ନୂଆଦିଲ୍ଲୀ: ଆନ୍ଧ୍ର ପ୍ରଦେଶରୁ ଲୋକସଭା ସାଂସଦ କାଲିସେଟ୍ଟି ଆପାଲା ନାଇଡୁ ଜନସଂଖ୍ୟା ବୃଦ୍ଧି ପାଇଁ ମହିଳାମାନଙ୍କୁ ଏକ ଅଜବ ଅଫର୍ ଦେଇଛନ୍ତି । ସେ କହିଛନ୍ତି ଯେ ଯଦି ତୃତୀୟ ସନ୍ତାନରେ ଝିଅ ହୁଏ, ତେବେ ମାଆଙ୍କୁ ୫୦,୦୦୦ ଏବଂ ଯଦି ପୁଅ ହୁଏ, ତେବେ ତାଙ୍କୁ ଗୋଟିଏ ଗାଈ ଏବଂ ବାଛୁରୀ ଦିଆଯିବ । ସୀମା ନିର୍ଦ୍ଧାରଣ କାର୍ଯ୍ୟାନ୍ୱୟନକୁ ନେଇ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଏବଂ କିଛି ରାଜ୍ୟ ସରକାରଙ୍କ ମଧ୍ୟରେ, ବିଶେଷକରି ଦକ୍ଷିଣ ଭରାତୀୟ ରାଜ୍ୟଗୁଡ଼ିକ ମଧ୍ୟରେ ବିବାଦ ଭିତରେ ସାଂସଦଙ୍କ ଏହି ବୟାନ ଆସିଛି ।
୨୦୨୯ ଲୋକସଭା ନିର୍ବାଚନ ପୂର୍ବରୁ ବର୍ତ୍ତମାନର ଜନସଂଖ୍ୟା ଆଧାରରେ ସଂସଦୀୟ ନିର୍ବାଚନମଣ୍ଡଳୀର ସୀମା ପୁନଃନିର୍ମାଣ ପ୍ରକ୍ରିୟା, ସୀମା ନିର୍ଦ୍ଧାରଣ କରାଯିବାର ଯୋଜନା କରାଯାଇଛି । ଯେଉଁଥି ପାଇଁ ଦକ୍ଷିଣ ଭାରତର ରାଜ୍ୟଗୁଡ଼ିକ ନେତାମାନେ ଜନସଂଖ୍ୟା ବଢାଇବା ପାଇଁ ଅପିଲ୍ କରୁଛନ୍ତି । ସେମାନଙ୍କୁ ନିଜ ରାଜ୍ୟର ସଂସଦୀୟ କ୍ଷେତ୍ର ହ୍ରାସ ହେବା ଭୟ ରହିଛି ।
ଟିଡିପି ସାଂସଦ ସାମ୍ୱାଦିକଙ୍କୁ କହିଥିଲେ, "ଯଦି ତୃତୀୟ ସନ୍ତାନ ପୁଅ ହୁଏ, ତେବେ ଆମେ ଗୋଟିଏ ଗାଈ ଏବଂ ଗୋଟିଏ ବାଛୁରୀ ଦେବୁ । ଯଦି ତୃତୀୟ ସନ୍ତାନ ଝିଅ ହୁଏ, ତେବେ ଆମେ ୫୦,୦୦୦ର ସ୍ଥାୟୀ ଜମା କରିବୁ । ଭାରତୀୟ ଜନସଂଖ୍ୟା ବଢାଇବାକୁ ପଡିବ" । ସେ କହିଛନ୍ତି ଯେ ଆନ୍ଧ୍ରପ୍ରଦେଶର ଜନସଂଖ୍ୟା ବୃଦ୍ଧି ପାଇଁ ରାଜ୍ୟ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ଆହ୍ୱାନରୁ ଅନୁପ୍ରାଣିତ ହୋଇ ସେ ଏହି ଯୋଜନା ଆଣିଛନ୍ତି ।
ସେ ତାଙ୍କ ମନ୍ତବ୍ୟ ସପକ୍ଷରେ ଯୁକ୍ତି ରଖି କହିଥିଲେ ଯେ ଏହି ପ୍ରସ୍ତାବ ଭାରତୀୟ ରାଜ୍ୟର ଅତ୍ୟନ୍ତ ଗରିବ ପରବର୍ତ୍ତୀ ପିଢ଼ିଙ୍କୁ ସାହାଯ୍ୟ କରିପାରିବ ଏବଂ ଭାରତର ଜନସଂଖ୍ୟା ବୃଦ୍ଧି କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଉଲ୍ଲେଖଯୋଗ୍ୟ ୧.୪୪ ବିଲିୟନରୁ ଅଧିକ ଲୋକ ସହିତ ଭାରତ ବିଶ୍ୱର ଦ୍ୱିତୀୟ ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ରାଷ୍ଟ୍ର । ପୁଅ ପାଇଁ ଅଧିକ ପୁରସ୍କାର ଥିବାରୁ ଏହି ମନ୍ତବ୍ୟକୁ ଅଜବ ଭାବରେ ବିବେଚନା କରାଯାଉଛି । କିନ୍ତୁ ଚନ୍ଦ୍ରବାବୁ ନାଇଡୁଙ୍କ ତେଲୁଗୁ ଦେଶମ ପାର୍ଟି (ଟିଡିପି) ଏହି ଯୋଜନାକୁ ବୈପ୍ଳବିକ ବୋଲି କହୁଛି।