ନୂଆଦିଲ୍ଲୀ: ବାଂଲାଦେଶ ବିପକ୍ଷ ଟି-୨୦ ସିରିଜ୍ ପାଇଁ ଶନିବାର ୧୫ ଜଣିଆ ଭାରତୀୟ ଟି-୨୦ ଦଳ ଘୋଷଣା କରାଯାଇଛି। ସୂର୍ଯ୍ୟକୁମାର ଯାଦବ ଦଳର ନେତୃତ୍ଵ ନେଉଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଦଳକୁ ପ୍ରତ୍ୟାବର୍ତ୍ତନ ଘଟିଛି। ଉଦୀୟମାନ ଦ୍ରୁତ ବୋଲର ମୟଙ୍କ ଯାଦବ ଓ ନୀତିଶ ରେଡ୍ଡୀଙ୍କୁ ଟି-୨୦ ଭାରତୀୟ ଦଳରେ ସୁଯୋଗ ମିଳିଛି। ଟେଷ୍ଟ ସିରିଜ୍ ପରେ ଅକ୍ଟୋବର ୬ ତାରିଖରୁ ଟି-୨୦ ସିରିଜ୍ ଆରମ୍ଭ ହେବ। ଇଶାନ କିଶନଙ୍କୁ ପୁଣି ଥରେ ନିରାଶ ହେବାକୁ ପଡ଼ିଛି। ଏହି ବାମହାତୀ ବ୍ୟାଟରଙ୍କୁ ଦଳରେ ସ୍ଥାନ ମିଳି ନ ଥିବା ବେଳେ ଋଷଭ ପନ୍ତଙ୍କୁ ଏହି ସିରିଜ୍ରେ ବିଶ୍ରାମ ଦିଆଯାଇଛି।
ବାଂଲାଦେଶ ବିପକ୍ଷ ଟି-୨୦ ସିରିଜ୍ ପାଇଁ ସଞ୍ଜୁ ସାମସନ ଓ ଜିତେଶ ଶର୍ମାଙ୍କୁ ଓ୍ଵିକେଟ୍ କିପର ବ୍ୟାଟର ଭାବେ ଦଳରେ ସ୍ଥାନ ମିଳିଛି। ସ୍ପିନର ବରୁଣ ଚକ୍ରବର୍ତ୍ତୀଙ୍କ ଉପରେ ଚୟନକର୍ତ୍ତା ଭରସା ପ୍ରକାଶ କରିଛନ୍ତି। ତାରକା ସ୍ପିନର କୁଲଦୀପ ଯାଦବଙ୍କୁ ବିଶ୍ରାମ ଦିଆଯାଇଛି। ଦ୍ରୁତ ବୋଲିଂରେ ହର୍ଷିତ ରାଣା ନିଜର ସ୍ଥାନ ବଜାୟ ରଖିଛନ୍ତି।
NEWS 🚨 - #TeamIndia’s squad for T20I series against Bangladesh announced.
— BCCI (@BCCI) September 28, 2024
More details here - https://t.co/7OJdTgkU5q #INDvBAN @IDFCFIRSTBank pic.twitter.com/DOyz5XGMs5
ମୟଙ୍କ ଯାଦବଙ୍କ ଏଣ୍ଟ୍ରି
ଆଇପିଏଲ୍ ଫ୍ରାଞ୍ଚାଇଜ ଲକ୍ଷ୍ନୌ ସୁପର ଜାୟଣ୍ଟସ୍ ପାଇଁ ଖେଳିଥିବା ମୟଙ୍କ ଯାଦବ ନିଜର ଗତି ବଳରେ ସଭିଙ୍କ ଧ୍ୟାନ ଆକର୍ଷଣ କରିଥିଲେ। ସେ ୪ଟି ମ୍ୟାଚ୍ରେ ୭ ଓ୍ଵିକେଟ୍ ନେବା ସହ ଘଣ୍ଟା ପ୍ରତି ୧୫୦ କିମି ବେଗରେ ବୋଲିଂ କରୁଥିଲେ। ତେବେ ଆଘାତଜନିତ ସମସ୍ୟା କାରଣରୁ ଆଇପିଏଲ୍ ୨୦୨୪ରୁ ବାଦ୍ ପଡ଼ିଥିଲେ। ସେ ୧୫୫ କିମି ବେଗରେ ବୋଲିଂ କରିଥିଲେ।
ଭାରତ ଓ ବାଂଲାଦେଶ ମଧ୍ୟରେ ଟି-୨୦ ସିରିଜ୍ର ପ୍ରଥମ ମ୍ୟାଚ୍ ଅକ୍ଟୋବର ୬ ତାରିଖରେ ଗ୍ଵାଲିୟରରେ ଖେଳାଯିବ। ଦ୍ଵିତୀୟ ମ୍ୟାଚ୍ ଅକ୍ଟୋବର ୯ ତାରିଖ ନୂଆଦିଲ୍ଲୀ ଓ ତୃତୀୟ ମ୍ୟାଚ୍ ଅକ୍ଟୋବର ୧୨ ତାରିଖରେ ହାଇଦ୍ରାବାଦରେ ଖେଳାଯିବ।
ଟି-୨୦ ସିରିଜ୍ ପାଇଁ ଭାରତୀୟ ଦଳ
ସୂର୍ଯ୍ୟକୁମାର ଯାଦବ(ଅଧିନାୟକ), ଅଭିଷେକ ଶର୍ମା, ସଞ୍ଜୁ ସାମସନ, ରିଙ୍କୁ ସିଂ, ହାର୍ଦ୍ଦିକ ପାଣ୍ଡ୍ୟା, ରିୟାନ ପରାଗ, ନୀତିଶ ରେଡ୍ଡୀ, ଶିବମ ଦୁବେ, ଓ୍ଵାଶିଂଟନ ସୁନ୍ଦର, ରବି ବିଷ୍ନୋଇ, ବରୁଣ ଚକ୍ରବର୍ତ୍ତୀ, ଜିତେଶ ଶର୍ମା, ଅର୍ଶଦୀପ ସିଂ, ହର୍ଷିତ ରାଣା, ମୟଙ୍କ ଯାଦବ।