ମୁମ୍ବାଇ ନୁହେଁ ଦିଲ୍ଲୀ ତିହାର ଜେଲ୍‌ର ରହିବ ୨୬/୧୧ ଆକ୍ରମଣର ମାଷ୍ଟର ମାଇଣ୍ଡ ତହବୁର ରାଣା !

Published By : Prameya-News7 Bureau | April 09, 2025 IST

ନୂଆଦିଲ୍ଲୀ: ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ତହବୁର ରାଣାକୁ ପ୍ରତ୍ୟର୍ପଣ ନୀତିରେ ବୁଧବାର ଆମେରିକାରୁ ଭାରତ ଅଣାଯାଉଛି। ରାଣାକୁ ଦିଲ୍ଲୀର ତିହାର କେନ୍ଦ୍ରୀୟ କାରାଗାରରେ ରଖାଯିବ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି। ଦିଲ୍ଲୀର ଏକ ସ୍ୱତନ୍ତ୍ର ଏନଆଇଏ କୋର୍ଟରେ ରାଣାର ବିଚାର କରାଯିବ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।

ସୂଚନା ଅନୁସାରେ ରାଣାକୁ ଏକ ସ୍ୱତନ୍ତ୍ର ବିମାନରେ ଭାରତ ଅଣାଯାଉଛି। ଏହି ବିମାନରେ ଗୁଇନ୍ଦା ଏବଂ ତଦନ୍ତକାରୀ ଅଧିକାରୀଙ୍କ ଏକ ସ୍ୱତନ୍ତ୍ର ଟିମ୍ ମଧ୍ୟ ରହିଛି।ବୁଧବାର ଭାରତୀୟ ସମୟ ପ୍ରାୟ ସନ୍ଧ୍ୟା ୭:୧୦ ତହବୁର ରାଣା ଆମେରିକାରୁ ବାହାରିଛି ଏବଂ ଗୁରୁବାର ଅପରାହ୍ନରେ ସେ ଭାରତରେ ଅବତରଣ କରିବ ବୋଲି ଆଶା କରାଯାଉଛି।

ରାଣା ଦିଲ୍ଲୀରେ ପହଞ୍ଚିବା ପରେ, ତାଙ୍କୁ ଜାତୀୟ ତଦନ୍ତ ସଂସ୍ଥା (NIA) ଦ୍ୱାରା ଆନୁଷ୍ଠାନିକ ଭାବରେ ଗିରଫ କରାଯିବ ଏବଂ ତିହାର ଜେଲରେ ରଖାଯିବ, ଯେଉଁଠାରେ ତା’ ରହଣି ପାଇଁ ସମସ୍ତ ପ୍ରସ୍ତୁତି କରାଯାଇଛି। ରାଣାର ପ୍ରତ୍ୟର୍ପଣକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ କାରାଗାର ଚାରିପାଖରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି। 

ପଢନ୍ତୁ- ୱାକଫ ଆଇନକୁ ନେଇ J-K ବିଧାନସଭାରେ ହାତାହାତି ପରିସ୍ଥିତି, AAP ଓ BJP ବିଧାୟକ ମୁହାଁମୁହିଁ

ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡଙ୍କ ବିରୋଧରେ ଦିଲ୍ଲୀର ଏକ ସ୍ୱତନ୍ତ୍ର ଏନ୍‌ଆଇଏ କୋର୍ଟରେ ବିଚାର କରାଯିବ। ଯେହେତୁ ମାମଲାଟି ଏବେ ଦିଲ୍ଲୀରେ ଶୁଣାଣି ହେବ, ତେଣୁ ତାଙ୍କୁ ମୁମ୍ବାଇ ପଠାଯିବ ନାହିଁ ବୋଲି ସମ୍ପର୍କିତ ଅଧିକାରୀ ଇଣ୍ଡିଆଟୁଡେକୁ ସାକ୍ଷାତ୍‌କାର ଦେଇ ଏହି ସୂଚନା ଦେଇଛନ୍ତି। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ଏନ୍ଆଇଏ ଏବଂ ଗୃହ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନଙ୍କ ଦ୍ୱାରା ରାଣାର ପ୍ରତ୍ୟର୍ପଣ ଅଭିଯାନର ତଦାରଖ କରାଯାଉଛି ବୋଲି ଅଧିକାରୀ ଜଣଙ୍କ ସୂଚନା ଦେଇଛନ୍ତି। 

ତେବେ ୨୦୦୮ ନଭେମ୍ବର ୨୬ରେ ମୁମ୍ବାଇ ଆକ୍ରମଣ ଘଟଣାରେ ତହବୁରର ସିଧାସଳଖ ସଂପୃକ୍ତି ରହିଛି ଏବଂ ସେ ପାକିସ୍ତାନୀ ଆତଙ୍କୀ ଡେଭିଡ୍ ହେଡଲି ସହ ମିଶି ଷଡ଼ଯନ୍ତ୍ରରେ ସାମିଲ ଥିଲା ବୋଲି ଭାରତ ଦାବି କରୁଛି । ଭାରତରେ ତାର ଜେରା ଓ ବିଚାର ପାଇଁ ପ୍ରତ୍ୟର୍ପଣ କରିବାକୁ ରାଜି ହୋଇଛି ଆମେରିକା ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.