ୱାୟନାଡ ଭୂସ୍ଖଳନ ମୃତ୍ୟୁ ସଂଖ୍ୟା ୧୨୨କୁ ବୃଦ୍ଧି, କେରଳ ପାଇଁ ୫ କୋଟି ସହାୟତା ଘୋଷଣା କଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | July 30, 2024 IST

ନୂଆଦିଲ୍ଲୀ: କେରଳର ୱାୟନାଡରେ ପ୍ରକୃତି ତାଣ୍ଡବରେ ସମସ୍ତେ ସବ୍ଧ । ନଦୀରେ ଭାସୁଛି ଶବ, ମାଟି ତଳୁ ବି ବାହାରୁଛି ମୃତ ଦେହ । ସୋମବାର ମଧ୍ୟରାତ୍ରିରୁ ମଙ୍ଗଳବାର ସକାଳ ଯାଏଁ ହୋଇଥିବା ତିନୋଟି ଭୂସ୍ଖଳନରେ ଶତାଧିକ ଲୋକଙ୍କ ଜୀବନ ଗଲାଣି । ମୃତ୍ୟୁ ସଂଖ୍ୟା ଆହୁରି ବଢିବା ଆଶଂକା କରାଯାଉଛି । ରାଜ୍ୟର ସଂକଟ ସ୍ଥିତିରେ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ସହାୟତର ହାତ ବଢାଇଛନ୍ତି । କେରଳର ଭୂସ୍ଖଳନ ପ୍ରଭାବିତ ଅଞ୍ଚଳ ପାଇଁ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍.କେ.ଷ୍ଟାଲିନ୍ ମଙ୍ଗଳବାର ୫ କୋଟି ଟଙ୍କା ଘୋଷଣା କରିଛନ୍ତି । କେରଳ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନଙ୍କ ସହ ଫୋନ ଯୋଗେ କଥା ମଧ୍ୟ ହୋଇଛନ୍ତି । ଏହି ବିପଦ ସ୍ଥିତିରେ ସମସ୍ତ ପ୍ରକାର ସହଯୋଗ ପାଇଁ ଆଶ୍ୱସନା ମଧ୍ୟ ଦେଇଛନ୍ତି ।

ରାଜ୍ୟର ଦୁଇ ବରିଷ୍ଠ ଆଇଏଏସ୍ ଅଫିସରଙ୍କ ନେତୃତ୍ୱରେ ଗୋଟିଏ ଟିମ୍ କେରଳ ପଠାଯାଇଛି । ଏହି ଟିମରେ ଜଣେ ଯୁଗ୍ମ ନିର୍ଦ୍ଦେଶକଙ୍କ ସହ ୨୦ ଜଣ ଅଗ୍ନିଶମ କର୍ମୀ ଅଛନ୍ତି । ଏହାସହ ରାଜ୍ୟ ବିପର୍ଯ୍ୟୟ ପରିଚାଳନାର ୨୦ ଜଣ ଯବାନଙ୍କୁ ମଧ୍ୟ କେରଳ ପଠାଯାଇଛି । ଏହାସହ ୧୦ ଜଣ ଡାକ୍ତର ଏବଂ ନର୍ସଙ୍କୁ ମଧ୍ୟ ସହାୟତା ପାଇଁ ପଠାଯାଇଛି ।

ପଢନ୍ତୁ: ଗାଁ ହୋଇଗଲା ନିଶ୍ଚିହ୍ନ, ଭାସିଗଲା ରାସ୍ତା...ୱାୟନାଡରେ ମୃତ୍ୟୁର ତାଣ୍ଡବ

ଭୂସ୍ଖଳନର କେନ୍ଦ୍ରବିନ୍ଦୁ ଥିବା ୱାୟନାଡର ମୁଣ୍ଡାକ୍କାଇରେ ଗତ ୪୮ ଘଣ୍ଟା ମଧ୍ୟରେ ୫୭୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଭାରତୀୟ ପାଣିପାଗ ବିଭାଗର ମାର୍ଗଦର୍ଶିକା ଅନୁସାରେ ଦିନକରେ ୨୦୪.୪ ମିଲିମିଟରରୁ ଅଧିକ ବର୍ଷା ହେଲେ ତାହାକୁ ଅତିପ୍ରବଳ ବୋଲି କୁହାଯିବ । କେରଳ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ଅଞ୍ଚଳରେ ପ୍ରଥମ ୨୪ ଘଣ୍ଟାରେ ୨୨ ମିଲିମିଟର ବର୍ଷ ହୋଇଥିଲା ଏବଂ ଶେଷ ୨୪ ଘଣ୍ଟାରେ ୩୭୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଶେଷ ହସ୍ତଗତ ତଥ୍ୟ ଅନୁସାରେ ଭୂସ୍ଖଳନରେ ମୃତ୍ୟୁ ସଂଖ୍ୟା ୧୨୨କୁ ବୃଦ୍ଧି ପାଇଛି । ବିଭିନ୍ନ ହସ୍ପିଟାଲରେ ୧୨୫ ଜଣ ଚିକିତ୍ସିତ ହେଉଛନ୍ତି । ୪୮୧ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଏବେବି ୯୬ ଜଣ ନିଖୋଜ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.