ପୃଥିବୀ ପୃଷ୍ଠକୁ ଫେରିବେ ସୁନିତା ୱିଲିୟମ୍ସ: ମାର୍ଚ୍ଚ ୧୯ରେ ଶେଷ ହେବ ଦୀର୍ଘ ୮ ମାସର ମହାକାଶ ଯାତ୍ରା

Published By : Prameya-News7 Bureau | February 14, 2025 IST

indiatoday

ନୂଆଦିଲ୍ଲୀ: ଦୀର୍ଘ ଆଠ ମାସରୁ ଅଧିକ ସମୟ ମହାକାଶରେ ବିତାଇବା ପରେ ଏବେ ପୃଥିବୀ ପୃଷ୍ଠକୁ ଫେରିବ ନାସା ମହାକାଶଚାରୀ ସୁନିତା ୱିଲିୟମ୍ସ। ମାର୍ଚ୍ଚ ମାସରେ ତାଙ୍କର ଦୀର୍ଘ ଦିନର ମହାକାଶ ଯାତ୍ରା ଶେଷ ହେବାକୁ ଯାଉଛି।

ମହାକାଶରୁ ଆମେରିକା ଗଣମାଧ୍ୟମ ସିଏଏନକୁ ସାକ୍ଷାତ୍‌କାର ଦେଇ ଏହାର ଖୁଲାସା କରିଛନ୍ତି ସୁନିତା ୱିଲିୟମ୍ସ ଏବଂ ବୁଚ୍ ୱିଲମୋର। ଏକ ସ୍ୱତନ୍ତ୍ର ସାକ୍ଷାତ୍‌କାର ସେ କହିଛନ୍ତି ଯେ ମାର୍ଚ୍ଚ ୧୨ ତାରିଖରେ ପୃଥିବୀ ପୃଷ୍ଠରୁ କ୍ରୁ-୧୦ ମିଶନକୁ ଲଞ୍ଚ କରାଯିବ। ୬ ମାସର ମିଶନ ନେଇ ଏହା ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ISS)ରେ ଅବତରଣ କରିବ। 

ଏହାପରେ ଦୁଇ ମହାକାଶଚାରୀ ସେମାନଙ୍କର କାର୍ଯ୍ୟ ଏବଂ ସମସ୍ତ ରିସର୍ଚ୍ଚ ଅନ୍ୟ ଜଣେ ନୂଆ ମହାକାଶ ଷ୍ଟେସନ କମାଣ୍ଡରକୁ ହାସ୍ତାନ୍ତର କରିବେ। ଏହାପରେ ଦୁଇ ମହାକାଶଚାରୀ କ୍ରୁ-୧୦କୁ ମହାକାଶକୁ ନେଇ ଆସିଥିବା ଡ୍ରାଗନ୍ ସ୍ପେସକ୍ରାଫ୍ଟରେ ଚଢ଼ି ପୃଥିବୀ ପୃଷ୍ଠକୁ ଫେରି ଆସିବେ। ଦୁଇ ମହାକାଶଚାରୀଙ୍କୁ ନେଇ ଏହି ଡ୍ରାଗନ୍ ସ୍ପେସକ୍ରାଫ୍ଟ ମାର୍ଚ୍ଚ ୧୯ ରେ ପୃଥିବୀ ପୃଷ୍ଠରେ ଅବତରଣ କରିବ। ବର୍ତ୍ତମାନ, ସୁନିତା ୱିଲିୟମ୍ସ ସ୍ପେଶ୍‌ ଷ୍ଟେସନ୍‌ରେ ଥିବା ଉଡ଼ନ୍ତା ପ୍ରୟୋଗଶାଳା(ଫ୍ଲାଇଁ ଲ୍ୟାବୋରଟୋରୀ)ର କମାଣ୍ଡର ଅଛନ୍ତି। ଖୁବଶୀଘ୍ର ନୂଆ କମାଣ୍ଡର ଏହି ଦାୟିତ୍ୱ ନେବେ।

 

ଏନେଇ ମହାକାଶଚାରୀ ବୁଚ୍ ୱିଲମୋର୍ ସିଏନଏନକୁ କହିଛନ୍ତି "ଯୋଜନା ମୁତାବକ ଯେ କ୍ରୁ-୧୦ ମାର୍ଚ୍ଚ ୧୨ରେ ପୃଥିବୀ ପୃଷ୍ଠରୁ ଉତକ୍ଷେପଣ କରାଯିବ। ଗୋଟିଏ ସପ୍ତାହ ପାଇଁ ଚକ୍କର ଲଗାଇବା ପରେ ଆମେ ମାର୍ଚ୍ଚ ୧୯ରେ ଫେରିବୁ।" ଗତମାସରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ପେସଏକ୍ସର ସିଇଓ ଏଲୋନ ମସ୍କଙ୍କୁ ୱିଲମୋର ଏବଂ ୱିଲିୟମ୍ସଙ୍କୁ ଯଥାଶୀଘ୍ର ଫେରାଇ ଆଣିବାକୁ ଅନୁରୋଧ କରିଥିଲେ। ଏହାପରେ ଦୁଇ ମହାକାଚାରୀଙ୍କୁ ଫେରାଇ ଆଣିବାର ପ୍ରକ୍ରିୟା ତ୍ୱାରନ୍ନିତ ହୋଇଥିଲା। 

ନାସାର ବାଣିଜ୍ୟିକ କ୍ରୁ ପ୍ରୋଗ୍ରାମରୁ ପ୍ରାୟ ୩ ବିଲିୟନ ଡଲାର ପାଣ୍ଠିରେ ସ୍ପେସଏକ୍ସ ଏହାର କ୍ରୁ ଡ୍ରାଗନ କ୍ୟାପସୁଲ ବିକଶିତ କରିଛି। ଯାହାର ଲକ୍ଷ୍ୟ ମହାକାଶ କ୍ଷେତ୍ରରେ ଘରୋଇ କମ୍ପାନୀକୁ ଉତ୍ସାହିତ କରିବା ଓ କମ ଖର୍ଚ୍ଚରେ ମହାକାଶ ଯାତ୍ରା ସଫଳ କରିବା। ଆଉ ଏହି ସ୍ପେସ୍ଏକ୍ସର ମାଲିକ ହେଉଛନ୍ତି ଏଲନ ମସ୍କ। ତେଣୁ ଟ୍ରମ୍ପ ମହାକାଶଚାରୀଙ୍କ ଫେରିବା ନେଇ ମସ୍କଙ୍କୁ ଅନୁରୋଧ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.