ଅଗସ୍ତା ଓ୍ବେଷ୍ଟଲ୍ୟାଣ୍ଡ୍‌ ମାମଲାରେ କ୍ରିଷ୍ଟିୟନ ମିସେଲଙ୍କୁ ବଡ଼ ଆଶ୍ବସ୍ତି, ସୁପ୍ରିମକୋର୍ଟରୁ ମିଳିଲା ଜାମିନ୍‌

Published By : Prameya-News7 Bureau | February 18, 2025 IST

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଅଗସ୍ତା ଓ୍ବେଷ୍ଟଲ୍ୟାଣ୍ଡ୍‌ ଘୋଟଲା ମାମଲାରେ ବ୍ରିଟ୍ରିଶ ନାଗରିକ କ୍ରିଷ୍ଟିୟନ ମିଶେଲ ଜେମ୍ସଙ୍କୁ ବଡ଼ ଆଶ୍ବସ୍ତି । ୩,୬୦୦ କୋଟି ଟଙ୍କାର ଏହି ଘୋଟାଲା ମାମଲାରେ କ୍ରିଷ୍ଟିୟନଙ୍କୁ ଜାମିନ ଦେଇଛନ୍ତି ସୁପ୍ରିମକୋର୍ଟ । କ୍ରିଷ୍ଟିୟନ ଅଗସ୍ତା ଓ୍ବେଷ୍ଟଲ୍ୟାଣ୍ଡ୍‌ ହେଲିକପ୍ଟର କିଣାରେ ମଧ୍ୟସ୍ଥତା କରୁଥିଲେ।

ପ୍ରକୃତରେ ଅଗସ୍ତା ହେଲିକପ୍ଟର ଭାରତକୁ କିଣାଇଦେବାକୁ ଲାଞ୍ଚ ନେଇଥିବା ଅଭିଯୋଗରେ ୨୦୧୮ ମସିହାରେ ତାଙ୍କୁ ଦୁବାଇରୁ ଗିରଫ ପରେ ଭାରତ ପ୍ରତ୍ୟର୍ପଣ କରାଯାଇଥିଲା। ସିବିଆଇ ଏବଂ ଇଡି ହେଲିକପ୍ଟର କିଣାରେ ତାଙ୍କର ଭୂମିକା ନେଇ ଯାଞ୍ଚ କରୁଛି।ତେବେ ସୁପ୍ରିମକୋର୍ଟ ମିସେଲଙ୍କୁ ୬ ବର୍ଷ ପର୍ଯ୍ୟନ୍ତ ଜେଲରେ ରହିବା ଆଧାରରେ ଜାମିନ୍‌ ଦେଇଛନ୍ତି। 

ସୂଚନାଥାଉକି, ଅଗସ୍ତା ଓ୍ବେଷ୍ଟଲ୍ୟାଣ୍ଡ୍‌ ହେଲିକପ୍ଟରକୁ ଦୁନିଆର ସର୍ବୋତ୍ତମ ହେଲିକପ୍ଟର ଭାବରେ ଜଣା। ଏମିତିରେ ଭାରତର ଭିଭିଆଇପିଙ୍କ, ୨୦୧୦ରେ ଅଗସ୍ତା ଓ୍ବେଷ୍ଟଲ୍ୟାଣ୍ଡ୍ ସହ ୧୨ଟି ହେଲିକପ୍ଟର ପାଇଁ ଡିଲ୍‌ ହୋଇଥିଲା। ପ୍ରାରମ୍ଭିକ ଭାବରେ ତିନିଟି ହେଲିକପ୍ଟର ମଧ୍ୟ ମିଳିଯାଇଥିଲା ହେଲେ, ୨୦୧୩-୧୪ରେ ଘଟଣା ସାମ୍‌ନାକୁ ଆସିଲା ଯେ, ଭାରତକୁ ଏହି ହେଲିକପ୍ଟର କିଣାଇଦେବାକୁ ଅନେକ ଅଧିକାରୀଙ୍କ ଲାଞ୍ଚ ନେଇଛନ୍ତି। ଆଉ ଏହି ହେଲିକପ୍ଟର ଡିଲ୍‌ ପାଇଁ ମଧ୍ୟସ୍ଥତା କରୁଥିଲେ ମିସେଲ। ଏମିତିରେ ଦୁର୍ନୀତି କଥା ସାମ୍‌ନାକୁ ଆସିବା ପରେ ଡିଲ୍‌କୁ ରଦ୍ଦ କରାଯାଇଥିଲା।

ଏହା ପରେ ପୂର୍ବତନ ଏୟାରଫୋର୍ସ ମୁଖ୍ୟ ଏସ.ପି ତ୍ୟାଗୀଙ୍କ ସମେତ ୧୩ ଜଣକ ବିରୋଧରେ ମାମଲା ରୁଜୁ ହୋଇଥିଲା। ଏହି ଡିଲ୍‌କୁ ନେଇ କଂଗ୍ରେସ ଉପରେ ମଧ୍ୟ ପ୍ରଶ୍ନ ଉଠିଥିଲା। ଇଟାଲୀରେ ମଧ୍ୟ ହେଲିକପ୍ଟର କମ୍ପାନିର ଦୁଇ ଅଧିକାରୀଙ୍କୁ ଦଣ୍ଡିତ କରାଯାଇଥିଲା।

ଅଗସ୍ତା ଓ୍ବେଷ୍ଟଲ୍ୟାଣ୍ଡ୍‌ ଦୁର୍ନୀତି ଘଟଣାରେ ସିବିଆଇ ଏବଂ ଇଡି ନେଇ ଦୁଇ ଭିନ୍ନ ଭିନ୍ନ ମାମଲା ରୁଜୁ କରି ଯାଞ୍ଚ ଆରମ୍ଭ କରିଥିଲେ। ସିବିଆଇ ଅଭିଯୋଗରେ କହିଥଲା, ୫୫୬.୨୬୨ ମିଲିୟନ ୟୁରୋ ମୂଲ୍ୟର VVIP ହେଲିକପ୍ଟର ଯୋଗାଇଦେବାକୁ ହୋଇଥିବା ଡିଲ୍‌ କାରଣରୁ ସରକାରଙ୍କୁ ପ୍ରାୟ ୩୯୮.୨୧ ମିଲିୟନ ୟୁରୋ ଅର୍ଥାତ ପ୍ରାୟ ୨ ହଜାର ୬୬୬ କୋଟି ଟଙ୍କାର କ୍ଷତି ହୋଇଛି। ପରେ ଇଡି ୨୦୧୬ ଜୁନ୍ ମାସରେ ମିସେଲଙ୍କ ବିରୋଧରେ ଏକ ଚାର୍ଜସିଟ୍ ଦାଖଲ କରିଥିଲା। ଅଭିଯୋଗ ହୋଇଥିଲା ଯେ, ମିସେଲ, ଅଗସ୍ତା ୱେଷ୍ଟଲ୍ୟାଣ୍ଡରୁ ପ୍ରାୟ ୨୨୫ କୋଟି ଟଙ୍କା ଲାଞ୍ଚ ନେଇଥିଲେ। 

 

ଏହା ପୂର୍ବରୁ ମିସେଲ ୨୦୨୨ ମାର୍ଚ୍ଚରେ ଦିଲ୍ଲୀ ହାଇକୋର୍ଟରେ ଜାମିନ ଆବେଦନ କରିଥିଲେ। ଯାହା ଖାରଜ ହୋଇଥିଲା। ଏହା ପରେ ମିସେଲ ଜେମ୍ସ ସୁପ୍ରିମକୋର୍ଟରେ ରାୟକୁ ଚାଲେଞ୍ଜ କରିଥିଲେ। ଅବଶ୍ୟ ପ୍ରଥମ ଥର ସୁପ୍ରିମକୋର୍ଟ ତାଙ୍କ ଆବେଦନ ଖାରଜ କରିଥିଲେ। ପୁନଃ ୨୦୨୪ରେ ତାଙ୍କ ଆବେଦନ ଉପରେ ମଧ୍ୟ ସୁପ୍ରିମକୋର୍ଟ ଶୁଣାଣି କରିବାକୁ ମନା କରିଥିଲେ। ହେଲେ ଏବେ ତାଙ୍କୁ ଜାମିନ୍‌ ଦେଇଛନ୍ତି କୋର୍ଟ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.