ଶିରୋମଣି ଅକାଳି ଦଳ ଅଧ୍ୟକ୍ଷ ପଦରୁ ସୁଖବୀର ସିଂହ ବାଦଲଙ୍କ ଇସ୍ତଫା

Published By : Prameya-News7 Bureau | November 16, 2024 IST

ଚଣ୍ଡିଗଡ଼ ୧୬।୧୧: ସୁଖବୀର ସିଂହ ବାଦଲ ଶନିବାର ଶିରୋମଣି ଅକାଳି ଦଳ (ଏସଏଡି) ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି। ପଞ୍ଜାବର ପୂର୍ବତନ ଶିକ୍ଷାମନ୍ତ୍ରୀ ଦଲଜିତ ସିଂହ ଚିମା ସୋସିଆଲ ମିଡିଆରେ ଏହି ଘୋଷଣା କରିଛନ୍ତି। ଆଗାମୀ ଦଳୀୟ ନିର୍ବାଚନର ରାସ୍ତା ସଫା କରିବା ପାଇଁ ବାଦଲ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଚିମା ଏକ୍ସ ରେ ପୋଷ୍ଟ କରି ଲେଖିଛନ୍ତି ଯେ ଏସଏଡି ଅଧ୍ୟକ୍ଷ ସୁଖବୀର ସିଂହ ବାଦଲ ନୂଆ ଅଧ୍ୟକ୍ଷ ନିର୍ବାଚନ ନିମନ୍ତେ ଆଜି ପାର୍ଟିର ୱାର୍କିଂ କମିଟିକୁ ନିଜର ଇସ୍ତଫା ପ୍ରଦାନ କରିଛନ୍ତି। 

ଚିମା ତାଙ୍କ ପୋଷ୍ଟରେ ଲେଖିଛନ୍ତି ଯେ ବାଦଲ ତାଙ୍କ ନେତୃତ୍ୱ ପ୍ରତି ବିଶ୍ୱାସ ପ୍ରକଟ କରିଥିବାରୁ ଓ ପୁରା କାର୍ଯ୍ୟକାଳ ଅବଧିରେ ସମର୍ଥନ ଓ ସହଯୋଗ ଦେଇଥିବାରୁ ପାର୍ଟିର ସବୁ ନେତା ଓ କାର୍ଯ୍ୟକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଅକାଳି ଦଳ ୱାର୍କିଂ କମିଟି ଅଧ୍ୟକ୍ଷ ବଲବିନ୍ଦର ସିଂହ ଭୁନ୍ଦଡ ଆଗାମୀ ରଣନୀତି ନିର୍ଦ୍ଧାରଣ କରିବା ପାଇଁ ସୋମବାର ମଧ୍ୟାହ୍ନ ୧୨ଟା ବେଳେ  ଚଣ୍ଡିଗଡ଼ସ୍ଥିତ ପାର୍ଟି ମୁଖ୍ୟାଳୟରେ ୱାର୍କିଂ କମିଟିର ଜରୁରି ବୈଠକ ଆହ୍ୱାନ କରିଛନ୍ତି। 


ଅକାଳି ଦଳ ଅଧ୍ୟକ୍ଷ, ପଦାଧିକାରୀ ଏବଂ ୱାର୍କିଂ କମିଟି ଲାଗି ଡିସେମ୍ବର ୧୪ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ। ଏଥିରେ ଶିରୋମଣି ଅକାଳି ଦଳର ନୂଆ ଅଧ୍ୟକ୍ଷ ଚୟନ ମଧ୍ୟ ହେବ। ଉଲ୍ଲେଖଯୋଗ୍ୟ ଯେ ବାଦଲ ଏପରି ଏକ ସମୟରେ ଇସ୍ତଫା ଦେଇଛନ୍ତି ଯେତେବେଳେ ସେ ଅକାଲ ତଖତ ଯଥେଦାରଙ୍କୁ ଧାର୍ମିକ ଦୂରାଚାର ଅଭିଯୋଗ ଲାଗି ତାଙ୍କ ଦଣ୍ଡ ଶୁଣାଣି ନିମନ୍ତେ ଆଗ୍ରହ କରିଥିଲେ। ସେ କହିଛନ୍ତି ଯେ ତାଙ୍କୁ ଧାର୍ମିକ ଦୂରାଚାର (ତନଖେୟା) ଘୋଷଣା କରାଯିବାର ୨ ମାସ ବିତିଗଲାଣି। 


ଗତ ଅଗଷ୍ଟ ୩୦ ତାରିଖରେ ଅକାଲ ତଖତର ଯଥେଦାର ଜ୍ଞାନୀ ରଘବୀର ସିଂହ ୨୦୦୭ରୁ ୨୦୧୭ ମଧ୍ୟରେ ଅକାଳିଦଳ ଓ ତାଙ୍କ ସରକାର ଦ୍ୱାରା କରାଯାଇଥିବା ଭୁଲ ଲାଗି ବାଦଲଙ୍କୁ ‘ତନଖେୟା’  ଘୋଷିତ କରିଥିଲେ। ତେବେ ଯଥେଦାର ଏପର୍ଯ୍ୟନ୍ତ ବାଦଲଙ୍କ ନିମନ୍ତେ ଏଥି ପାଇଁ ଧାର୍ମିକ ଦଣ୍ଡ ଘୋଷଣା କରି ନାହାନ୍ତି। ବାଦଲଙ୍କୁ ଅକାଲ ତଖତରୁ ଅସ୍ଥାୟୀ ଆଶ୍ୱସ୍ତି ମିଳି ନଥିବାରୁ ଅକାଳି ଦଲ ଅକ୍ଟୋବର ୨୪ ତାରିଖରେ ଉପ ନିର୍ବାଚନ ଲଢିବ ନାହିଁ ବୋଲି ଘୋଷଣା କରିଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.