ତ ଶେଷ ହେବା ପୂର୍ବରୁ ଏକ ମିଳିତ ବୟାନରେ ଦୁଇ ନେତା ଦ୍ୱିପାକ୍ଷିକ ସହଯୋଗ ଏବଂ ଅନ୍ତରାଷ୍ଟ୍ରୀୟ ସହଭାଗିତା ପାଇଁ ନିଜର ମିଳିତ ଦୃଷ୍ଟିକୋଣ ସେୟାର କରିଛନ୍ତି । ଦୁଇ ନେତା ଦ୍ୱିପାକ୍ଷିକ ସହଯୋଗରେ ହୋଇଥିବା ପ୍ରଗତିକୁ ପ୍ରଶଂସା କରିଛନ୍ତି ଏବଂ ଏହାକୁ ଆଗକୁ ବଢାଇବା ପାଇଁ ନିଜ ପ୍ରତିବଦ୍ଧତାକୁ ବି ଦୋହରାଇଛନ୍ତି । ମିଳିତ ବୟାନରେ କୁହାଯାଇଛି ଯେ ଦ୍ୱିପାକ୍ଷିକ ଆଲୋଚନାରେ ଭାରତ-ପ୍ରଶାନ୍ତ ଏବଂ ରୁଷ-ୟୁକ୍ରେନ ଯୁଦ୍ଧ ସମେତ ଅନେକ ବିବାଦୀୟ ବିଷୟ ଉପରେ ଆଲୋଚନା ହୋଇଛି । ସେହିପରି ପ୍ରତିରକ୍ଷା, ପରମାଣୁ ଉର୍ଜା ଏବଂ ମହାକାଶ ପରି କ୍ଷେତ୍ରରେ ରଣନୀତିକ ସହଯୋଗ ଉପରେ ମଧ୍ୟ ଚର୍ଚ୍ଚା କରିଛନ୍ତି । ଏହାସହ ପ୍ରଯୁକ୍ତ ଏବଂ ନବସୃଜନ କ୍ଷେତ୍ରରେ ବି ସହଯୋଗ ବଢାଇବା ଉପରେ କଥା ହୋଇଛନ୍ତି ।

ଅନ୍ୟପଟେ, ଭାରତ ସରକାର ବି ଏହି ଗୁରୁତ୍ୱପୂର୍ଣ୍ଣ ଗସ୍ତ ଉପରେ ବୟାନ ଜାରି କରିଛନ୍ତି । ଏଥିରେ କୁହାଯାଇଛି, କଥାବାର୍ତ୍ତାରେ ଭାରତ-ଫ୍ରାନ୍ସ ରଣନୀତିକ ସହଯୋଗୀର ସବୁ ଦିଗ ଉପରେ ଚର୍ଚ୍ଚା କରିଛନ୍ତି । ସହଭାଗିତାର ଏହି କ୍ଷେତ୍ର ନିକଟରେ ଶେଷ ହୋଇଥିବା ଏଆଇ ସମିଟ୍ ଏବଂ ୨୦୨୬ରେ ଆଗାମୀ ଭାରତ-ଫ୍ରାନ୍ସ ନବସୃଜନ ବର୍ଷର ପୃଷ୍ଠଭୂମିରେ ଅଧିକ ମହତ୍ୱ ରଖୁଛି । 

ଉଲ୍ଲେଖଯୋଗ୍ୟ ଯେ ମଙ୍ଗଳବାର ପିଏମ୍ ମୋଦୀ ଏବଂ ଫ୍ରାନ୍ସ ରାଷ୍ଟ୍ରପତି ଗୋଟିଏ ବିମାନରେ ପ୍ୟାରିସର ମାର୍ସିଲେ ଯାଏ ଯାତ୍ରା କରିଥିଲେ । ସେହିପରି ବୁଧବାର ପିଏମ୍ ମୋଦୀ ରାଷ୍ଟ୍ରପତି ମାକ୍ରୋନଙ୍କ ସହ ମାରସେଇ ସହରର ଐତିହାସିକ ମାଜାରଗବେଜ ଯୁଦ୍ଧ ଶ୍ମଶାନ ଗସ୍ତ କରି ପ୍ରଥମ ବିଶ୍ୱଯୁଦ୍ଧରେ ବଳିଦାନ ଦେଇଥିବା ଭାରତୀୟ ସୈନିକଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.