ଇମ୍ଫାଲ: ରାଷ୍ଟ୍ରପତି ଶାସନ ଲାଗିବା ପରେ ଆକ୍ସନରେ ମଣିପୁର ଗଭର୍ଣ୍ଣର। ଅପରାଧ ଘଟାଉ ଥିବା ସମସ୍ତ ସମ୍ପ୍ରଦାୟର ବିଦ୍ରୋହୀଙ୍କୁ ୭ ଦିନର ଅଲ୍ଟିମେଟମ। ୭ ଦିନ ଭିତରେ ଲୁଟ୍ ହୋଇଥିବା ଓ ବେଆଇନ ଭାବେ ପାଖରେ ରଖିଥିବା ଅସ୍ତ୍ରଶସ୍ତ୍ର ଫେରାଅ ନହେଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ। ଗୁରୁବାର ମଣିପୁର ଗଭର୍ଣ୍ଣର ଅଜୟ ଭଲ୍ଲା ଆନ୍ଦୋଳନକାରୀଙ୍କୁ ଏଭଳି ଚେତାବନୀ ଦେଇଛନ୍ତି। ତେବେ ନିର୍ଦ୍ଦେଶମାନ ୭ ଦିନ ଭିତରେ ଅସ୍ତ୍ରଶସ୍ତ୍ର ଫେରାଇ ଦେଲେ ସେମାନଙ୍କ ବିରୋଧରେ କୌଣସି ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ ବୋଲି ଶ୍ରୀ ଭଲ୍ଲା ଆଶ୍ୱାସନା ଦେଇଛନ୍ତି।
ଗଭର୍ଣ୍ଣର ପକ୍ଷରୁ ଜାରି ହୋଇଥିବା ସରକାରୀ ବିବୃତ୍ତିରେ କୁହାଯାଇଛି “ରାଜ୍ୟର ଲୋକମାନେ ସେମାନଙ୍କର ସାଧାରଣ ଦୈନନ୍ଦିନ କାର୍ଯ୍ୟକଳାପକୁ ଯେମିତି ଫେରିପାରିବେ,ଏଥିପାଇଁ ସ୍ୱାଭାବିକତା ଫେରାଇ ଆଣିବାର ବୃହତ୍ତର ସ୍ୱାର୍ଥରେ ରାଜ୍ୟର ସମସ୍ତ ସମ୍ପ୍ରଦାୟକୁ ଶତ୍ରୁତା ବନ୍ଦ କରିବା ଏବଂ ସମାଜରେ ଶାନ୍ତି ଓ ଶୃଙ୍ଖଳା ବଜାୟ ରଖିବା ସୁନିଶ୍ଚିତ କରିବା ପାଇଁ ଆଗକୁ ଆସିବାକୁ ପଡିବ।”
ଜାରି ହୋଇଥିବା ବିବୃତ୍ତିରେ ଭଲ୍ଲା ଆହୁରି କହିଛନ୍ତି ଯେ ଉଭୟ ଉପତ୍ୟାକା ଓ ପାହାଡ଼ିଆ ଅଞ୍ଚଳର ମଣିପୁରର ଲୋକମାନେ ଦୀର୍ଘ ୨୦ ମାସରୁ ଅଧିକ ସମୟ ହେଲା ନାନା ସମସ୍ୟା ଦେଇ ଗତି କରୁଛନ୍ତି। ବାରମ୍ବାର ଘଟୁଥିବା ଦୁଃଖଦ ଦୁର୍ଘଟଣା ସାମ୍ପ୍ରଦାୟିକ ସଦ୍ଭାବରେ ବାଧା ସୃଷ୍ଟି କରୁଛି।
ପଢ଼ନ୍ତୁ- ବିଜେନ୍ଦ୍ର ଗୁପ୍ତା ହେବେ ଦିଲ୍ଲୀ ବିଧାନସଭା ବାଚସ୍ପତି, ମୋହନ ସିଂ ବିଷ୍ଟ ଉପାଧ୍ୟକ୍ଷ !
ଶ୍ରୀ ଭଲ୍ଲା ଜାରି କରିଥିବା ଅଲ୍ଟିମେଟମରେ କହିଛନ୍ତି “ଏହି ପରିପ୍ରେକ୍ଷୀରେ ମୁଁ ସମସ୍ତ ସମ୍ପ୍ରଦାୟର ଲୋକଙ୍କୁ, ବିଶେଷକରି ଉପତ୍ୟକା ଏବଂ ପାହାଡ଼ର ଯୁବକମାନଙ୍କୁ ଆନ୍ତରିକ ଭାବରେ ଅନୁରୋଧ କରୁଛି ଯେ ସେମାନେ ସ୍ୱେଚ୍ଛାକୃତ ଭାବରେ ଆଗକୁ ଆସି ଲୁଟ ହୋଇଥିବା ଏବଂ ବେଆଇନ ଭାବରେ ରଖାଯାଇଥିବା ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୁଡ଼ିକୁ ଆସନ୍ତା ସାତ ଦିନ ମଧ୍ୟରେ ନିକଟସ୍ଥ ପୋଲିସ ଷ୍ଟେସନ, ଆଉଟପୋଷ୍ଟ, ସୁରକ୍ଷା ବାହିନୀ ଶିବିରରେ ସମର୍ପଣ କରନ୍ତୁ, ଏହି ନିର୍ଦ୍ଦେଶ ଆଜିଠାରୁ କାର୍ଯ୍ୟକାରୀ ହେବ। ଏହି ଅସ୍ତ୍ରଶସ୍ତ୍ରଗୁଡ଼ିକୁ ଫେରାଇ ଦେବାର ଆପଣଙ୍କର ଏକ ଛୋଟିଆ କାର୍ଯ୍ୟ ଶାନ୍ତି ଫେରାଇ ଆଣିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହୋଇପାରେ। ମୁଁ ଆପଣଙ୍କୁ ଆଶ୍ୱସ୍ତ କରିବାକୁ ଚାହୁଁଛି ଯେ ଯଦି ଆପଣ ନିର୍ଦ୍ଧାରିତ ସମୟରେ ଅସ୍ତ୍ରଶସ୍ତ୍ର ଫେରାଇ ଦିଅନ୍ତି ତେବେ ଆପଣଙ୍କ ଉପରେ କୌଣସି ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନ ହେବ ନାହିଁ। ଏହାପରେ, ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ଅଭିଯୋଗରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ।”
ମୁଖ୍ୟମନ୍ତ୍ରୀ ଏନ ବୀରେନ ସିଂହ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାର କିଛି ଦିନ ପରେ ଗତ ସପ୍ତାହରେ ମଣିପୁରରେ ରାଷ୍ଟ୍ରପତି ଶାସନ ଲାଗୁ କରାଯାଇଥିଲା। ଏବଂ ରାଜ୍ୟ ବିଧାନସଭାକୁ ସ୍ଥଗିତ ରଖାଯାଇଛି। ତେବେ ହିଂସାରେ ରାଜ୍ୟ ଦୁଇ ବର୍ଷ ଜଳିବା ପରେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
ସୂଚନା ଥାଉକି ୨୦୨୩ ମସିହା ମେ ମାସରୁ ମଣିପୁରରେ ହିଂସା ଲାଗି ରହିଛି। ସରକାରୀ ସଂରକ୍ଷଣ ବ୍ୟବସ୍ଥାକୁ ନେଇ ଇମ୍ଫାଲ ଉପତ୍ୟକାରେ ରହୁଥିବା ସଂଖ୍ୟାଗରିଷ୍ଠ ମୈତେଇ ସମ୍ପ୍ରଦାୟ ଏବଂ ପାହାଡ଼ିଆ ଅଞ୍ଚଳରେ ରହୁଥିବା କୁକି-ଜୋ ଆଦିବାସୀଙ୍କ ମଧ୍ୟରେ ହିଂସକ ସଂଘର୍ଷ ହେଉଛି। ଏଥିରେ ଏପର୍ଯ୍ୟନ୍ତ ହଜାର ହଜାର ଲୋକ ବାସସ୍ଥାନ ହରାଇ ଥିବା ବେଳେ ସରକାରୀ ଡାଟା ଅନୁସାରେ ୨୫୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ବେସରକାରୀ ଭାବେ ଦେଖିଲେ ମୃତ୍ୟୁ ସଂଖ୍ୟା ଏହା ଠାରୁ ଅଧିକ ହୋଇପାରେ।