ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଗୁରୁବାର ସରକାରୀ ନିଯୁକ୍ତିକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ସର୍ବୋଚ୍ଚ ଅଦଲାତ କହିଛନ୍ତି ଯେ ସରକାରୀ ଚାକିରିରେ ଭର୍ତ୍ତି ସହ ଜଡ଼ିତ ନିୟମ ଚୟନ ପ୍ରକ୍ରିୟା ଆରମ୍ଭ ହେବା ପରେ ବଦଳାଇ ପାରିବେ ନାହିଁ । ସୁପ୍ରିମକୋର୍ଟଙ୍କ ସାମ୍ୱିଧାନିକ ଖଣ୍ଡପୀଠ ରାୟ ଶୁଣାଣିଛନ୍ତି ଯେ ପଦ ପାଇଁ ଚୟନ ପ୍ରକ୍ରିୟା ଆରମ୍ଭ ହେବା ପରେ ‘ଖେଳର ନିୟମ’କୁ ମଝିରେ ବଦଳା ଯାଇପାରିବ ନାହିଁ, ଯେପର୍ଯ୍ୟନ୍ତ ସମ୍ୱନ୍ଧିତ ନିୟମ ଏପରି କରିବା ପାଇଁ ସ୍ପଷ୍ଟ ଅନୁମତି ନଦେଉଛି । ଏହି ମାମଲା ରାଜସ୍ଥାନ ହାଇକୋର୍ଟରେ ଟ୍ରାନ୍ସଲେଟର ପଦରେ ନିଯୁକ୍ତି ସହ ଜଡ଼ିତ ରହିଛି ।
ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱାଧୀନ ଖଣ୍ଡପୀଠରେ ନ୍ୟାୟମୂର୍ତ୍ତି ହୃଷିକେଶ ରାୟ, ନ୍ୟାୟମୂର୍ତ୍ତି ପିଏସ୍ ନରସିହ୍ମା, ନ୍ୟାୟମୂର୍ତ୍ତି ପଙ୍କଜ ମିଥଲ ଏବଂ ନ୍ୟାୟମୂର୍ତ୍ତି ମନୋଜ ମିଶ୍ର ସାମିଲ ଥିଲେ । କୋର୍ଟ ରାୟ କହିଛନ୍ତି, 'ଚୟନ ପ୍ରକ୍ରିୟା ଆବେଦନ ପାଇଁ ଆମନ୍ତ୍ରଣ ବିଜ୍ଞାପନରୁ ଆରମ୍ଭ ହୋଇଥାଏ । ନିଯୁକ୍ତି ପ୍ରକ୍ରିୟା ଆରମ୍ଭରେ ଚୟନ ସୂଚୀରେ ସାମିଲ ହେବା ପାଇଁ ମାନଦଣ୍ଡକୁ ଅଧାରୁ ବଦଳାଇ ପାରିବେ ନାହିଁ ।' ଖଣ୍ଡପୀଠ କହିଛନ୍ତି ଯେ ଚୟନ ନିୟମ ମନଇଚ୍ଛା ନୁହେଁ ବରଂ ସମ୍ୱିଧାନର ଧାରା ୧୪ ଅନୁରୂପରେ ହେବା ଦରକାର । ସୁପ୍ରିମକୋର୍ଟ ସର୍ବସମ୍ମତିରେ କହିଛନ୍ତି ଯେ ପାରଦର୍ଶିତା ଏବଂ ବିନା ଭେଦଭାବରେ ସର୍ବାଜନୀନ ଭର୍ତ୍ତି ପ୍ରକ୍ରିୟାର ପରିଚୟ ହେବା ଦେବା ଦରକାର ତଥା ନିୟମରେ ପରିବର୍ତ୍ତନ କରିବା ପ୍ରାର୍ଥୀଙ୍କ ହଇରାଣ କରାନଯିବା ଦରକାର ।
ରାଜସ୍ଥାନ ହାଇକୋର୍ଟରେ ୧୩ ଟ୍ରାନ୍ସଲେଟର ଚୟନ ସହ ଏହି ମାମଲା ଜଡ଼ିତ । ତେବେ ରାଜ୍ୟ ସରକାର ଅଧାରୁ ନିୟମ ବଦଳାଇଥିଲେ । ନିଯୁକ୍ତି ପ୍ରକ୍ରିୟା ଚାଲିଥିବା ବେଳେ ୭୫ ପ୍ରତିଶତ ଅଙ୍କ ହାସଲ ନିୟମ ଲାଗୁ କରିଥିଲେ । ଏହି ସଂଶୋଧିତ ମାନଦଣ୍ଡକୁ ଲାଗୁ କରିବା ପରେ ତିନି ପ୍ରାର୍ଥୀଙ୍କ ଚୟନ କରାଗଲା ଏବଂ ଅନ୍ୟମାନେ ବାହାର ହୋଇଥିଲେ । ୩ ଅସଫଳ ପ୍ରାର୍ଥୀ ହାଇକୋର୍ଟରେ ଏକ ରିଟ୍ ଯାଚିକା ଦାଖଲ କରି ଏହାକୁ ଚ୍ୟାଲେଞ୍ଜ କରିଥିଲେ । ତେବେ ୨୦୧୦ ମାର୍ଚ୍ଚରେ ଏହାକୁ ଖାରଜ କରାଯାଇଥିଲା । ଏହାପରେ ମାମଲା ୨୦୧୩ରେ ସୁପ୍ରିମକୋର୍ଟରେ ପହଞ୍ଚିଥିଲା । ତିନି ନ୍ୟାୟଧୀଶଙ୍କ ଖଣ୍ଡପୀଠ ମାମଲାକୁ ପାଞ୍ଚ ନ୍ୟାୟଧୀଶଙ୍କ ସାମ୍ୱିଧାନିକ ଖଣ୍ଡପୀଠକୁ ପଠାଇଥିଲେ । ୨୦୨୩ ଜୁଲାଇରେ ମାମଲାର ଶୁଣାଣି ଶେଷ ହୋଇଥିଲା । ସୁପ୍ରିମକୋର୍ଟ ନିଜ ପୁରୁଣା ରାୟ, ‘କେ.ମଞ୍ଜୁଶ୍ରୀ ବନାମ ଆନ୍ଧ୍ର ପ୍ରଦେଶ’ (୨୦୦୮)କୁ ସଠିକ୍ ଦର୍ଶାଇଛନ୍ତି ।