ସର୍ବୋଚ୍ଚ ନ୍ୟାୟ ବ୍ୟବସ୍ଥାର ୫୧ ତମ ମୁଖିଆ, ନାମୀଦାମୀ ଓକିଲରୁ ପ୍ରଧାନ ବିଚାରପତି ଆସନ

Published By : Prameya-News7 Bureau | November 12, 2024 IST

ନୂଆଦିଲ୍ଲୀ ୧୨/୧୧: ୧୯୮୩, ଦିଲ୍ଲୀ ବାର୍ କାଉନସିଲରୁ ଓକିଲାତି ଜୀବନ ଆରମ୍ଭ । ସହକାରୀ ସରକାରୀ ଓକିଲ ଭାବେ ଦିଲ୍ଲୀ ହାଇକୋର୍ଟରେ କାର୍ଯ୍ୟ । ପରେ ଆମିକସ କ୍ୟୁରି ଭାବେ ପାଇଥିଲେ ନିଯୁକ୍ତି । ୨୦୦୫ରେ ଦିଲ୍ଲୀ ହାଇକୋର୍ଟର ଆଡିସନାଲ ଜଜ୍, ୨୦୦୬ରେ ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତି । ସାମ୍ବିଧାନିକ ଆଇନ, ଟିକସ, ମଧ୍ୟସ୍ଥତା ଆଇନ, ବାଣିଜ୍ୟିକ ଆଇନ ଓ ପରିବେଶ ଆଇନ ଉପରେ ବେଶ୍ ଅଭିଜ୍ଞତା । 

୨୦୧୯ରେ ସୁପ୍ରିମକୋର୍ଟର ବିଚାରପତି ଭାବେ ହୋଇଥିଲେ ନିଯୁକ୍ତ । ନିର୍ବାଚନୀ ବଣ୍ଡ ରଦ୍ଦ ଠାରୁ ଆରମ୍ଭ କରି ଇଭିଏମ୍ ସ୍ୱଚ୍ଛତା, ଜମ୍ମୁକାଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ କାଏମ ରଖିବା ଭଳି ଶୁଣାଇଛନ୍ତି ଅନେକ ଗୁରୁତ୍ୱପୂର୍ଣ୍ଣ ରାୟ । ଆହୁରି ବି ଦିଲ୍ଲୀ ଅବକାରୀ ନୀତି ମାମଲାରେ ଆପ୍ ମୁଖ୍ୟମନ୍ତ୍ରୀଙ୍କୁ ଜାମିନ ପ୍ରଦାନ ଭଳି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ଜଷ୍ଟିସ୍ ଖାନ୍ନା ।


୧୯୭୬ରେ ଲାଇମଲାଇଟ୍‌କୁ ଆସିଥିଲେ ଜଷ୍ଟିସ ସଞ୍ଜୀବ ଖାନ୍ନା । ସେହି ସମୟରେ ତାଙ୍କ ଦାଦା ଜବଲପୁର ମାମଲାରେ ଶୁଣାଇଥିଲେ ଗୁରୁତ୍ୱପୂର୍ଣ୍ଣ ରାୟ । ଆଉ ରାୟ ଦେବା ପରେ ଦେଇଥିଲେ ଇସ୍ତଫା । ଜରୁରୀକାଳୀନ ସମୟରେ ମୌଳିକ ଅଧିକାର ଉଲ୍ଲଂଘନକୁ ସମର୍ଥନ କରୁଥିବା ସମ୍ବିଧାନ ବେଞ୍ଚର ଅଧିକାଂଶ ନିଷ୍ପତ୍ତି ନ୍ୟାୟପାଳିକା ଉପରେ ଲଗାଇଥିଲା କଳାଦାଗ । ଆଉ ଏହି ପଦକ୍ଷେପକୁ ଅସାମ୍ବିଧାନିକ କହିଥିଲେ ଜଷ୍ଟିସ୍ ଏଚ୍ ଆର ଖାନ୍ନା । ୧୯୭୩ କେସବାନନ୍ଦ ଭାରତୀ ମାମଲାରେ ଜଷ୍ଟିସ୍ ଏଚ୍ ଆର ଖାନ୍ନା ଏକ ଗୁରୁତ୍ୱପୂର୍ଣ୍ଣ ବିଚାରର ଏକ ଅଂଶ ଥିଲେ ଯାହା ମୌଳିକ ଗଠନର କରିଥିଲା ନୀତି ପ୍ରଚାର । 

ଜଷ୍ଟିସ ଖାନ୍ନାଙ୍କ ଏକ ଉଲ୍ଲେଖନୀୟ ନିଷ୍ପତ୍ତି ହେଉଛି, ନିର୍ବାଚନରେ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ ବ୍ୟବହାର । ରାୟ ଦେବାବେଳେ ସେ କହିଥିଲେ ଯେ, ଏହା ସୁରକ୍ଷିତ, ବୁଥ କ୍ୟାପଚର ସହ ନକଲି ଭୋଟିଂକୁ ରୋକିବ । ଏପ୍ରିଲ୍ ୨୬ରେ, ଜଷ୍ଟିସ୍ ଖାନ୍ନାଙ୍କ ନେତୃତ୍ୱରେ ଗଠିତ ବେଞ୍ଚ ଇଭିଏମ୍ ମାନିପୁଲେସନ୍ ସନ୍ଦେହକୁ କହିଥିଲା ଭିତ୍ତିହୀନ । 

ପୁରୁଣା ପେପର ବାଲାଟ୍ ସିଷ୍ଟମକୁ ଫେରିବା ଦାବିକୁ ପ୍ରତ୍ୟାଖ୍ୟାନ କରିଥିଲା ବେଞ୍ଚ । ଜଷ୍ଟିସ୍ ଖାନ୍ନା ପାଞ୍ଚ ଜଣିଆ ଖଣ୍ଡପୀଠର ଅଂଶ ଥିଲେ, ଯାହା ସମ୍ବିଧାନର ଧାରା ୩୭୦ ରଦ୍ଦ କରିବାକୁ କେନ୍ଦ୍ରର ୨୦୧୯ ନିଷ୍ପତ୍ତିକୁ କରିଥିଲା ସମର୍ଥନ । ଯାହା ଜାମ୍ମୁ କାଶ୍ମୀରର ପୂର୍ବ ରାଜ୍ୟକୁ ଦେଇଥିଲା ବିଶେଷ ମାନ୍ୟତା ।

୧୪ ମେ, ୧୯୬୦ରେ ଜଷ୍ଟିସ ସଞ୍ଜୀବ ଖାନ୍ନାଙ୍କ ଜନ୍ମ । ଦିଲ୍ଲୀର ବାରଖମ୍ବା ରୋଡ ଆଧୁନିକ ବିଦ୍ୟାଳୟରୁ ତାଙ୍କର ପାଠପଢା ସାରିବା ପରେ ୧୯୮୦ରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ କରିଥିଲେ ସ୍ନାତକ । ପରେ କ୍ୟାମ୍ପସ୍ ଆଇନ କେନ୍ଦ୍ର ଅର୍ଥାତ୍ ଦିଲ୍ଲୀ ବିଶ୍ୱବିଦ୍ୟାଳୟର CLC ରୁ ଆଇନ ଡିଗ୍ରୀ ହାସଲ କରିଥିଲେ ସେ । ଏମିତିକି ଜାତୀୟ ଆଇନ ସେବା ପ୍ରାଧିକରଣ (NALSA)ର କାର୍ଯ୍ୟକାରୀ ଅଧ୍ୟକ୍ଷ ଥିଲେ। ସାଧାରଣ ଓକିଲାତିରୁ ଜୀବନ ଆରମ୍ଭ କରିଥିବା ଜଷ୍ଟିସ ଖାନ୍ନା ଏବେ ସମ୍ଭାଳିବେ ନ୍ୟାୟପାଳିକାର କମାଣ୍ଡ । ୧୩ ମଇ ୨୦୨୫ ପର୍ଯ୍ୟନ୍ତ ରହିବ ଜଷ୍ଟିସ୍ ଖାନ୍ନାଙ୍କ କାର୍ଯ୍ୟକାଳ । 

  • Supreme Court
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.