ବିଜେପିରେ ମିଶିବା ପରେ ସୁଜିତଙ୍କ ବିସ୍ଫୋରଣ, ଦୁର୍ନୀତି ନେଇ ନେତା ନଶୁଣିବାରୁ ଦଳ ଛାଡିଲି

Published By : Prameya-News7 Bureau | September 06, 2024 IST

ନୂଆଦିଲ୍ଲୀ ୬/୯: ଶଂଖ ଛାଡି ପଦ୍ମରେ ମିଶୁ ମିଶୁ ବିସ୍ଫୋରଣ । ବିଜେଡି ଓ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେବା ପରେ ଦିଲ୍ଲୀରେ ବିଜେପିରେ ଯୋଗଦେଲେ ସୁଜିତ କୁମାର । କିଛି ସମୟ ପରେ ଦଳ ଛାଡିବା କାରଣ କହିବା ସହ ବିଜେଡି ଉପରେ ବର୍ଷିଛନ୍ତି । କହିଛନ୍ତି ବିଜେଡି ସରକାରରେ ପ୍ରବଳ ଦୁର୍ନୀତି ହୋଇଛି । ଜମି, ଛତୁଆ,ଟେଣ୍ଡର ଫିକ୍ସିଂରେ ହଜାର ହଜାର କୋଟି ଦୁର୍ନୀତି ହୋଇଛି। ଏ ସଂପର୍କରେ ମୁଁ ଦଳର ସୁପ୍ରିମୋଙ୍କୁ ଜଣାଇଥିଲି । ସେ ଦେଖିବେ ବୋଲି କହିଥିଲେ ହେଲେ କିଛି ପଦକ୍ଷେପ ନନେବାରୁ ବାଧ୍ୟ ହୋଇ ଦଳ ଛାଡିଲି । 

ମୋ ପାଇଁ ମାଟି ଆଗ,ପାର୍ଟି ପଛ । କଳାହାଣ୍ଡିରେ ହଜାର ହଜାର କୋଟିର ଲୁଟ୍‌ ହୋଇଥିବା ସାଂଘାତିକ ଅଭିଯୋଗ ଆଣିଛନ୍ତି ସୁଜିତ । କଳାହାଣ୍ଡିରେ ଅସାଧୁ ବେପାରୀ ଓ କିଛି ସରକାରୀ ଅଧିକାରୀଙ୍କ ମଧ୍ୟରେ ଚାଲିଥିଲା ମଧୁଚନ୍ଦ୍ରିକା । ଆଉ ଏ ଦୁର୍ନୀତିକୁ ସମର୍ଥନ ଦେଇଥିଲେ ରାଜ୍ୟସ୍ତରୀୟ ନେତା । ଦୁର୍ନୀତିର ଅଭିଯୋଗ ପରେ କେହି ଶୁଣିନଥିଲେ । ଆଗକୁ ହଜାର ହଜାର କୋଟି ଟଙ୍କା ଲୁଟ୍‌ର ତାଲିକା ବିସ୍ତୃତ ଭାବେ ଦେବି ବୋଲି କହିଛନ୍ତି ସୁଜିତ । 

୨୦୨୪ ନିର୍ବାଚନ ପରେ ବିଜେଡି ଠାରୁ ଦୁରେଇ ରହୁଥିଲେ ସୁଜିତ । ୨୦୨୬ ଏପ୍ରିଲ ୨ରେ ସୁଜିତଙ୍କ କାର୍ଯ୍ୟକାଳ ସରିଥାନ୍ତା । ତେବେ ବର୍ଷେ ୭ ମାସ ପୂର୍ବରୁ ସେ ଇସ୍ତଫା ଦେଇଛନ୍ତି । ଏହା ପରେ ବିଜେଡି ସହସ୍ୟଙ୍କ ସଂଖ୍ୟା ୭ରେ ପହଞ୍ଚିଛି । ସେପଟେ ଦଳ ବିରୋଧୀ କାର୍ଯ୍ୟ କହି ସୁଜିତଙ୍କୁ ବହିଷ୍କାର କରିଛି ବିଜେଡି । ମମତା ମହନ୍ତଙ୍କ ପରେ ରାଜ୍ୟସଭା ପଦରୁ ଇସ୍ତଫା ଦେଇଛନ୍ତି ସୁଜିତ ।

 

 

  • new delhi
  • odisha
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.