କୋଣାର୍କର ଚକ ସମେତ ଓଡ଼ିଶୀ ମୁଦ୍ରା, ମନ୍ଦିର କଳାର ଚରମ ନିଦର୍ଶନ; ବହୁ ଅଲୌକିକ ଘଟଣାର ମୁକସାକ୍ଷୀ ଏହି ପୀଠ

Published By : Prameya-News7 Bureau | June 28, 2024 IST

ଭୁବନେଶ୍ୱର: ସୁରଟର ସଚୀନଠାରେ ପ୍ରବାସୀ ଓଡ଼ିଆଙ୍କ ଦ୍ୱାରା ନିର୍ମିତ ହୋଇଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର ।  ୩ ଏକର ପରିମିତ ଜମି ଉପରେ ପ୍ରତିଷ୍ଠିତ ଏହି ପୀଠରେ ପ୍ରଥମେ ଏକ ଛୋଟ ଦେଉଳରେ ପୂଜା ପାଇଲେ ମହାପ୍ରଭୁ । ଏଠାରେ ପୀଠଟି ଗଢି ଉଠିବା ପୂର୍ବରୁ ୨୦୦୬ରେ ଗଢାଯାଇଥିଲା ଶ୍ରୀଜଗନ୍ନାଥ ସେବା ଟ୍ରଷ୍ଟ । ଏହି ଟ୍ରଷ୍ଟ ଜରିଆରେ ଏଠାରେ ମନ୍ଦିର ନିର୍ମାଣ ସହ ସେହି ବର୍ଷ ବିଗ୍ରହ ପ୍ରତିଷ୍ଠା ହୋଇଥିଲେ । ଛୋଟ ଅସ୍ଥାୟୀ ମନ୍ଦିର ବ୍ୟତିତ ବଡ ମନ୍ଦିରର ଉଚ୍ଚତା ୮୦ ଫୁଟ୍ । କୋଣାର୍କର ଚକ ସମେତ ଓଡ଼ିଶୀର ମୁଦ୍ରା, ମନ୍ଦିର କଳାର ଚରମ ନିଦର୍ଶନ ମନେହୁଏ । ଛୋଟ ମନ୍ଦିରରେ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା, ସୁଦର୍ଶନ ଓ ଲକ୍ଷ୍ମୀ ପୂଜା ପାଉଛନ୍ତି । ମନ୍ଦିର କାନ୍ଥରେ ଅଛନ୍ତି ଗଣେଶ ଓ ହନୁମାନ ପ୍ରମୁଖ ଦେବଦେବୀ । ପରବର୍ତ୍ତି ସମୟର ବଡ ମନ୍ଦିରରେ ସପ୍ତଧା ବିଗ୍ରହ ପ୍ରତିଷ୍ଠାର ବ୍ୟବସ୍ଥା ହୋଇଛି । ଦେଉଳ ପରିସରରେ ବିମଳା ଓ ଲକ୍ଷ୍ମୀ ମନ୍ଦିର ସମେତ ବାଇଶି ପାହାଚର ଦୁଇପଟେ ଘୋଡା ଓ ସିଂହଦ୍ୱାରରେ ଦୁଇଟି ସିଂହ ସ୍ଥାପିତ । ଏଠାରୁ ପ୍ରତିଦିନ ପ୍ରସାଦ ବାହାରିଥାଏ । ଦୁଃଖୀରଙ୍କିଙ୍କ ପାଇଁ ଏଠାରେ ପ୍ରସାଦ ସେବନର ସୁବ୍ୟବସ୍ଥା କରାଯାଇଛି । ମହାପ୍ରଭୁଙ୍କ ଯାନିଯାତ୍ରା ଓ ନୀତିକାନ୍ତି ଶ୍ରୀମନ୍ଦିର ଅନୁସରଣରେ ସମ୍ପନ୍ନ ହୋଇଥାଏ । ମନ୍ଦିରର ନିମ୍ନ ଭାଗରେ ଏକ ହଲ୍ ଅଛି । ଦେଉଳ ବେଢା ଭିତରେ ଏକ ଓଡ଼ିଆ ସ୍କୁଲ ମଧ୍ୟ ରହିଛି । ତାହା ହେଲା ‘ବିଜୁପଟ୍ଟନାୟକ ଓଡ଼ିଆ ସ୍କୁଲ’ । ଶ୍ରୀଜଗନ୍ନାଥ ସେବା ଟ୍ରଷ୍ଟ୍ ଏହାର ପରିଚାଳନା କରୁଛି ।  ଏଠାରେ ରଥଯାତ୍ରା ଖୁବ ବଡ ସମାରୋହରେ ପାଳିତ ହୁଏ । ଏଥିରେ ପ୍ରାୟ ୪ ହଜାର ଭକ୍ତଙ୍କ ସମାଗମ ହୁଏ । ଠାକୁର ମୁଖ୍ୟ ମନ୍ଦିରରୁ ମାର୍କଣ୍ଡେଶ୍ୱର ନଗରର ସ୍ଲମ୍ ବୋର୍ଡ ନିକଟ ମନ୍ଦିରକୁ ଯାତ୍ରା କରନ୍ତି । ଠାକୁରଙ୍କ ରଥରେ ଛେରାପହଁରା କରନ୍ତି ଦିଲୀପ ଭାଇ ତିୱରୀଲାଲ । ସେ କଟକରେ ଜନ୍ମିତ ଜଣେ ଧନାଢ୍ୟ ବ୍ୟକ୍ତି ଓ ରହୁଛନ୍ତି ସୁରଟରେ । ମାର୍କଣ୍ଡେଶ୍ୱର ମନ୍ଦିରରେ କେବଳ ଜଗନ୍ନାଥଙ୍କର ଫଟୋ ପୂଜା କରାଯିବାର ବିଧି ଅଛି । ଏଠାକୁ ଠାକୁର ନବଦିନ ବ୍ୟାପି ଯାତ୍ରାରେ ଆସି ରହିଥା’ନ୍ତି । ଭକ୍ତଙ୍କ ପାଇଁ ପ୍ରସାଦସେବନ ଓ ଭଜନକୀର୍ତ୍ତନ ହୁଏ । ଏହି ଅଞ୍ଚଳରେ ରହିଥିବା ପ୍ରାୟ ଦେଢଲକ୍ଷ ଓଡ଼ିଆଙ୍କ ଆରାଧ୍ୟ ଏହି ଠାକୁର । 

ଏହି ଜଗନ୍ନାଥ ମନ୍ଦିର ନିର୍ମାଣ ପଛରେ ଏକ ବଡ ଅଲୌକିକ ଘଟଣା ରହିଛି । ଏଠାରେ ଏକଦା କର୍ପୋରେଟର ଥିବା ଭାଗିରଥୀ ବେହେରା ନିଜ ଅନୁଭୂତିରୁ କହନ୍ତି ଯେ,- ମନ୍ଦିରର ଏହି ଜାଗା ହାଉସିଂବୋର୍ଡର ହୋଇଥିବାରୁ ଏକଦା ଜବରଦଖଲ ଅଭିଯୋଗରେ ସେଠାରେ ମନ୍ଦିର ଭାଙ୍ଗିବା ପାଇଁ ବହୁ ସଂଖ୍ୟାରେ ପୋଲିସ ଓ ବିଭାଗୀୟ ଅଫିସର ଏକଜୁଟ ହୋଇଥିଲେ । ପୋଲିସ କମିଶନରଙ୍କ ନିର୍ଦ୍ଦେଶକୁ ସମସ୍ତେ ଅପେକ୍ଷା କରିଥିଲେ । ଅନ୍ୟପଟେ ଭାଗିରଥୀ ମନ୍ଦିର ଭିତରକୁ ଯାଇ ପ୍ରଭୁଙ୍କ ପାଖରେ ଲୁହ ଛଳଛଳ ହୋଇ ଆବେଗ ଭରା କଣ୍ଠରେ କହିଲେ – କାଳିଆରେ !  ତୋର ଆଜି ଏଠାରେ ଶେଷ ଦିନ । ତୋତେ ହିଁ ତୁହି ରକ୍ଷାକର । ‘ଏହା କହି ସେ ମନ୍ଦିର ଭିତରୁ ଆସି ପାଖ ନିମ୍ବ ଗଛ ଚଉତରା ଉପରେ ବସିଛନ୍ତି, ହଠାତ ପୋଲିସ କମିଶନରଙ୍କ ଫୋନ ଆସିଲା – ସେ ଏ ନେଇ ଅନୁମତି ଦେଇପାରିବେନି । ଏହାପରେ ସବୁ ପୋଲିସ ଓ ଅଫିସର ଏଠାରୁ ଛତ୍ରଭଙ୍ଗ ଦେଇ ପଳାଇଲେ ।  ସେହି ମୂହୁର୍ତ୍ତର କଥା ମନେପଡିଲେ ଭାଗିରଥୀଙ୍କ ଦେହ ଶିହିରି ଉଠେ । ଆଉ ଏକ ଘଟଣାରେ ଭାଗୀରଥୀ ଅନେକ ସମୟରେ ବିଳମ୍ବିତ ରାତ୍ରିରେ ଅନୁଭବ କରନ୍ତି ଯେ , ମହମହ ତୁଳସୀ ବାସ୍ନା ଆସୁଛି । ସେ ଏକଥା ଏକଦା ତାଙ୍କର  ଜଣେ ବନ୍ଧୁଙ୍କୁ କହିଲେ । ମାତ୍ର ବନ୍ଧୁ ଜଣକ ଏହା ଶୁଣି ହସି ଉଡ଼ାଇ ଦେଲେ । ଥରେ ସେହି ବନ୍ଧୁଜଣକ ତାଙ୍କ ସାଥୀରେ ଦୁଇଜଣଙ୍କୁ ଆଣି ରାତିରେ ମନ୍ଦିରକୁ ଆସିଲେ । ଭାଗିରଥୀ ମଧ୍ୟ ଉପସ୍ଥିତ ଥିଲେ । ହଠାତ ପ୍ରାୟ ମଧ୍ୟରାତ୍ରି ବେଳକୁ ସମସ୍ତେ ଅନୁଭବ କଲେ ଯେ, ପ୍ରକୃତରେ ତୁଳସୀ ବାସ୍ନା ଆସୁଛି । ଏହା ଏତେ ସୁଗନ୍ଧିତ ଥିଲା ଯେ , ପୂର୍ବରୁ ତାଙ୍କ କଥାକୁ ମିଛ କହୁଥିବା ବନ୍ଧୁ ଆଶ୍ଚର୍ଯ୍ୟ ହୋଇଗଲେ । ଠାକୁରଙ୍କ ପାଖରେ ମୁଣ୍ଡିଆ ମାରି ନିଜର ଭୁଲ ସ୍ୱୀକାର କଲେ । ଆଉ ଏକ ଘଟଣାରେ, ମନ୍ଦିର ସାମନା ଦୁଇମହଲା ଘରେ ଲୁହା ସିଡିରୁ ହଠାତ ଦିନେ ପିଲାଟିଏ ଗଡ଼ିଗଡି ଆସି ତଳେ ପଡିଲା । ଭାଗିରଥୀ କେବଳ ହାତଟେକି ଜଗନ୍ନାଥଙ୍କୁ କହିଥିଲେ ଯେ, ହେ ପ୍ରଭୁ ଜଗନ୍ନାଥ ! ପିଲାଟିକୁ ରକ୍ଷା କର । ‘ ସତକୁ ସତ ସତେ ଯେମିତି ଠାକୁର ଫୁଲ ପରି ନିଜ ହାତରେ ତା’କୁ କୋଳେଇ ଆଣି ତଳେ ଶୁଆଇ ଦେଲେ । ତାର କିଛି ବି ହୋଇନଥିଲା ।  ଏସବୁ ଘଟଣା ଏଠାରେ ମହାପ୍ରଭୁଙ୍କ ଠାରେ ଭକ୍ତଙ୍କର ଗଭୀର ଆସ୍ଥା ଆଣିଥାଏ । କୋଟି ଓଡ଼ିଆଙ୍କ ମଉଡମଣି ସେ ।  ଓଡ଼ିଆଟିଏ ଯେଉଁଠି ଥିଲେ ବି ସବୁ ବିପଦ ଆପଦରେ ହାତଟେକିଦିଏ ଜଗନ୍ନାଥଙ୍କୁ । ସୁରତର ଏହି ପୀଠ ଏପରି ବହୁ ଅଲୌକିକ  ଘଟଣାର ମୁକସାକ୍ଷୀ ।    


  • Ratha Yatra 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.