ଚେନ୍ନାଇ ୧୩।୧୦: ସାରା ଦେଶରେ ଏବେ ଦଶହରାର ମାହୋଲ। କେଉଁଠି କର୍ମଚାରୀଙ୍କୁ କମ୍ପାନୀ ବୋନସ ଦେଲେଣି ତ କେଉଁଠି ଉପହାରରେ ଦେଲେଣି କାର। ଚେନ୍ନାଇର ଷ୍ଟ୍ରକ୍ଚରାଲ ଷ୍ଟିଲ ଡିଜାଇନ ଓ ଡିଟେଲିଂ କମ୍ପାନୀ ‘ଟିମ୍ ଡିଟେଲିଂ ସଲ୍ୟୁସନସ୍’ରେ ମାତ୍ର ୧୮୦ ଜଣ କର୍ମଚାରୀ କାମ କରନ୍ତି। ପୂଜା ଅବସରରେ କମ୍ପାନୀ ୨୯ କର୍ମଚାରୀଙ୍କୁ ମୋଟର ବାଇକ୍ ଉପହାର ଦେଇଥିବା ବେଳେ ୨୮ କର୍ମଚାରୀଙ୍କୁ ବିଭିନ୍ନ ବ୍ରାଣ୍ଡର କାର ଉପହାର ଦେଇଛି, ଯେଉଁଥିରେ ମର୍ସିଡିଜ୍ ବେଞ୍ଜ ମଧ୍ୟ ରହିଛି।
ଉପହାର ସମ୍ପର୍କରେ କମ୍ପାନୀର ଜନୈକ କର୍ମଚାରୀ କହିଛନ୍ତି ଯେ ଏହି ଗିଫ୍ଟ କର୍ମଚାରୀମାନଙ୍କୁ ଉତ୍ପାଦକତା (ପ୍ରଡକ୍ଟିଭିଟି) ବଢାଇବାକୁ ଓ ଆହୁରି ଉନ୍ନତ ପ୍ରଦର୍ଶନ ନିମନ୍ତେ ମୋଟିଭେଟ କରିବା ଉଦ୍ଦେଶ୍ୟରେ ଦିଆଯାଇଛି। ଅଧିକାରୀ କହିଛନ୍ତି ଯେ କର୍ମଚାରୀଙ୍କୁ ସେମାନଙ୍କ କଠିନ ପରିଶ୍ରମ ଓ ସମର୍ପଣର ପ୍ରଶଂସା ନିମନ୍ତେ ହ୍ୟୁଣ୍ଡାଇ, ଟାଟା, ମାରୁତି ସୁଜୁକି ଓ ମର୍ସିଡିଜ ବେଞ୍ଜ ଆଦି ଉପହାର ଦିଆଯାଇଛି। କମ୍ପାନୀର ଏମଡି ଶ୍ରୀଧର କନ୍ନନ କହିଛନ୍ତି ଯେ ଆମ କମ୍ପାନୀର ସଫଳତାରେ କର୍ମଚାରୀଙ୍କ ଅଥକ ପ୍ରୟାସ ପାଇଁ ସେମାନଙ୍କୁ ପ୍ରଶଂସିତ କରିବାକୁ ଚାହୁଁଥିଲୁ।
ସେ କହିଛନ୍ତି ଯେ ଆମ କର୍ମଚାରୀ ହିଁ ଆମ ପାଇଁ ସବୁଠୁ ବଡ଼ ସମ୍ପତ୍ତି। କମ୍ପାନୀ କର୍ମଚାରୀଙ୍କ ଯୋଗଦାନକୁ ସେମାନଙ୍କ ପ୍ରଦର୍ଶନ ଓ କମ୍ପାନୀରେ ସେମାନଙ୍କ ସର୍ଭିସର ବର୍ଷ ଅନୁସାରେ ଆକଳନ କରାଯାଇଛି। କନ୍ନନ କହିଛନ୍ତି ଯେ କମ୍ପାନୀରେ ୧୮୦ ଜଣ କର୍ମଚାରୀ କାମ କରୁଛନ୍ତି ଓ ସେମାନେ ସାଧାରଣ ପୃଷ୍ଠଭୂମିର ହେଲେବି ବେଶ୍ କୁଶଳ। ପୂର୍ବରୁ ଆମେ କର୍ମଚାରୀଙ୍କୁ ଉପହାରରେ ବାଇକ୍ ଦେଉଥିଲୁ। ଆମେ ୨୦୨୨ରେ ପ୍ରଥମ କରି ଆମର ବରିଷ୍ଠ କର୍ମଚାରୀଙ୍କୁ୨ଟି କାର ଉପହାରରେ ଦେଇଥିଲୁ। ଏବର୍ଷ ୨୮ଟି କାର ଓ ୨୯ଟି ବାଇକ୍ ଉପହାର ଦେଇଛୁ।
କାର ଗିଫ୍ଟ ଦେବା ବ୍ୟତୀତ କମ୍ପାନୀ କର୍ମଚାରୀଙ୍କୁ ମ୍ୟାରେଜ ଆସିଷ୍ଟାନ୍ସ ରୂପେ ୧ଲକ୍ଷ ଟଙ୍କା ମଧ୍ୟ ଦେଉଛି। ପୂର୍ବରୁ ଏହି ସହାୟତା ରାଶି ୫୦ ହଜାର ଟଙ୍କା ଥିଲା, ଏବେ ଏହି ରାଶିକୁ ବଢେଇ ୧ ଲକ୍ଷ ଟଙ୍କା କରିଦିଆଯାଇଛି। ଏହା ଛଡା କମ୍ପାନୀ ଉପହାରରେ ଦେଇଥିବା କାରଠୁ ଯଦି କେହି କର୍ମଚାରୀ ଭଲ ବାହନ ଚାହୁଁଥାନ୍ତି ତେବେ ସେ ବାକି ପଇସା ନିଜେ ଜମା କରି କାର ନେଇ ପାରିବେ ବୋଲି କନ୍ନନ କହିଛନ୍ତି।