ନୂଆଦିଲ୍ଲୀ ୫।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ୨୦୨୫ ନିମନ୍ତେ ୫ ଫେବୃଆରୀ ବୁଧବାର ସମସ୍ତ ୭୦ଟି ସିଟ୍ରେ ୫୭.୭୦ ପ୍ରତିଶତ ମତଦାନ ହୋଇଛି। ଏବେ ସମସ୍ତଙ୍କ ନଜର ଏଗଜିଟ୍ ପୋଲ ପରେ ୮ ଫେବୃଆରୀ ଭୋଟଗଣନା ଫଳାଫଳ ଉପରେ। ଭୋଟର ଏଥର ବି ରାଜନୈତିକ ବିଶ୍ଲେଷକଙ୍କୁ ଚକିତ କରିବେ ନା ଏଗଜିଟ ପୋଲ ଫଳାଫଳ ସଠିକ ସାବ୍ୟସ୍ତ ହେବ ଆସନ୍ତୁ ଜାଣିବା..
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରେ ଅରବିନ୍ଦ କେଜରିୱାଲ ଲୋକଙ୍କ ପ୍ରଥମ ପସନ୍ଦ
ଦିଲ୍ଲୀ ବିଧାସଭା ନିର୍ବାଚନ ନିମନ୍ତେ ଭୋଟଗ୍ରହଣ ଶେଷ ହେବା ପରେ ଏବେ ଏଗଜିଟ ପୋଲ ବି ଆସିସାରିଲାଣି। ବିଭିନ୍ନ ଏଜେନ୍ସୀ ସେମାନଙ୍କ ବୁଥ ବାହୁଡା ଆକଳନ ଉପସ୍ଥାପନ କରୁଛନ୍ତି। ତେବେ ଦିଲ୍ଲୀ ଏଗଜିଟ୍ ପୋଲ ପୂର୍ବରୁ ଏକ ସର୍ଭେରୁ ଆଶ୍ଚର୍ଯ୍ୟଜନକ ପରିଣାମ ସାମ୍ନାକୁ ଆସିଛି। ସର୍ଭେ ଅନୁସାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରୂପେ ଅରବିନ୍ଦ କେଜରିୱାଲ ଏବେବି ଜନତାଙ୍କ ପ୍ରଥମ ପସନ୍ଦ ବୋଲି ଜଣାପଡିଛି। ହେଲେ ତାଙ୍କ ଲୋକପ୍ରିୟତା ଏଥର ହ୍ରାସ ହୋଇଛି।
ଦିଲ୍ଲୀ ବିଧାନସଭା ନିର୍ବାଚନ ୨୦୨୫କୁ ନେଇ ସି-ଭୋଟରର ତାଜା ସର୍ଭେ ଅନୁସାରେ ୨୦୨୦ ନିର୍ବାଚନ ତୁଳନାରେ ୨୦୨୫ ନିର୍ବାଚନରେ ଆମ ଆଦମୀ ପାର୍ଟି (ଆପ) ଏତେ ମଜଭୁତ ସ୍ଥିତିରେ ନାହିଁ। ୨୦୨୦ ମସିହାରେ ୭୦ ପ୍ରତିଶତ ଜନତା ଅରବିନ୍ଦ କେଜରିୱାଲଙ୍କୁ ମୁଖ୍ୟମନ୍ତ୍ରୀ ରୂପେ ଦେଖିବାକୁ ଚାହୁଁଥିଲେ। ତେବେ ୨୦୨୫ ଦିଲ୍ଲୀ ନିର୍ବାଚନ ସର୍ଭେରେ ଏହି ପ୍ରତିଶତ ୪୬କୁ ଖସିଛି।
ବଦଳିଛି ଦିଲ୍ଲୀ ଜନତାଙ୍କ ମୁଡ
ଫେବୃଆରୀ ୧ ତାରିଖରେ କେନ୍ଦ୍ର ବଜେଟ୍ ଆସିଥିଲା। ଏହା ପରେ ସି-ଭୋଟର ୨ ଫେବୃଆରୀରେ ଏହି ସର୍ଭେ କରିଥିଲା। ଫଳାଫଳରୁ ଯାହା ଜଣାପଡିଛି ଦିଲ୍ଲୀରେ ସରକାର ବିରୋଧ ଲହର ପୂର୍ବପେକ୍ଷା ତୀବ୍ର ହୋଇଛି। ୨୦୨୦ ମସିହାରେ ଯେଉଁଠି ୨୦ ପ୍ରତିଶତ ଜନତା ଆପ ସରକାରଙ୍କ ଉପରେ ଅସନ୍ତୁଷ୍ଟ ଥିଲେ। ୨୦୨୫ରେ ଏହି ହାର ୪୪ ପ୍ରତିଶତକୁ ପହଞ୍ଚି ଯାଇଛି। ହେଲେ ଏବେବି ୪୯ ପ୍ରତିଶତ ଲୋକେ ସରକାରଙ୍କ ଉପରେ ସନ୍ତୁଷ୍ଟ ଅଛନ୍ତି।
ହେଲେ ଆପ ପାଇଁ ଏହା ସନ୍ତୋଷଜନକ ସ୍ଥିତି ହୋଇ ନପାରେ। ଦ୍ୱିତୀୟ ଗୁରୁପୂର୍ଣ୍ଣ ତଥ୍ୟ ହେଉଛି ଯେତେବେଳେ ଭୋଟରଙ୍କୁ ପଚରାଗଲା ସେମାନେ କେଉଁ ପାର୍ଟି କୁ ଭୋଟ କରିବେ ଏଥିରେ ଆପକୁ ୪୨ ପ୍ରତିଶତ ଓ ବିଜେପିକୁ ୩୭ ପ୍ରତିଶତ ସମର୍ଥନ ମିଳିଥିଲା। ତେବେ ଏହି ଅନ୍ତର ଏତେ ବେଶି ନୁହେଁ। ଏଥିରୁ ବିଧାନସଭା ନିର୍ବାଚନରେ ମୁହାଁମୁହିଁ ଟକ୍କର ହୋଇଥିବା ଓ ଫଳାଫଳ ଅପ୍ରତ୍ୟାସିତ ଆସିବାର ଆକଳନ କରାଯାଉଛି।
ବଡ ପରିବର୍ତ୍ତନ କରିପାରେ ବିଜେପି
ଯଦି ଏଗଜିଟ ପୋଲ ଭୁଲ ସାବ୍ୟସ୍ତ ହୁଏ ଓ ବିଜେପି ଅପ୍ରତ୍ୟାସିତ ପ୍ରଦର୍ଶନ କରେ ତେବେ ଏହା ଜାତୀୟ ରାଜନୀତି ନିମନ୍ତେ ଏକ ବଡ଼ ବାର୍ତ୍ତା ହେବ। ଆମ ଆଦମୀ ପାର୍ଟି ନିମନ୍ତେ ଏଥର ନିର୍ବାଚନ ଏତେ ସହଜ ନଥିଲା ଓ ଅରବିନ୍ଦ କେଜରିୱାଲଙ୍କୁ ଅନେକ ଜଟିଳ ପ୍ରସଙ୍ଗର ସମ୍ମୁଖୀନ ହେବାକୁ ପଡିଛି, ଯେଉଁଥିରେ ଦୁର୍ନୀତି ଅଭିଯୋଗ, ବଜେଟ୍ ସମ୍ପର୍କିତ ଚିନ୍ତା ଓ ବିଜେପିର ଆକ୍ରମକ ପ୍ରଚାର ଆଦି ରହିଛି। ଏବେ ସମସ୍ତଙ୍କ ନଜର ଫେବୃଆରୀ ୮ ଭୋଟ ଗଣନା ଉପରେ। ଦିଲ୍ଲୀ ଭୋଟର ପୁଣି ଥରେ ରାଜନୈତିକ ବିଶ୍ଲେଷକଙ୍କୁ ଭୁଲ ପ୍ରମାଣିତ କରିବେ ନା ଏଗଜିଟ ପୋଲ ଭବିଷ୍ୟବାଣୀ ସଠିକ ହେବ ଏଥି ପାଇଁ କେବଳ ଭୋଟ ଗଣନାକୁ ଅପେକ୍ଷ କରାଯାଇପାରେ।